ରାଜ୍ୟ ପୈାରନିର୍ବାଚନ କୁ ନେଇ ଅନିଶ୍ଚିତତା : ସେପଟେ ଅକ୍ଟୋବରରେ ସରୁଛି ୯୧ ପୌରସଂସ୍ଥାର କାର୍ଯ୍ୟାଳୟ

65

କନକ ବ୍ୟୁରୋ : ରାଜ୍ୟରେ ପୈାର ନିର୍ବାଚନକୁ ନେଇ ଅନିଶ୍ଚତା ଦେଖାଯାଇଛି । ଅକ୍ଟୋବର ଶେଷ ସୁଦ୍ଧା ୯୧ ପୌରସଂସ୍ଥାର କାର୍ଯ୍ୟାଳୟ ସରୁଥିଲେ ବି ନିର୍ବାଚନ ହେବାର ସମ୍ଭାବନା କମ୍। ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଥିବାରୁ ପୌର ନିର୍ବାଚନ ମୁଡରେ କେହି ନାହାନ୍ତି। ନିର୍ବାଚିତ ମୁଖିଆଙ୍କ କାର୍ଯ୍ୟକାଳ ସରୁଥିବାରୁ ପ୍ରଶାସକ ନିଯୁକ୍ତି ପାଇଁ ସଚିବାଳୟରେ କସରତ୍ ଆରମ୍ଭ ହୋଇଗଲାଣି। ରାଜନୈତିକ ମହଲରେ ଏହାକୁ ନେଇ ପରିସ୍ଥିତି ଧୀରେ ଧୀରେ ସରଗରମ ହେଉଛି। ୨୦୧୩ ମସିହାରେ ସେପ୍ଟେମ୍ବର ୧୯ ତାରିଖରେ ୯୧ଟି ପୌରସଂସ୍ଥାରେ ନିର୍ବାଚନ ହୋଇଥିଲା। ତାହା ମଧ୍ୟରେ ଥିଲା ଗୋଟିଏ ମହାନଗର ନିଗମ(ବ୍ରହ୍ମପୁର), ୩୨ଟି ପୌରପାଳିକା ଓ ୫୮ଟି ଏନ୍ଏସି। ୨୦ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ତେବେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ନିର୍ବାଚିତ ପରିଷଦର ପ୍ରଥମ ବୈଠକ ଯେବେ ବସିବ, ସେବେ ଠାରୁ ପାଞ୍ଚ ବର୍ଷ ଗଣତି ହେବ। ସେହି ହିସାବରେ ଅକ୍ଟୋବର ମାସର ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହେବ। ଡିସେମ୍ବର ଓ ଜାନୁଆରିରେ ମଧ୍ୟ ଆଉ କିଛି ପୌରସଂସ୍ଥାର କାର୍ଯ୍ୟକାଳ ସରିବ।

 

ନିର୍ଦ୍ଧାରିତ ସମୟରେ ନିର୍ବାଚନ ହୋଇଥିଲେ ଅଗଷ୍ଟ ମାସରୁ ପ୍ରକ୍ରିୟା ଆରମ୍ଭ ହୋଇଥା’ନ୍ତା। କିନ୍ତୁ ସେପରି କରାଯାଇ ନାହିଁ। ପୌର ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅଡ଼ୁଆ ସୃଷ୍ଟି ହୋଇଥିବାରୁ ପ୍ରକ୍ରିୟା ଆଗେଇ ପାରିନାହିଁ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ପାଇଁ କରାଯାଉଥିବା ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ ରହିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର କରିଥିବା ସଂରକ୍ଷଣ ବ୍ୟବସ୍ଥାରେ ଏହି ପରିମାଣ ୫୦ ପ୍ରତିଶତ ଟପିଯାଇଛି। ପୂର୍ବରୁ କିଛି ପୌରସଂସ୍ଥା ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଥାଇ ନିର୍ବାଚନ କରାଯାଇଥିବାରୁ ସେହି ଅନୁଯାୟୀ ଏଥର ବି ସରକାର ପ୍ରସ୍ତୁତି କରିଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଅଡ଼ୁଆରେ ପଡ଼ିଯାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ସେଠାରେ ମାମଲା ବିଚାରାଧୀନ ଥିବାରୁ ଏ ନେଇ ସରକାରୀ ପ୍ରକ୍ରିୟା ଆଗେଇ ପାରିନାହିଁ।

 

ଅନ୍ୟପଟେ ସାଧାରଣ ନିର୍ବାଚନ ଆଗୁଆ ହେବା ନେଇ ଜୋର୍ଦାର ଚର୍ଚ୍ଚା ଚାଲିଥିବାରୁ ପୌର ନିର୍ବାଚନକୁ ଓହ୍ଲାଇବାକୁ ରାଜନୈତିକ ଦଳ ମଧ୍ୟରେ ସେତିକି ଆଗ୍ରହ ଦେଖିବାକୁ ମିଳୁନାହିଁ। ନା ଶାସକ ନା ବିରୋଧୀ କେହି ବି ପୌର ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରି ନାହାନ୍ତି। ସମସ୍ତେ ଏବେ ସାଧାରଣ ନିର୍ବାଚନ ମୁଡରେ ଅଛନ୍ତି। ପୌର ନିର୍ବାଚନ ହେଲେ ତୃଣମୂଳ ସ୍ତରରେ ଦଳରେ ବିଦ୍ରୋହ ସୃଷ୍ଟି ହେବାର ଆଶଙ୍କା ଥିବାରୁ କେହି ଯେପରି ରିସ୍କ ନେବାକୁ ପ୍ରସ୍ତୁତ ନାହାନ୍ତି। ତେବେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେଲା ପରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସରକାର ସେଠାରେ ପ୍ରଶାସକ ନିଯୁକ୍ତି କରିବେ। ସାଧାରଣତଃ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ସେହି ପାହ୍ୟାର ଅଧିକାରୀମାନଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯିବ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଉପଯୁକ୍ତ ପ୍ରଶାସକ ନିଯୁକ୍ତି ଉପରେ ଶାସକ ଦଳ ପକ୍ଷରୁ କସରତ୍ କରାଯାଉଛି। କିଛି ଅଧିକାରୀ ମଧ୍ୟ ଏ ନେଇ ଲବି ଆରମ୍ଭ କରିଦେଇଛନ୍ତି। ସଂପୃକ୍ତ ଅଞ୍ଚଳର ପ୍ରଭାବଶାଳୀ ରାଜନୈତିକ ନେତା ମଧ୍ୟ ଏହି ଲବିରେ ସହଯୋଗ କରୁଥିବା ସୂଚନା ମିଳିଛି। ଗୃହ ଓ ନଗର ଉନ୍ନୟନ ବିଭାଗ ଏ ନେଇ ଚଳଚଞ୍ଚଳ ହୋଇଛି