ସୁପ୍ରିମ୍‌କୋର୍ଟର ରୋଷ୍ଟର ପ୍ରଣାଳୀ ଆରମ୍ଭ : ମାମଲା ଆବଣ୍ଟନ ବିବାଦ

32

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ବିଭିନ୍ନ ମାମଲାକୁ ବିଚାରପତି ଓ ଖଣ୍ଡପୀଠ ମଧ୍ୟରେ ଆବଣ୍ଟନ ହେବାକୁ ନେଇ ଉଠିଥିବା ବିବାଦର ସ୍ଥାୟୀ ସମାଧାନ ଆରମ୍ଭ ହୋଇଛି। ଆବଣ୍ଟନର ସ୍ୱଚ୍ଛତା ପାଇଁ ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଏକ ରୋଷ୍ଟର ପ୍ରଣାଳୀର ଘୋଷଣା କରିଛନ୍ତି। ଏହା ଆସନ୍ତା ୫ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ଜଣାଯାଇଛି। ଏ ସଂକ୍ରାନ୍ତ ସମସ୍ତ ତଥ୍ୟ ସୁପ୍ରିମକୋର୍ଟ ୱେବସାଇଟ୍‌ରେ ଉପଲବ୍ଧ ହେବ। ଅପରପକ୍ଷେ, ସମସ୍ତ ଜନସ୍ୱାର୍ଥ ସମ୍ବଳିତ ମାମଲାର ଶୁଣାଣିକୁ ନିଜେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର କରିବାକୁ ଥିବା ବେଳେ ଗୁରୁତ୍ୱ ଅନୁଯାୟୀ ଅନ୍ୟ ମାମଲାଗୁଡ଼ିକର ଶୁଣାଣିକୁ ବରିଷ୍ଠତା ଭିତ୍ତିରେ ଅନ୍ୟ ବିଚାରପତିମାନେ ହିଁ କରିବେ ବୋଲି ଜଣାଯାଇଛି। ପ୍ରଧାନ ବିଚାରପତିଙ୍କ ଦ୍ୱାରା ଜାରି ଏହି ୧୩ ପୃଷ୍ଠା ସମ୍ବଳିତ ନୂଆ ରୋଷ୍ଟର ପ୍ରଣାଳୀ ଅନୁଯାୟୀ, ପ୍ରଧାନ ବିଚାରପତି ଏବଂ ଅନ୍ୟ ବରିଷ୍ଠ ୧୧ ଜଣ ବିଚାରପତିଙ୍କ ନେତୃତ୍ୱରେ ମୋଟ ୧୨ଟି ଖଣ୍ଡପୀଠ ଗଠନ ସହ ସେମାନଙ୍କ ମଧ୍ୟରେ ବିଭିନ୍ନ ମାମଲାଗୁଡ଼ିକୁ ବଣ୍ଟାଯାଇଛି।

ସେଥିମଧ୍ୟରୁ ପ୍ରଧାନ ବିଚାରପତି ହିଁ ସମସ୍ତ ସ୍ୱତନ୍ତ୍ର ଯାଚିକା ପ୍ରତ୍ୟାହାର ମାମଲା ବା ସ୍ପେସାଲ ଲିଭ୍‌ ପିଟିସନ୍‌(ଏସ୍‌ଏଲ୍‌ପି) ସମେତ ଜନସ୍ୱାର୍ଥ ସମ୍ବଳିତ, ସାମାଜିକ ନ୍ୟାୟ, ନିର୍ବାଚନ, ମଧ୍ୟସ୍ଥତା(ଆର୍ବିଟ୍ରେସନ) ଏବଂ ଅପରାଧ ମାମଲାଗୁଡ଼ିକର ଶୁଣାଣି କରିବେ। ସୂଚନା ଥାଉ କି, ସୁପ୍ରିମ୍‌କୋର୍ଟରେ ଆଗତ ହେଉଥିବା ମାମଲାଗୁଡ଼ିକ ମଧ୍ୟରୁ ଉପରୋକ୍ତ ମାମଲାଗୁଡ଼ିକ ହିଁ ସିଂହଭାଗ ରହିଥାଏ। ଅପରପକ୍ଷେ, ଅନ୍ୟ ବିଚାରପତିମାନେ ଶ୍ରମ ବିବାଦ, କର, କ୍ଷତିପୂରଣ, ବନ୍ଧକ, ଉପଭୋକ୍ତା ସୁରକ୍ଷା, ସାମୁଦ୍ରିକ ଆଇନ, ଧର୍ମ ସଂକ୍ରାନ୍ତ ଆଇନ, ପରିବାର ସଂକ୍ରାନ୍ତ ଆଇନ, ଜମି ଅଧିଗ୍ରହଣ, ଚାକିରି ଓ ସେବା ଏବଂ କମ୍ପାନି ସଂକ୍ରାନ୍ତ ମାମଲାଗୁଡ଼ିକର ଶୁଣାଣି କରିବେ ବୋଲି ଏଥିରେ କୁହାଯାଇଛି।

ସୂଚନା ଥାଉ କି, ବିଭିନ୍ନ ଖଣ୍ଡପୀଠରେ ମାମଲା ଆବଣ୍ଟନରେ ଆପତ୍ତି ଉଠାଇ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ରଙ୍କ ବିରୋଧରେ ବିଚାରପତି ଜେ. ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ଏମ୍‌ବି ଲୋକୁର୍‌ ଏବଂ କୁରିଆନ୍‌ ଜୋସେଫ୍‌ ପ୍ରମୁଖ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଗତମାସ ୧୨ ତାରିଖରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିିବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ନ୍ୟାୟପାଳିକା ଉପରୁ ଲୋକଙ୍କର ଭରସା ତୁଟିଯାଉଥିବା ଆଶଙ୍କା କରାଯାଇ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରେ ଉଦ୍ୟମ ଆରମ୍ଭ ହୋଇଥିଲା। ତେବେ ନାନା ଆଲୋଚନା ପରେ ଏହି ବିବାଦର ସାମୟିକ ସମାଧାନ ହୋଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଧାନ ବିଚାରପତି ଏଭଳି ରୋଷ୍ଟର ପ୍ରଣାଳୀର ପ୍ରବର୍ତ୍ତନ ଘୋଷଣା କରିଛନ୍ତି।