ଶ୍ରୀଲଙ୍କାରେ ବଡ଼ ଆତଙ୍କୀ ହମଲା । ମୃତ୍ୟୁ ସଂଖ୍ୟା ୨୧୫କୁ ବୃଦ୍ଧି, ୪୦୦ରୁ ଉଦ୍ଧ୍ୱର୍ ଆହତ, ସହାୟତା ପାଇଁ ହାତ ବଢ଼ାଇଲା ଭାରତ ।

338

କନକ ବ୍ୟୁରୋ: ଥରିଲା ଶ୍ରୀଲଙ୍କା ଇଷ୍ଟର ପାଳନ ବେଳେ ଅମାନବୀୟ କାଣ୍ଡ ଭିଆଇଲେ ନର ରାକ୍ଷସୀ । ଆତଙ୍କୀ ବିସ୍ଫୋରଣରେ ୨୧୫ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୪୦୦ ଲୋକ ଗୁରତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୩୫ ଜଣ ବିଦେଶୀ ନାଗରିକ । ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଂଶଙ୍କା ରହିଛି ।

ରବିବାର ସକାଳେ ଇଷ୍ଟର ପାଳନ ବେଳେ ଚଳଚଂଚଳ ଥିଲା ଚର୍ଚ୍ଚ । ଲୋକ ଉତ୍ସବ ମନାଉଥିବା ବେଳେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ପ୍ରଥମେ କଲୋମ୍ବୋ କୋଚିକୋଡ ସ୍ଥିତ ସେଂଟ ଏନ୍ଥୋନୀ  ଚର୍ଚ୍ଚ, ବଟ୍ଟିକଲୋକବାରର ଏକ ଚର୍ଚ୍ଚ ଓ ନୈଗୋଁବୋର ସେବେଷ୍ଟିୟନ ଚର୍ଚ୍ଚରେ ହୋଇଥିଲା ବିସ୍ଫୋରଣ । ଏହା ସହ ୫ଟି ହୋଟେଲକୁ ମଧ୍ୟ ଟାର୍ଗେଟ କରିଥିଲେ ଆତଙ୍କବାଦୀ । କିଛି ଘଂଟା ଭିତରେ ହୋଇଥିôଲା ଲାଗ ଲାଗ ୮ଟି ବଡ଼ ବିସ୍ଫୋରଣ । ଖୁସିର ମାହୋଲରେ ଛାଇ ଯାଇଥିଲା ଦୁଃଖର କଳାବାଦଲ । କଲମ୍ବୋ ଛାତି ଉପରେ ନାଚିଥିଲା ଆତଙ୍କର ତାଣ୍ଡବ । କେହି କିଛି ବୁଝିବା ପୂର୍ବରୁ ରକ୍ତରେ ଲାଲ ହୋଇ ଯାଇଥିଲା ସମଗ୍ର ଅଂଚଳ । ସାରା ଦେଶରେ ଖେଳି ଯାଇଥିଲା ଭୟର ବାତାବରଣ । ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଥିଲା । ଚାରିଆଡେ ଖେଳି ଯାଇଥିଲା ହାହାକାର ।

ଆତଙ୍କବାଦୀ ହମଲା ପରେ ପୂରା ଶ୍ରୀଲଙ୍କାରେ କର୍ଫୁ ଜାରି କରିଛନ୍ତି ସରକାର । ଯୁଦ୍ଧକାଳିନ ଭିତିରେ ଉଦ୍ଧାର ଚାଲିଥିବା ବେଳେ ଘଟଣାସ୍ଥଳରେ ସେନା ନିୟୋଜିତ କରାଯାଇଛି । ବିସ୍ଫୋରଣ ପରେ ସମସ୍ତ ସରକାରୀ କାର୍ଯ୍ୟ ବାତିଲ କରି ଜରୁରୀ ବୈଠକ ଡାକିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ । ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା । ଦେଶର ସମସ୍ତ ସ୍କୁଲ କଲେଜକୁ ୨ ଦିନ ପାଇଁ ଛୁଟି କରିଦିଆଯାଇଛି । ଶ୍ରୀଲଙ୍କାସ୍ଥିତ ଭାରତୀୟ ଦୂତାବାସ ସହ ଯୋଗଯୋଗରେ ରହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଘଟଣାର ଦୃଢ଼ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, ଆମର ଏହି ଅଂଚଳରେ ଏଭଳି ବର୍ବର କାଣ୍ଡର ସ୍ଥାନ ନାହିଁ । ଏପରି ବିପତି ସମୟରେ ଶ୍ରୀଲଙ୍କାବାସୀଙ୍କ ସହ ଭାରତ ଶକ୍ତ ଭାବେ ଛିଡ଼ାହୋଇଛି ବୋଲି କହିଛନ୍ତି ମୋଦୀ ।