ରାଜନୀତିରେ ଛାତ୍ର-ଶିକ୍ଷକ ଲଢେଇ । ପ୍ରିୟ ଛାତ୍ର ଶ୍ରଦ୍ଧାକର ସୂପକାରଙ୍କ ସହିତ ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ ଶିକ୍ଷାବିତ୍‍ ଘନଶ୍ୟାମ ଦାଶ ।

112

କନକ ବ୍ୟୁରୋ : ( ସ୍ୱରାଜ ମିଶ୍ର ) : ଶିଳ୍ପପତି ବଂଶୀଧର ପଣ୍ଡା ଓଡ଼ିଶାରେ ଏକ ପରିଚିତ ନାମ । ସେ ନିଜେ କେବେ ନିର୍ବାଚନ ରାଜନୀତିକୁ ଓହ୍ଲାଇ ନାହାନ୍ତି ସତ, ମାତ୍ର ତାଙ୍କ ପରିବାରର ଅନ୍ୟମାନେ ରାଜନୀତିରେ ବେଶ୍‍ ସକ୍ରିୟ ରହିଛନ୍ତି । ତାଙ୍କର ପୁଅ ଏକାଧିକବାର ରାଜ୍ୟସଭା ଓ ଲୋକସଭାର ସଦସ୍ୟ ରହିଥିବା ବେଳେ, ପତ୍ନୀ ଇଲା ପଣ୍ଡା ୧୯୯୨ରୁ ୧୯୯୮ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟା ରହିଛନ୍ତି । ମାତ୍ର ଅନେକେ ହୁଏତ ଜାଣି ନଥିବେ ଯେ ଇଲା ପଣ୍ଡାଙ୍କ ବାପା ଅର୍ଥାତ୍‍ ବଂଶୀଧର ପଣ୍ଡାଙ୍କ ଶ୍ୱଶୁର ପ୍ରଖ୍ୟାତ ଶିକ୍ଷାବିତ୍‍ ଘନଶ୍ୟାମ ଦାଶ ମଧ୍ୟ ଲୋକସଭା ପାଇଁ ନିର୍ବାଚନ ଲଢ଼ିଥିଲେ ୧୯୫୭ରେ । ଏହି ସମୟରେ ସେ ମୁହାଁମୁହିଁ ହୋଇଥିଲେ ତାଙ୍କର ପ୍ରିୟ ଛାତ୍ର ଶ୍ରଦ୍ଧାକର ସୂପକାରଙ୍କ ସହିତ ।

ବରଗଡ଼ ଜିଲ୍ଲା ଅନ୍ତର୍ଗତ କଟାପାଲି ଗ୍ରାମରେ ୧୯୦୨ ମସିହା ଏପ୍ରିଲ୍‍ ୪ ତାରିଖରେ ଜନ୍ମ ନେଇଥିବା ଘନଶ୍ୟାମ ଇତିହାସରେ ରେଭେନ୍ସାରୁ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ବିହାର-ଓଡ଼ିଶା ଛାତ୍ରବୃତ୍ତି ପାଇ ଉଚ୍ଚଶିକ୍ଷାପାଇଁ ଲଣ୍ଡନ ଯାଇଥିବା ଘନଶ୍ୟାମ ସେଠାରୁ ପଢ଼ାସାରି ଫେରିବା ପରେ ୧୯୨୭ରେ ମାତ୍ର ୨୫ ବର୍ଷ ବୟସରେ ରେଭେନ୍ସା କଲେଜର ଇତିହାସ ଅଧ୍ୟାପକ ପଦରେ ଯୋଗ ଦେଇଥିଲେ । ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ଇତିହାସ ପ୍ରଣୟନ, ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ପ୍ରସ୍ତୁତି ତଥା ମହିମାଧର୍ମ ସଂପର୍କରେ ଗବେଷଣା କ୍ଷେତ୍ରରେ ତାଙ୍କର ପ୍ରଭୂତ ଅବଦାନ ରହିଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କଠାରୁ ପାଠ ପଢ଼ି ମଣିଷ ହୋଇଛନ୍ତି । ତାଙ୍କ ପାଠ ପଢ଼ାଇବାର ଶୈଳୀ ଏତେ ଚମତ୍କାର ଥିଲା ଯେ ଇତିହାସ ବିଭାଗରେ ପଢ଼ୁନଥିବା ଛାତ୍ରମାନେ ମଧ୍ୟ ତାଙ୍କ ପାଠପଢ଼ା ଶୁଣିବାପାଇଁ ତାଙ୍କ କ୍ଲାସରେ ଯୋଗ ଦେଉଥିଲେ ।

