ନାଗା ସାଧୁଙ୍କ ରହସ୍ୟମୟ କାହାଣୀ! ନିଜ ପିଣ୍ଡଦାନ ନିଜେ କରିଥାନ୍ତି, ହିମାଳୟର ବରଫପାତରେ ନଗ୍ନ ହୋଇ କରିଥାନ୍ତିତପସ୍ୟା

653

ଦେଶର ସବୁଠୁ ବଡ ମେଳା ତଥା ହିନ୍ଦୁ ଆସ୍ଥାର ସବୁଠୁ ବଡ ମେଳା କୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ର୍ରୟାଗରାଜରେ ଆରମ୍ଭ ହୋଇଛି । ମକର ସଂକ୍ରାନ୍ତି ଅବସରରେ ହିନ୍ଦୁ ଧର୍ମର ସାଧୁ ସନ୍ୟାସୀ ମାନେ ପ୍ରଥମ ସାହି ସ୍ନାନ ପାଇଁ ଏଠାରେ ପହଞ୍ଚିଛନ୍ତି । କୁହାଯାଏ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ଏହି ସଙ୍ଗମ ସ୍ଥଳରେ ବୁଡ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ ଏବଂ ମନୁଷ୍ୟ ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତି ପାଇଯାଇଥାଏ । ତେବେ ଏହି ସାହି ସ୍ନାନ ଛଡା କୁମ୍ଭମେଳାର ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି ନାଗା ସାଧୁ । ନାଗା ସାଧୁଙ୍କ ଜୀବନ ଅନ୍ୟ ସାଧୁଙ୍କ ତୁଳନାରେ ବେଶ କଠିନ ହୋଇଥାଏ । ତେବେ କିଭଳି ଜଣେ ସାଧାରଣ ଲୋକ ନାଗା ସାଧୁରେ ପରିବର୍ତ୍ତନ ହୋଇଥାନ୍ତି ଓ ଏମାନଙ୍କର ଜୀବନ କିଭଳି ରହିଥାଏ ଆସନ୍ତୁ ଜାଣିବା ।

କୁମ୍ଭରେ ୧୩ଟି ଆଖଡାର ନାଗା ସାଧୁ ସାମିଲ ହୋଇଥାନ୍ତି । ତେବେ ଜୁନା ଆଖଡାରୁ ଅଧିକାଂଶ ନାଗା ସାଧୁ ଆସିଥାନ୍ତି । ତେବେ ନାଗା ସାଧୁର ମାନ୍ୟତା ପାଇବା ପୂର୍ବରୁ ତାଙ୍କୁ ଅନେକ କଠିନ ପରୀକ୍ଷାର ସାମ୍ନା କରିବାକୁ ପଡିଥାଏ । ନାଗା ସାଧୁ ଦୀକ୍ଷାରେ ଦୀକ୍ଷିତ ହେବା ପୂର୍ବରୁ ପୂରା ପରିବାରର ଯାଞ୍ଚ ହୋଇଥାଏ । ଏହାପରେ ବେଶ କିଛି ବର୍ଷ ନିଜ ଗୁରୁଙ୍କର ସେବା କରିବାକୁ ପଡିଥାଏ । ଏହାଛଡା ଲୋଭ,ମୋହ ଓ ଇଚ୍ଛାକୁ ତ୍ୟାଗ କରିବାକୁ ପଡିଥାଏ ।

