ରାଷ୍ଟ୍ରପତି ସିରିସେନାଙ୍କୁ ବଡ ଝଟକା ଦେଲେ ଶ୍ରୀଲଙ୍କା ସୁପ୍ରିମକୋର୍ଟ । ସିରିସେନାଙ୍କ ସଂସଦ ଭଙ୍ଗ କରିବା ନିଷ୍ପତିକୁ ବଦଳାଇଦେଲେ

96

ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କୁ ବରଖାସ୍ତ ଓ ସଂସଦକୁ ଭାଙ୍ଗିଦେବାକୁ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଦେଇଥିବା ନିର୍ଦ୍ଦେଶକୁ ବେଆଇନ ଘୋଷଣା କରିଛନ୍ତି ଶ୍ରୀଲଙ୍କାର ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଲନିନ ପରେରାଙ୍କ ଅଧ୍ୟକ୍ଷତାରେ ଥିବା ତିନିଜଣିଆ ବେଞ୍ଚ ଏହି ରାୟ ଶୁଣାଇଛନ୍ତି ।

ରାଷ୍ଟ୍ରପତି ସିରିସେନାଙ୍କ ଏହି ନିଷ୍ପତ୍ତି ବିରୋଧରେ ବିକ୍ରମସିଂଘେସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବାବେଳେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଗତ ଅକ୍ଟୋବର ୨୬ରେ ରାଷ୍ଟ୍ରପତି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିବାସହ ବିବାଦୀୟ ଭାବେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ । ଏହାକୁ ନେଇ ଦେଶରେ ସାମ୍ବିଧାନିକ ସଂକଟ ଦେଖାଦେଇଥିଲା । ବହୁମତ ସାବ୍ୟସ୍ତ ନ କରିବା ପର‌୍ୟ୍ୟନ୍ତ ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ମାନିବାକୁ ବାଚସ୍ପତି ମନା କରିଦେଇଥିଲେ । ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ସ୍ଥିତିରେ ନାଟକୀୟ ମୋଡ ଆସିଛି ।

ସଂସଦର କାର୍ଯ୍ୟକାଳ ପୂରିବାକୁ ଆହୁରି ୨୦ ମାସ ବାକି ଥିବା ବେଳେ ଏହାକୁ ଭଙ୍ଗ କରଥିଲେ ରାଷ୍ଟ୍ରପତି ସିରିସେନା । ଏପରିକି ଆଗାମୀ ବର୍ଷ ଜାନୁଆରୀ ୫ ତାରିଖରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ କରିବାକୁ ମଧ୍ୟ ଘୋଷଣା କରିଥିଲେ ।