ଶ୍ରଦ୍ଧାକର ସୂପକାର ତାଙ୍କର ଆତ୍ମଜୀବନୀ ପୁସ୍ତକ ‘ମଧ୍ୟମ ପୁରୁଷ’ରେ ୧୯୩୧ ମସିହା ଜୁନ୍‍ ମାସରେ ସେ କଟକ ଆସି ରେଭେନ୍ସାରେ ନାମ ଲେଖାଇବା ସମୟର ଏକ ଅନୁଭୂତି ବର୍ଣ୍ଣନା କରିଛନ୍ତି । ସେ ଓ ତାଙ୍କର ଦୁଇଜଣ ସହପାଠୀ ସେମାନଙ୍କର ବାପାଙ୍କ ସାଥିରେ କଟକ ଆସୁଥାନ୍ତି । ସେତେବେଳେ ସମ୍ୱଲପୁରରୁ ବସ୍ ଯୋଗେ ମେରାମୁଣ୍ଡଳୀ ଯାଇ ସେଠାରୁ କଟକ ପାଇଁ ଟ୍ରେନ୍‍ ଧରିବାକୁ ହେଉଥିଲା । ସଂଯୋଗକ୍ରମେ ଗ୍ରୀଷ୍ମଛୁଟି ପରେ ଯୁବ ଅଧ୍ୟାପକ ଘନଶ୍ୟାମ ମଧ୍ୟ କଟକ ଫେରୁଥାନ୍ତି ସେହି ବସରେ । ମେରାମୁଣ୍ଡଳୀ ପହଞ୍ଚିବା ପୂର୍ବରୁ ବସ୍‍ଟି ହଠାତ୍‍ ଖରାପ ହୋଇଯାଇଥିଲା ଏବଂ ଟ୍ରେନ୍‍ ଧରିବାର କୌଣସି ସମ୍ଭାବନା ନ ଥିଲା । ଏହି ସମୟରେ ‘ଜଣେ ସଦୟ ବାଟୋଇର ସାଇକେଲ୍‍ ଧାର ନେଇ ଅଧ୍ୟାପକ ଦାସ ମେରାମୁଣ୍ଡଳୀ ଷ୍ଟେସନ୍‍କୁ ଧାଇଁଲେ ଟ୍ରେନ୍‍କୁ ଅନ୍ତତଃ କିଛି ସମୟ ଅଟକାଇବାପାଇଁ ।’ ପରେ ଯେ ସମସ୍ତେ କୌଣସି ପ୍ରକାରେ ଟ୍ରେନ୍‍ ଧରିପାରିଥିଲେ ତାହା ଭିନ୍ନ କଥା । ମାତ୍ର ବିଲାତ ଫେରନ୍ତା ଅଧ୍ୟାପକ ଦାଶଙ୍କର ଏଭଳି ସାହାଯ୍ୟ ଛାତ୍ରମାନେ ଭୁଲିପାରି ନ ଥିଲେ ।