ଇତିହାସ ଅନୁଯାୟୀ, ନାଗା ସାଧୁଙ୍କର ଅସ୍ତିତ୍ୱ ସବୁଠୁ ପୁରୁଣା । ନାଗା ସାଧୁ ହେବା ପାଇଁ ମହାକୁମ୍ଭ ସମୟରୁ ହିଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏଥିପାଇଁ ପ୍ରଥମେ ବ୍ରହ୍ମଚର୍ଯ୍ୟର ପରୀକ୍ଷା ଦେବାକୁ ପଡିଥାଏ । ଏଥିରେ ୬ ମାସରୁ ଆରମ୍ଭ କରି ୧୨ ବର୍ଷ ଯାଏଁ ସମୟ ଲାଗି ଯାଇଥାଏ । ବହ୍ମଚର୍ଯ୍ୟ ପରୀକ୍ଷାରେ ସଫଳ ହେବା ପରେ ମହାପୁରୁଷର ମାନ୍ୟତା ମିଳିଥାଏ । ଏହାପରେ ଉକ୍ତ ବ୍ୟକ୍ତିଙ୍କ ପାଇଁ ୫ ଗୁରୁ ଭଗବାନ ଶିବ, ବିଷ୍ଣୁ,ଶକ୍ତି, ସୂର୍ଯ୍ୟ ଓ ପ୍ରଭୁ ଗଣେଶଙ୍କୁ ସ୍ଥିର କରାଯାଇଥାଏ । ଏହାପରେ ଉକ୍ତ ବ୍ୟକ୍ତିଙ୍କର ବାଳ କଟାଯିବା ସହ କୁମ୍ଭ ମେଳାରେ ଗଙ୍ଗା ନଦୀରେ ୧୦୮ ଥର ବୁଡ ପକାଇବାକୁ ପଡିଥାଏ । ଏହିଭଳି ଭାବେ ମହାପୁରୁଷ ପର୍ଯ୍ୟାୟ ପାର କରିବାକୁ ପଡିଥାଏ ।

ମହାପୁରଷ ପରେ ନାଗାଙ୍କୁ ଅବଧୂତ ଭାବେ ଗଢି ତୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏଥିପାଇଁ ନିଜର ଶ୍ରାଦ୍ଧ କରିବା ସହ ପିଣ୍ଡ ଦେବାକୁ ପଡିଥାଏ । ଏହି ସମୟରେ ସାଧୁ ହେବାକୁ ଇଚ୍ଛା କରିଥିବା ଲୋକଙ୍କୁ ବିନା କପଡାରେ ଆଖଡାର ଧ୍ୱଜ ତଳେ ୨୪ ଘଣ୍ଟା ଛିଡା ହେବାକୁ ପଡିଥାଏ । ଏହି ପରୀକ୍ଷାରେ ସଫଳ ହେବା ପରେ ଉକ୍ତ ବ୍ୟକ୍ତିଙ୍କୁ ନାଗା ସାଧୁର ମାନ୍ୟତା ଦିଆଯାଇଥାଏ ।

ଜାଣନ୍ତୁ କେଉଁ କେଉଁ ସ୍ଥାନରେ ନାଗା ସାଧୁଙ୍କୁ ଦୀକ୍ଷିତ କରାଯାଇଥାଏ । କୁମ୍ଭର ଆୟୋଜନ ହରିଦ୍ୱାରର ଗଙ୍ଗା, ଉଜ୍ଜେନର ସିପ୍ରା, ନାସିକର ଗୋଦାବରୀ ଓ ପ୍ରୟାଗରାଜରେ ଗଙ୍ଗା,ଯମୁନା ଓ ସରସ୍ୱତୀର ସଙ୍ଗମ ସ୍ଥଳରେ ହୋଇଥାଏ । ତେଣୁ ନାଗା ସାଧୁ ହେବାର ପ୍ରକ୍ରିୟା ମଧ୍ୟ ଏହି ୪ଟି ସ୍ଥାନରେ ହୋଇଥାଏ । ମାନ୍ୟତା ରହିଛି ଏହି ୪ଟି ସ୍ଥାନରେ ଅମୃତର କିଛି ବୁନ୍ଦା ପଡିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ୪ଟି ସ୍ଥାନରେ କୁମ୍ଭ ମେଳାର ଆୟୋଜନ କରାଯାଉଛି ।

କେଉଁ ସ୍ଥାନରେ ନାଗା ସାଧୁଙ୍କର କେଉଁ ନାମ ରହିଥାଏ:

