କୈଳାସ ଦେଶର କାହାଣୀ । ଭଣ୍ଡ ନିତ୍ୟାନନ୍ଦଙ୍କ କୈଳାସ ଦେଶର ସତ କଣ, ଠକିବାର ନୂଆ ତରିକା ଆପଣାଇଛନ୍ତି କି ନିତ୍ୟାନନ୍ଦ?

272

କନକ ବ୍ୟୁରୋ : ବିଦାଦୀୟ ବାବା ନିତ୍ୟାନନ୍ଦଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ରାତାରାତି ବାବା ନିତ୍ୟାନନ୍ଦଙ୍କ ୱେବସାଇଟରେ ଘୋଷଣା ହେଲା ଯେ, ଦେଶରୁ ଫେରାର ବାବା ତାଙ୍କର ଏକ ଅଲଗା ଦେଶ ଗଢିଛନ୍ତି । ସେହି ଦେଶର ଅଲଗା ପାତାକା, ଅଲଗା ପାସପୋର୍ଟ, ଅଲଗା ସରକାର ଓ ଅଲଗା ପଇସା ବି ହେବ । ସ୍ୱାମୀ ନିତ୍ୟାନନ୍ଦ ତାଙ୍କର ଏହି ଅଲଗା ଦେଶକୁ ଆସିବା ପାଇଁ ଲୋକଙ୍କୁ ଆମନ୍ତ୍ରଣ ବି କରିଛନ୍ତି ।

ଫେରାର ବାବାଙ୍କ କୈଳାସ କାଣ୍ଡ । ଭାରତରୁ ଫେରାର ବାବା ନିତ୍ୟାନନ୍ଦ ଏଥର ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ୱେବସାଇଟକୁ ନେଇ । ସ୍ୱାମୀ ନିତ୍ୟାନନ୍ଦଙ୍କ ୱେବସାଇଟ୍ କୈଳାସା ଡଟ୍ ଓଆରଜିରେ ଏମିତି କିଛି କଥା ସାମ୍ନାକୁ ଆସିଛି ଯାହା ଦେଶବାସୀଙ୍କୁ ଚକିତ କରିଛି । ଏହି ୱେବସାଇଟ୍ରେ ଲେଖା ଯାଇଛି କୈଳାସା ଏକ ଅଲଗା ଦେଶ, ସାରା ବିଶ୍ୱରୁ ହିନ୍ଦୁମାନେ କେବଳ ଏଠାକୁ ଆସିପାରିବେ । ଏହି ୱେବସାଇଟକୁ ନିରିଖି ଦେଖିଲେ ଜାଣି ପାରିବେ ସ୍ୱାମୀ ନିତ୍ୟାନନ୍ଦ ତାଙ୍କର ଏହି ଅଲଗା ଦେଶ ପାଇଁ ଅଲଗା ପାସପୋର୍ଟ ବି ତିଆରି କରିଛନ୍ତିି । ଦେଶର ଅଲଗା ପତାକା ବି ରହିଛି । ତେଣୁ ପ୍ରଶ୍ନ ଉଠୁଛି – କ’ଣ ପ୍ରକୃତରେ ଭାରତରୁ ଫେରାର, ଭଣ୍ଡ ବାବା ନିତ୍ୟାନନ୍ଦ ତାଙ୍କର ଅଲଗା ଦେଶ ତିଆରି କରିଛନ୍ତି? ଅଲଗା ପାସପୋର୍ଟ ଓ ଅଲଗା ପତାକା ବି ବନାଇଛନ୍ତି? ଏହି ପ୍ରଶ୍ନର ଉତର ଖୋଜୁଖୋଜୁ କେବଳ ଏତିକି ତଥ୍ୟ ମିଳିଛି ଯେ, ଫେରାର ବାବା ନିତ୍ୟାନନ୍ଦ କାରାବିୟାନ ଦେଶରେ ଲୁଚିଛନ୍ତି । ସୂଚନା ମିଳୁଛି ଯେ, ନିତ୍ୟାନନ୍ଦ ଇକ୍ୱାଡୋରରେ ଲୁଚିଛନ୍ତି । କିଛି ଲୋକ ଏଭଳି କହୁଛନ୍ତି ଯେ, ନିତ୍ୟାନନ୍ଦ ତ୍ରିନିଦାଦ ଓ ଟବାଗୋରେ ଗୋଟିଏ ଦ୍ୱୀପ କିଣିସାରିଛନ୍ତିି । ନିତ୍ୟାନନ୍ଦ ଫେରାର ହେବା ନେଇ ଖବର ଗୁଜରାଟ ପୋଲିସ ନିକଟରୁ ମିଳିଛି ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଭାରତରୁ ଫେରାର ବାବା ନିତ୍ୟାନନ୍ଦ କାରାବିୟାନ ଦେଶ ତ୍ରିନିଦାଦ ଓ ଟବାଗୋରେ ଲୁଚିଛନ୍ତି । ଏଥିସହ ଚର୍ଚ୍ଚା ହେଉଛି ଗୁଜରାଟ ଅହମ୍ମଦାବାଦ ପୋଲିସ ଯେଉଁ ଦୁଇ ଭଉଣୀଙ୍କୁ ଖୋଜୁଛି, ସେମାନେ ମଧ୍ୟ ବାବା ନିତ୍ୟାନନ୍ଦଙ୍କ ସହିତ ଅଛନ୍ତି । ଅହମ୍ମଦାବାଦ ପୋଲିସ ଏହି ଦୁଇ ଭଉଣୀଙ୍କ ବିରୋଧରେ ବ୍ଲୁ ନୋଟିସ ଜାରି କରିଥିବାବେଳେ ବାବା ନିତ୍ୟାନନ୍ଦଙ୍କ ବିରୋଧରେ ମଧ୍ୟ ନୋଟିସ ଜାରି କରିପାରେ । କେବେ ନିଜକୁ ଭଗବାନଙ୍କ ଅବତାର, ତ ପୁଣିକେବେ ନିଜକୁ ଏଲିଏନ ଘୋଷଣା କରିଥିବା ବାବା ନିତ୍ୟାନନ୍ଦଙ୍କ ବିରୋଧରେ ଧୋକାବାଜି ଓ ଜାଲସାଜିର ଅନେକ ଅଭିଯୋଗ ରହିଛି । ତେଣୁ କ’ଣ ନୂଆ ଦେଶ ପ୍ରତିଷ୍ଠା ନେଇ ବାବାଙ୍କ ଦାବି ବି ଏକ ଧୋକାବାଜି? ଏ ସଂପର୍କରେ କିଛି ଠୋସ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । କିନ୍ତୁ କୈଳାସା ନାଁରେ ଏକ ନୂଆ ଦେଶର ଦାବି କରୁଥିବା ଏହି ୱେବସାଇଟ୍ରୁ ବାବା ନିତ୍ୟାନନ୍ଦଙ୍କ ଉଦ୍ଦେଶ୍ୟ ନିଶ୍ଚୟ ସାମ୍ନାକୁ ଆସିଛି ।

