ମୋ ସରକାରରେ ସାମିଲ ହେଲା କୃଷି ବିଭାଗ: କୃଷି ବିଭାଗ ସଚିବ ସୌରଭ ଗର୍ଗଙ୍କ ସୂଚନା; ଚାଷୀଙ୍କ ସମସ୍ୟା ବୁଝାଯିବା ସହ ନିଆଯିବ ମତାମତ

664

କନକ ବ୍ୟୁରୋ: ମୋ ସରକାରରେ ସାମିଲ ହେଲା କୃଷି ବିଭାଗ । କୃଷି ବିଭାଗ ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି । ଚାଷୀଙ୍କ ସମସ୍ତ ସମସ୍ୟା ବୁଝାଯିବା ସହିତ ତାଙ୍କ ଠାରୁ ମତାମତ ନିଆଯିବ । ୨୦ଟି ଟାସ୍କର ଶୁଭାରମ୍ଭ ହୋଇଛି । ଚାଷୀଙ୍କ ଆୟ ଦୁଇଗୁଣ କରାଯିବା ସହ ପୋଖରୀ ଖନନ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସୌରଭ ଗର୍ଗ ।

ତେବେ ଏହି ଅବସରରେ ଲୋକସଭା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ଯେ, ମୋ ସରକାରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହେବା ଚାଷୀ ଭାଇଙ୍କର ସଶକ୍ତିକରଣ ଏକ ବରିଷ୍ଠ ପଦକ୍ଷେପ । କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ତେଣୁ ଚାଷୀଙ୍କ ଉନ୍ନତି ପାଇଁ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ନିଜେ ବ୍ୟକ୍ତିଗତ ଭାବରେ ଚାଷୀମାନଙ୍କୁ ଫୋନ କରି ସେମାନେ ପାଉଥିବା ସେବା ସଂପର୍କରେ ପଚାରି ବୁଝିବେ । ସେହିଭଳି ଯଦି ସରକାରୀ ସେବା ସଂପର୍କରେ ଚାଷୀଙ୍କ ପ୍ରତିକ୍ରିୟା ଭଲ ରହେ, ତେବେ କର୍ମଚାରୀଙ୍କୁ ପ୍ରଶଂସା ପତ୍ର ସହିତ ପ୍ରୋତ୍ସାହନ ଦିଆଯିବ ଏବଂ ନକରାତ୍ମକ ପ୍ରତିକ୍ରିୟା ସଂପର୍କରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅପରପକ୍ଷେ ଫାଇଭ-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ। ଏଥିପାଇଁ ଯୋଜନା ଓ ସଂଯୋଜନା ବିଭାଗକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । ଫାଇଭ-ଟି ଲାଗୁ ହେବା ଦ୍ୱାରା ଅଧ୍ୟାପକଙ୍କ ଉପସ୍ଥାନ ସାତ ଘଂଟା ବାଧ୍ୟତାମୂଳକ ହେବ । ଛାତ୍ରଛାତ୍ରୀଙ୍କ ବୃତ୍ତି ଲାଗି ସ୍କଲାରସିପ ପରିଷଦ ଗଠନ ହେବ । ଲ୍ୟାପଟପ ବାଂଟିବା ଲାଗି ରାଜ୍ୟସ୍ତରୀୟ ବଦଳରେ ଜିଲ୍ଲା ଓ ବ୍ଲକସ୍ତରୀୟ ମେଧାବୀ ତାଲିକା ବଛା ଯାଇ ଲ୍ୟାପଟପ ବଂଟାଯିବ । ଏସଏମଏସ ଓ ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ଫିଟବ୍ୟାକ ପଠାଇପାରିବେ । କଲେଜ ଓ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଅଧ୍ୟାପକଙ୍କୁ ରାଜ୍ୟ ତଥା ଦେଶ ବାହାରକୁ ପଠାଯିବ । ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିୟର କାଉନସେଲିଂ ସେଲକୁ ସୁଦୃଢ କରାଯିବ । ଓଡିଆ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସେବା ପରୀକ୍ଷା ବାହାର ରାଜ୍ୟରେ ଦେବା ପାଇଁ ବ୍ୟବସ୍ଥା ହେବ । ମୋ ସ୍କୁଲ ଭଳି ମୋ କଲେଜ ପ୍ରତିଷ୍ଠା ହେବ । ଏଥିରେ ପୁରୁଣା ଛାତ୍ରଛାତ୍ରୀ କଲେଜ ଲାଗି ଟଙ୍କା ଦେଇପାରିବେ ।