ଭିନ୍ନ ଭିନ୍ନ ସ୍ଥାନରେ ନାଗା ସାଧୁଙ୍କର ଦୀକ୍ଷା ନେଉଥିବା ସାଧୁଙ୍କର ଭିନ୍ନ ଭିନ୍ନ ନାଁ ରହିଥାଏ ।  ପ୍ରୟାଗରାଜରେ ଦୀକ୍ଷା ନେଉଥିବା ସାଧୁଙ୍କର ନାମ ନାଗା ରହିଥାଏ । ଠିକ୍ ସେହିଭଳି ହରିଦ୍ୱାରରେ ଦୀକ୍ଷା ନେଉଥିବା ସାଧୁଙ୍କୁ ବର୍ଫାନୀ ନାଗା କୁହାଯାଇଥାଏ । ଉଜ୍ଜେନରେ ଦୀକ୍ଷା ନେଇଥିବା ସାଧୁଙ୍କୁ ଖୁନୀ ନାଗା କୁହାଯାଉଥିବା ବେଳେ ନାସିକରେ ଦୀକ୍ଷା ନେଉଥିବା ସାଧୁଙ୍କୁ ଖିଚଡିଆ ନାଗା କୁହାଯାଇଥାଏ ।

ନାଗା ସାଧୁ ହେବା ପରେ ପ୍ରତ୍ୟେକ ସାଧୁ ମରଶରୀରର ପାଉଁଶକୁ ଶୁଦ୍ଧୀକରଣ କରି ନିଜ ଶରୀରରେ ଲଗାଇଥାନ୍ତି । ଯଦି ମରଶରୀରର ପାଉଁଶ ଉପଲବ୍ଧ ନଥାଏ ତେବେ ଯଜ୍ଞର ପାଉଁଶ ନିଜ ଶରୀରରେ ଲଗାଇଥାନ୍ତି ନାଗା ବାବା ।  ଏହାଛଡା ଗଳା ଓ ହାତରେ କେବଳ ଫୁଲ ଓ ରୁଦ୍ରାକ୍ଷ ଧାରଣ କରିଥାନ୍ତି ନାଗା ବାବା । ଏହି ସାଧୁ ମାନଙ୍କୁ କେବଳ ଭୂମିରେ ଶୋଇବାକୁ ଅନୁମତି ମିଳିଥାଏ । ନାଗା ସାଧୁ ମାନଙ୍କୁ ଏଭଳି ପ୍ରଶିକ୍ଷଣ ଦିଆଯାଇଥାଏ ଯେ, ହିମାଳୟରେ ମାଇନସ ତାପମାତ୍ରାରେ ମଧ୍ୟ ନଗ୍ନ ରହିକି ତପସ୍ୟା କରିଥାନ୍ତି । ଖରା ହେଉ କି ବର୍ଷା କିମ୍ବା ଥଣ୍ଡା ତପସ୍ୟା ସମୟରେ ସର୍ବଦା ନଗ୍ନ ରହିଥାନ୍ତି ନାଗା ସାଧୁ । ଏହାଛଡା ନାଗା ସାଧୁ ଦିନରେ ଥରେ ମାତ୍ର ଖାଇଥାନ୍ତି । ମାତ୍ର ୭ଟି ଘରୁ ଭିକ୍ଷା ମାଗିବା ପରେ ଯାହା ମିଳିଥାଏ ତାହାକୁ ହିଁ ଖାଇଥାନ୍ତି ନାଗା ସାଧୁ । କିନ୍ତୁ ଯଦି ୭ଟି ଘରୁ କୌଣସି ଭିକ୍ଷା ନ ମିଳେ ତେବେ ସେହିଦିନ ନାଗା ସାଧୁଙ୍କୁ ଉପାସ ଶୋଇବାକୁ ପଡିଥାଏ । ନାଗା ସାଧୁ ହେବା ପରେ ଏହାର ପ୍ରତ୍ୟେକ ନିୟମ ପାଳନ କରିବା ସାଧୁ ମାନଙ୍କ ପାଇଁ ଅନିବାର୍ଯ୍ୟ ହୋଇଥାଏ ।

Comments are closed.