ୱେବସାଇଟ୍ରେ ଲେଖାଯାଇଛି ଯେ, କୈଳାସ ନାଁରେ ଏହି ନୂଆ ଦେଶରେ ଲୋକଙ୍କୁ ମାଗଣା ଚିକିତ୍ସା ସେବା ମିଳିବ । ମାଗଣା ଶିକ୍ଷା ଓ ମାଗଣାରେ ଖାଇବାକୁ ମିଳିବ । ଧର୍ମ ଆଧାରିତ ଜୀବନଶୈଳୀ ବି ମିଳିବ । କିନ୍ତୁ ୱେବସାଇଟରେ ଦୁଇଟି କଥା ଅତି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ପ୍ରଥମେ ତ ଲୋକଙ୍କୁ ଏହି ୱେବସାଇଟ୍ ଜରିଆରେ ନୂଆ ଦେଶର ନାଗରିକ ହେବା ପାଇଁ ଆମନ୍ତ୍ରଣ କରାଯାଉଛି । ଦ୍ୱିତୀୟରେ ଲୋକଙ୍କୁ ନାଗରିକ ହେବା ପାଇଁ ଡୋନେସନ୍ ଅର୍ଥାତ ପଇସା ମଗା ଯାଉଛି । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି- ପ୍ରକୃତରେ ବାବା ନିତ୍ୟାନନ୍ଦ କୌଣସି ଦ୍ୱୀପ କିଣି ନୂଆ ଦେଶ ପ୍ରତିଷ୍ଠା କରିଛନ୍ତି? ନା ନୂଆ ଦେଶ ନାଁରେ ଲୋକଙ୍କଠୁ ପଇସା ଲୁଟିବାର ନୂଆ ତରିକା ବାହାର କରିଛନ୍ତି ଭଣ୍ଡ ବାବା ନିତ୍ୟାନନ୍ଦ?