ନୂଆବର୍ଷରେ ଶ୍ରୀଲଙ୍କା ଓ ବାଂଲାଦେଶ କ୍ରିକେଟ ଟିମକୁ ବଡ ଝଟକା । ଟି-୨୦ ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିପାରିଲେନି ଉଭୟ ଦଳ

353

ନୂଆବର୍ଷ ୨୦୧୯ର ପ୍ରଥମ ଦିନରେ ଶ୍ରୀଲଙ୍କା ଓ ବାଂଲାଦେଶ କ୍ରିକେଟ ଟିମକୁ ଲାଗିଛି ବଡ ଝଟକା । ଆଗାମୀ ବର୍ଷ ହେବାକୁ ଥିବା ପୁରୁଷ ଟି-୨୦ ବିଶ୍ୱକପର ସୁପର-୧୨ ଟିମ ମଧ୍ୟରେ ସ୍ଥାନ ବଜାୟ ରଖିବା ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି ଉଭୟ ଦଳ । ଅଥାର୍ତ ୨୦୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ହେଲେ ଏହି ଦୁଇ ଟିମକୁ ଅନ୍ୟ ଟିମ ସହ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଖେଳିବା ସହ କ୍ୱାଲିଫାଏ କରିବାକୁ ପଡିବ । ଟି-୨୦ ବିଶ୍ୱକପର ସୁପର-୧୨ରେ ସିଧାସଳଖ ଯୋଗ୍ୟତା ହାସଲ କରି ସ୍ଥାନ ପାଇଥିବା ଟିମ ଗୁଡିକର ତାଲିକା ପ୍ରକାଶ କରିଛି ଆଇସିସି । ୨୦୧୮ ଡିସେମ୍ବର ୩୧ ସୁଦ୍ଧା ଟି-୨୦ ର‌୍ୟାକିଂର ଟପ୍-୮ରେ ଥିବା ଟିମ୍ ସିଧାସଳଖ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ବେଳେ ଶ୍ରୀଲଙ୍କା ଓ ବାଂଲାଦେଶ ଏହି ତାଲିକାରୁ ବାଦ ପଡିଛନ୍ତି ।


ଆଇସିସି ଟ୍ୱିଟ୍ ଯୋଗେ ଏହି ସୂଚନା ଦେବା ପରେ ଶ୍ରୀଲଙ୍କା ଓ ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିବାକୁ ଅନ୍ୟ ୬ଟି ଟିମ ସହ କ୍ୱାଲିଫାଏର ମ୍ୟାଚ୍ ଖେଳିବାକୁ ପଡିବ । ଏହି ଯୋଗ୍ୟତା ପଯ୍ୟାୟ ମ୍ୟାଚ୍ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଖେଳାଯିବ । ଯାହା ଅଷ୍ଟ୍ରେଲିଆରେ ଖେଳାଯିବ । ଆଇସିସି ନିୟମ ଅନୁଯାୟୀ, ଟପ-୮ରେ ଥିବା ଦଳ ଗୁଡିକ ସିଧାସଳଖ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ଅନ୍ୟ ୪ଟି ସ୍ଥାନ ପାଇଁ ବାକି ଦଳ ଗୁଡିକ କ୍ୱାଲିଫାଏର ମ୍ୟାଚ୍ ଖେଳିବେ ।

ବିଶ୍ୱକପ ଖେଳିବାକୁ ସିଧାସଳଖ ଯୋଗ୍ୟତା ହାସଲ କରିନଥିବା ଶ୍ରୀଲଙ୍କା ଦଳର ଅଧିନାୟକ ଲାସିଥ ମାଲିଙ୍ଗା କହିଛନ୍ତି, ୨୦୧୪ ବିଶ୍ୱକପର ଚାମ୍ପିୟନ ଶ୍ରୀଲଙ୍କା ସୁପର-୧୨କୁ ସିଧାସଳଖ ଯୋଗ୍ୟତା ହାସଲ କରିବାରେ ଅସଫଳ ହୋଇଛି । କିନ୍ତୁ ବିଶ୍ୱକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ହାସଲ କରିବା ସହ ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟ ରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି ମାଲିଙ୍ଗା ।

ସେହିଭଳି ବାଂଲାଦେଶ ଅଧିନାୟକ ସକିବ ଅଲ ହାସନ କହିଛନ୍ତି, ଏବେ ଦଳ ଯେଉଁଭଳି ପ୍ରଦର୍ଶନ କରୁଛି ସେଥିରେ ଖେଳାଳି ମାନଙ୍କ ମଧ୍ୟରେ ବିଶ୍ୱାସ ବଢିଛି । ତେବେ ଟୁର୍ଣ୍ଣାମଣ୍ଟେରେ ଆମ ଦଳ ପ୍ରଦର୍ଶନ କରିବ । ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଆହୁରି ଅନେକ ସମୟ ଅଛି । ଆଉ ଏହି ସମୟ ମଧ୍ୟରେ ଆମେ ଦମଦାର ପ୍ରଦର୍ଶନ ସହ କମବ୍ୟାକ କରିବୁ ବୋଲି ସେ ଆଶାବାଦୀ ଅଛନ୍ତି । ଏପରିକି ଚାମ୍ପିୟନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ଜିତିବା ପରେ ଦଳର ମନୋବଳ ବୃଦ୍ଧି ପାଇଛି ବୋଲି କହିଛନ୍ତି ସାକିବ ।