ବନ୍ଦ କର ପୋଲାଭରମ ପ୍ରକଳ୍ପ ! କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, ସୁପ୍ରିମକୋର୍ଟରେ ବିଚାରଧିନ ଥିବା ମାମଲାକୁ ବାରମ୍ବାର ଉଲଘଂନ କରୁଛି ଆନ୍ଧ୍ର ।

41

ପୋଲାଭରମ ପ୍ରକଳ୍ପକୁ ବନ୍ଦ କରିବାନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲାଭରମ ଡ୍ୟାମ୍ ନିର୍ମାଣ ଦ୍ୱାରା ଓଡିଶାର ଅନେକ ଆଦିବାସୀ ବହୁଳ ଅଞ୍ଚଳ କ୍ଷତିଗ୍ରସ୍ତ ହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଓଡିଶାର ସମସ୍ୟାକୁ ସମାଧାନ କରିବା ଆଗରୁ ଜୋରସୋରରେ ଚାଲୁଥିବା ଏହି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖିବାକୁ ଚିଠି ଦ୍ୱାରା ଦାବି କରିଛନ୍ତି ନବୀନ । କେବଳ ଏତିକି ନୁହେଁ ୨୦୧୫ ସେପ୍ଟେମ୍ବର ଓ ୨୦୧୭ ନଭେମ୍ବରରେ ପୋଲାଭରମ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ଆନ୍ଧ୍ର ସରକାର ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ ଉଲଙ୍ଘନ କରୁଥିବା ମୁଖ୍ୟମନ୍ତ୍ରୀ ଚିଠି ଦ୍ୱାରା ଦର୍ଶାଇଛନ୍ତି । ସେଥିପାଇଁ ଏହା ପୂର୍ବରୁ ମଧ୍ୟ ପୋଲାଭରମକୁ ପ୍ରକଳ୍ପକୁ ବିରୋଧ କରି ଆମେ ୨୦୦୭ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୁ । ତେବେ ଏହି ମାମଲା ଏବେ ବି କୋର୍ଟରେ ବିଚାରଧୀନ ଅଛି । କେବଳ ଏତିକି ନୁହେଁ ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ୨୦୦୫ରେ ଦେଇଥିବା ମଞ୍ଜୁରୀକୁ ଜାତୀୟ ପରିବେଶ ଆପିଲେଟ୍ ଅଥରିଟି ୨୦୦୭ ମସିହା ଡିସେମ୍ବରରେ ରଦ୍ଦ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ପୂର୍ନବାର କେନ୍ଦ୍ରୀୟ ବିଭାଗକୁ ମନେ ପକାଇ ଦେଇଛନ୍ତି ବୋଲି ସ୍ପଷ୍ଟ ହେଉଛି ।

ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିବା ଏବଂ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଅନୁଦାନ ଦେବାକୁ ମଧ୍ୟ ପ୍ରଥମରୁ ହିଁ ପ୍ରତିବାଦ କରିଥିଲେ ରାଜ୍ୟ ସରକାର । ଏନେଇ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ରାଜ ଭବନ ସମ୍ମୁଖରେ ପ୍ରତିବାଦ କରି ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଥିଲେ । କିନ୍ତୁ ଯଦି ଏହି ଡ୍ୟାମ ସମ୍ପୂର୍ଣ୍ଣିକରଣ ହୁଏ ତେବେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ସହିତ ଅନେକ ଆଦିବାସୀ ଲୋକମାନେ ପ୍ରଭାବିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି । ଏହାସହ କେବଳ ମାଲକାନଗିରି ନୁହେଁ ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାବାସୀ ଏହି ପୋଲାଭରମ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  । ଏନେଇ ପୂର୍ବରୁ ମାଲକାନଗିରି, କୋରାପୁଟ, ରାୟଗଡା , ନବରଙ୍ଗପୁର, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜୁ ଜନତା ଦଳ ପ୍ରତିବାଦ ଜଣାଇଥିଲା । ତେବେ ଯେ କୌଣସି ଭାବେ ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱାରାନିତ କରିବା ପାଇଁ ଆନ୍ଧ୍ର ସରକାର ଚକ୍ରାନ୍ତ କରୁଥିଲା ।