ଘଟଣାଚକ୍ରରେ କିନ୍ତୁ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ୧୯୫୭ ନିର୍ବାଚନରେ । ଚାକିରିରୁ ଅବସର ନେବା ପରେ ଘନଶ୍ୟାମ ଦାଶ ସମ୍ୱଲପୁର (ଯୁଗ୍ମ) ଲୋକସଭା ଆସନରୁ ହରିଜନ ପ୍ରାର୍ଥୀ ମୋହନ ନାଗଙ୍କ ସହ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ସମ୍ମୁଖରେ ଥିଲେ ଗଣତନ୍ତ୍ର ପରିଷଦ ତରଫରୁ ଲଢ଼ୁଥିବା ତାଙ୍କର ଛାତ୍ର ଶ୍ରଦ୍ଧାକର ସୂପକାର ଓ ତାଙ୍କ ସହ ହରିଜନ ପ୍ରାର୍ଥୀ ବନମାଳୀ କୁମ୍ଭାର । ଅବିଭାଜିତ ସମ୍ୱଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ନେଇ ଗଠିତଏହି ବିରାଟ ନିର୍ବାଚନ ମଣ୍ଡଳୀଟିର ଭୋଟର ସଂଖ୍ୟା ଥିଲା ୭,୯୬,୧୯୯ । ଏହି ନିର୍ବାଚନ ମଣ୍ଡଳୀରୁ ଜଣେ ସାଧାରଣ ବର୍ଗ ଓ ଅନ୍ୟ ଜଣେ ହରିଜନପ୍ରାର୍ଥୀ ନିର୍ବାଚିତ ହେଉଥିଲେ । ସେତେବେଳେ ସମ୍ୱଲପୁର ଅଞ୍ଚଳରେ ହୀରାକୁଦ ବନ୍ଧ ବିରୋଧୀ ଆନ୍ଦୋଳନ କାରଣରୁ କଂଗ୍ରେସ ବିରୋଧରେ ଜନ ଅସନ୍ତୋଷ ଥିଲା । ତା’ଛଡ଼ା ବଲାଙ୍ଗୀର ଅଞ୍ଚଳ ଥିଲା ଗଣତନ୍ତ୍ର ପରିଷଦର ଗଡ଼ । ଏଣୁ କଂଗ୍ରେସ ତରଫରୁ ପ୍ରଚାର କରିବାପାଇଁ ନିଜେ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଆସିଥିଲେ ମଧ୍ୟ ପ୍ରଫେସର ଦାଶ ଓ ତାଙ୍କର ସାଥୀ ଜିତିପାରି ନଥିଲେ । ଗଣତନ୍ତ୍ର ପରିଷଦର ଦୁଇ ପ୍ରାର୍ଥୀ ବନମାଳୀ କୁମ୍ଭାର ଓ ଶ୍ରଦ୍ଧାକର ସୂପକାର ଯଥାକ୍ରମେ ୧,୩୪,୧୨୭ ଓ ୧,୩୧,୯୭୪ ଖଣ୍ଡ ଭୋଟପାଇ ନିର୍ବାଚିତ ହୋଇଥିବା ବେଳେ ପ୍ରଫେସର ଦାଶ ଓ ମୋହନ ନାଗ ଯଥାକ୍ରମେ ୮୪,୬୬୫ ଓ ୭୪,୯୫୪ ଖଣ୍ଡ ଭୋଟ ପାଇଥିଲେ ।

ଘନଶ୍ୟାମଙ୍କ ପାଇଁ ଏହା ଥିଲା ତାଙ୍କ ଜୀବନର ପ୍ରଥମ ଓ ଶେଷ ନିର୍ବାଚନ ଲଢ଼େଇ । ଶ୍ରଦ୍ଧାକରଙ୍କ ଭାଷାରେ ‘ଅଧ୍ୟାପକ ଶ୍ରୀ ଘନଶ୍ୟାମ ଦାଶ ଥିଲେ ମୋର ଗୁରୁଦେବ । ଆମେ ରେଭେନ୍ସା କଲେଜରେ ପଢ଼ୁଥିଲା ବେଳେ ସେ ଆମ ହଷ୍ଟେଲ୍‍ର ସହକାରୀ ସୁପରିଟେଣ୍ଡେଣ୍ଟ ଥିଲେ ।” ପିଲାମାନଙ୍କ ସୁଖ ଦୁଃଖରେ ପରିବାରର ମୁରବି ଭଳି ପଛରେ ଠିଆ ହେଉଥିବା ଏହି ଛାତ୍ରବତ୍ସଳ ଶିକ୍ଷକ ନିର୍ବାଚନ ରଣକ୍ଷେତ୍ରରେ ହାରିଯାଇଥିଲେ ମଧ୍ୟ ବିଜୟୀ ଶ୍ରଦ୍ଧାକରଙ୍କୁ ଯଶସ୍ୱୀ ହେବାପାଇଁ ଆଶୀର୍ବାଦ ଦେଇଥିଲେ । ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଗଭୀର ଶ୍ରଦ୍ଧା ଓ ସମ୍ମାନର ସଂପର୍କକୁ ରାଜନୀତିର ଦ୍ୱନ୍ଦ୍ୱଯୁଦ୍ଧ ଫିକା କରିପାରିନଥିଲା ।

Comments are closed.