ଓଡ଼ିଶାବାସୀଙ୍କୁ ପ୍ରତାରଣା ଦେଇଛି କେନ୍ଦ୍ର । କୋଷ୍ଟାଲ ହାଇୱେ ପ୍ରକଳ୍ପ ନେଇ ଆନ୍ତରିକତା କମ୍, ରାଜନୀତି ବେଶୀ ।

ତେଜିଲା କେନ୍ଦ୍ରୀୟ ଅବହେଳା ରାଜନୀତି । ମୁହାଁମୁହିଁ ହେଲେ ବିଜେଡ଼ି-ବିଜେପି ।

110

କନକ ବ୍ୟୁରୋ: ପୁଣି କେନ୍ଦ୍ର ସରକାରଙ୍କୁ ବିଜେଡ଼ିର ଟାର୍ଗେଟ । ଓଡ଼ିଶାକୁ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମାଙ୍କ ପ୍ରତିକ୍ରିୟା, ଚନ୍ଦନପୁର-ରାମେଶ୍ୱର ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥର ମାନ୍ୟତା ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ପ୍ରତିଶ୍ରୁତି ଦେଇଥିଲେ ହେଲେ ତାହା ମଧ୍ୟ ଅଧୁରା ରହିଲା । ଏବଂ କୋଷ୍ଟାଲ ହାଇୱେ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେଡ଼ି । ନବକଳେବର ସମୟରେ କୋଷ୍ଟାଲ ହାଇୱେକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ରଥଯାତ୍ରା ପୂର୍ବରୁ ଟେଣ୍ଡର ହେବ , କିନ୍ତୁ ଏଯାବତ୍ ଟେଣ୍ଡର ମଧ୍ୟ ହୋଇପାରିଲା ନାହିଁ ।

କେବଳ ଏତିକି ନୁହେଁ କେନ୍ଦ୍ର ଅବହେଳାର ପୁରା ଚିଠା ଖୋଲି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡ଼ି । ୨୦୧୫ ମସିହାରେ ନବକଳେବର ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥନାରେ ବଡ଼ ବଡ଼ ହୋର୍ଡିଂରେ ଚିଲିକା ଉପରେ ବ୍ରିଜ୍ ହେବ, ଗୋପାଳପୁରରୁ ଦିଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ହେବ ବୋଲି ପ୍ରଚାର କରାଯାଉଛି । କିନ୍ତୁ ତାହା ଯେମିତି କେବଳ ହୋର୍ଡିଂରେ ରହିଯାଇଛି । ଏଭଳି କେନ୍ଦ୍ରୀୟ ଅବହେଳା କଥା ଉଠାଇ କେନ୍ଦ୍ରକୁ ନିଶାନା କରିଛନ୍ତି ବିଜେଡ଼ି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା । ଖଣିଜ ସମ୍ପଦଭରା ଓଡ଼ିଶାକୁ ସମୃଦ୍ଧ କରିବାକୁ ଚାହୁଁଛୁ କିନ୍ତୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ଓଡ଼ିଶାକୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରି ନାହିଁ ବୋଲି ଅଭିଯୋଗ କରିଛି ବିଜେଡ଼ି ।

ସେପଟେ ବିଜେପି ଏହାର ଜବାବ ରଖିଛି । ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଓଡ଼ିଶା ଅର୍ଥନୀତିର ଜୀବନରେଖା କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବାଧା ସାଜୁଛନ୍ତି । ସେମାନେ ଚାହୁଁ ନାହାନ୍ତି ରାଜ୍ୟବାସୀ ଏହାର ସୁଫଳ ପାଆନ୍ତୁ ତେଣୁ ଦୁଇ ଦୁଇ ଥର ପ୍ରକଳ୍ପ ପ୍ଲାନ୍ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜଙ୍ଗଲ ଜମି ଅନୁମତି ଦେଉନଥିବା ଅଭିଯୋଗ କରିଛି ବିଜେପି ।