ଶ୍ରୀଦେବୀଙ୍କୁ ରାଜକୀୟ ସମ୍ମାନ ଦେବା ପଛରେ ଥିଲା କାହାର ହାତ ?

53

ବଲିଉଡର ବରିଷ୍ଠ ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନ ପରେ ତାଙ୍କ ଅନ୍ତିମ ସଂସ୍କାରରେ ଦିଆଯାଇଥିବା ରାଜକୀୟ ସମ୍ମାନକୁ ନେଇ ଏବେ ବିବାଦ ଜୋର ଧରିଛି । ଏହି ମାମଲାରେ ଏକ ଆରଟିଆଇ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ଜଣାପଡିଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀଶଙ୍କ ଆଦେଶରେ ଶ୍ରୀଦେବୀଙ୍କୁ ରାଜକୀୟ ସମ୍ମାନ ସହ ଅନ୍ତିମ ବିଦାୟ ଦିଆଯାଇଥିଲା ।

କିଛି ଲୋକ ଏହାର ବିପକ୍ଷରେ ସ୍ୱର ଉତ୍ତୋଳନ ମଧ୍ୟ କରିଥିଲେ । ଆରଟିଆଇ କାର୍ଯ୍ୟକର୍ତ୍ତା ଅନୀଲ ଗଲଗଲି ଫଡଣବୀଶଙ୍କ ସାମାନ୍ୟ ପ୍ରଶାସନ ବିଭାଗର ପ୍ରେଟୋକଲ ବିଭାଗରେ ପଚାରିବୁଝିଥିଲେ ଯେ ଶ୍ରୀଦେବୀଙ୍କୁ ରାଜକୀୟ ସମ୍ମାନ ଦେବାର ଆଦେଶ କାହା ପାଖରେ ଅଛି ? ଏହାର ଉତ୍ତରରେ ବିଭାଗ ପକ୍ଷରୁ କୁହାଯାଇଛି ଯେ କୌଣସି ବ୍ୟକ୍ତିର ଅନ୍ତିମ କ୍ରିୟାରେ ତାଙ୍କୁ କେଉଁଭଳି ସମ୍ମାନ ପ୍ରଦାନ କରିବାକୁ ହେବ ତାହା ମୁଖ୍ୟମନ୍ତ୍ରୀ ଚୟନ କରିଥାନ୍ତି । ମୃତ ବ୍ୟକ୍ତିକୁ ମିଳିଥିବା କୌଣସି ପଦ୍ମ ସମ୍ମାନ କିମ୍ବା ଅନ୍ୟ କୌଣସି ସମ୍ମାନର ଏଥିରେ ସମ୍ବନ୍ଧ ନାହିଁ । ଆରଟିଆଇ ତରଫରୁ ଶୁକ୍ରବାର ଏହାର ସୁଚନା ଦିଆଯାଇଥିଲା ।

ଆରଟିଆଇର ଉତ୍ତର ପଢୁଥିବାବେଳେ ଗଲଗଲି କହିଥିଲେ ଶ୍ରୀଦେବୀଙ୍କ ନାଁରେ ଲୋକପ୍ରିୟ ଅଭିନେତ୍ରୀ ଅମ୍ମା ୟାଙ୍ଗର ଅଥ୍ୟପ୍ପନଙ୍କ ଅନ୍ତିମ ସଂସ୍କାରକୁ ରାଜକୀୟ ସମ୍ମାନର ସହ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୫ ଫେବୃୟାରୀ ୨୦୧୮ ଆଦେଶ ମିଳିଥିଲା । ଯାହା ମୁମ୍ବାଇ ଉପନଗର ଜିଲ୍ଲା ଅଧିକାରୀ ଏବଂ ମୁମ୍ବାଇ ପୋଲିସ ମହାନିର୍ଦ୍ଦେଶକଙ୍କୁ କୁହାଯାଇଥିଲା । ଅନ୍ୟ ପକ୍ଷରେ ପଦ୍ମଶ୍ରୀ ପୁରଷ୍କାର ପ୍ରାପ୍ତ କରିଥିବାରୁ ଶ୍ରୀଦେବୀଙ୍କୁ ରାଜକୀୟ ସମ୍ମାନର ବିଦାୟ ଦିଆଯିବା କଥା ସେ ସ୍ୱୀକାର କରିଥିଲେ । ଆରଟିଆଇରୁ ଜଣାପଡିଛି, ୨୨ ଜୁନ ୨୦୧୨ ରୁ ୨୦୧୮ ମଧ୍ୟରେ ଶ୍ରୀଦେବୀଙ୍କ ସମେତ ଅନ୍ୟ ୪୦ ଜଣ ପଦ୍ମଶ୍ରୀ ପୁରଷ୍କୃତ ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଅନ୍ତିମ ଯାତ୍ରା ରାଜକୀୟ ସମ୍ମାନର ସହ ସମ୍ପନ୍ନ ହୋଇଛି ।

କିଛି ଦିନ ପୂର୍ବରୁ ରାଜ ଠାକରେ ପ୍ରଶ୍ନ ଉଠାଇଥିଲେ ଯେ ଶ୍ରୀଦେବୀଙ୍କୁ କାହିଁକି ରାଜକୀୟ ସମ୍ମାନ ଦିଆଗଲା । ମଦ୍ୟପାନ କରି ବାଥଟବରେ ମୃତ୍ୟୁବରଣ କରିଥବା ଜଣେ ମହିଳାଙ୍କୁ କେଉଁଭଳି ପରିସ୍ଥିତିରେ ଏବଂ କିଏ ସମ୍ମାନ ଦେଲା ବୋଲି ସେ ପ୍ରଶ୍ନ କରିଥିଲେ ।