ଚର୍ଚ୍ଚାରେ ନବୀନଙ୍କ ଯୁବ ମନ୍ତ୍ରୀ, ସଚିବାଳୟ କ୍ୟାଣ୍ଟିନରେ କର୍ମଚାରୀଙ୍କ ସହ ମିଶି କଲେ ମଧ୍ୟାହ୍ନ ଭୋଜନ । କର୍ମଚାରୀ କହିଲେ, ମନ୍ତ୍ରୀ ହେବ ତ ତୁଷାରଙ୍କ ଭଳି ।

828

କନକ ବ୍ୟୁରୋ : ନବୀନ ସରକାରଙ୍କ ପଞ୍ଚମ ପାଳିର  ଯୁବ ମନ୍ତ୍ରୀଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତୁଷାରକାନ୍ତି ବେହେରା । ନବୀନଙ୍କ ଟିମର ଯୁବ ଯୋଦ୍ଧାଙ୍କ ମଧ୍ୟରୁ ଜଣେ । ବିଜେଡି ଟିକେଟରେ ନିର୍ବାର୍ଚନ ଲଢିବା ଠାରୁ ଆରମ୍ଭ କରି ମନ୍ତ୍ରୀ ପଦ ପାଇବା ପର୍ଯ୍ୟନ୍ତ ଚର୍ଚ୍ଚାର ଶିରୋନାମାରେ ରହିଥିଲେ ତୁଷାର । ଆଉ ଏବେ ସଚିବାଳୟ କ୍ୟାଣ୍ଟିନରେ ଖାଇବା ସହ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଟାଣି ହୋଇଆସିଛନ୍ତି ତୁଷାର ।

ତୁଷାରକାନ୍ତି ବେହେରା । ରାଜ୍ୟର କ୍ରୀଡା ଓ ଆଇଟି ବିଭାଗର ମନ୍ତ୍ରୀ । କିନ୍ତୁ ସାଧାରଣ ମନ୍ତ୍ରୀଙ୍କ ଠାରୁ ସେ ଟିକିଏ ଭିନ୍ନ । କାରଣ ମନ୍ତ୍ରୀ ପଦ ପାଇବା ପରେ ନେତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥାଏ । ଖାତିର ବଢିଯାଏଥାଏ, ଗର୍ବ ମଧ୍ୟ ବଢି ଯାଏଥାଏ । ଏମାନଙ୍କୁ ଭେଟିବା ସାତ ସପନ ପାଲଟିଯାଏ ସାଧାରଣ ଲୋକଟିଏ ପାଇଁ । ବିଭିନ୍ନ ଆଳ ଦେଖାଇ ସାଧାରଣ ଲୋକଙ୍କୁ ଧରାଛୁଆଁ ଦିଅନ୍ତି ନାହିଁ ମନ୍ତ୍ରୀ । କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ପାଲଟିଛନ୍ତି ତୁଷାରକାନ୍ତି ।

ଗତକାଲି ତୁଷାରକାନ୍ତିଙ୍କୁ ସଚିବାଳୟର କ୍ୟାଣ୍ଟିନରେ ଦେଖିବାକୁ ମିଳିଥିଲା । ଆଉ ମନ୍ତ୍ରୀଙ୍କୁ କ୍ୟାଣ୍ଟିନରେ ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ କର୍ମଚାରୀ । ମନ୍ତ୍ରୀଙ୍କୁ କ୍ୟାଣ୍ଟିନରେ ଦେଖି କର୍ମଚାରୀ ମାନେ ଏଭଳି ଆଶ୍ଚର୍ଯ୍ୟ ହେବା ପଛରେ ମଧ୍ୟ ବଡ କାରଣ ରହିଛି । ସାଧାରଣତଃ ସଚିବାଳୟ କ୍ୟାଣ୍ଟିନକୁ କିଛି କର୍ମଚାରୀଙ୍କୁ ନିୟମିତ ରୂପେ ଖାଇବାକୁ ଆସିଥାନ୍ତି । କୌଣସି ମନ୍ତ୍ରୀ କିମ୍ବା ସଚିବଙ୍କ ଏଠାରେ କେବେ ପାଦ ପଡେନାହିଁ । କିନ୍ତୁ ତୁଷାର ସଚିବାଳୟ କ୍ୟାଣ୍ଟିନରେ ପହଞ୍ଚି ସିଧାସଳଖ ଖାଇବା ଟେବୁଲରେ ବସିଥିଲେ । ଆଉ ସଚିବାଳୟ କ୍ୟାଣ୍ଟିନରୁ ଖାଇବା ମଗାଇ କର୍ମଚାରୀଙ୍କ ସହ ଖାଇଥିଲେ । ଯାହା ସେଠାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏନେଇ ନିଜ ପ୍ରତିକ୍ରିୟାରେ ତୁଷାର କହିଛନ୍ତି, ସଚିବାଳୟ କ୍ୟାଣ୍ଟିନରେ ଖାଇବାକୁ ଇଚ୍ଛା ଥିଲା ଖାଇଲି । ତୁଷାରଙ୍କ ଏଭଳି ପ୍ରୟାସକୁ ଏବେ ଚାରିଆଡୁ ପ୍ରଂଶସା କରାଯାଉଛି । ଗତ କିଛି ଦିନ ତଳେ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନବୀନ । ସାଧାରଣ ଜୀବନ ଯାପନ କରିବା ସହ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ସମସ୍ୟାର ସମାଧାନ କରିବାକୁ କହିଥିଲେ ନବୀନ । ଆଉ ଏହି ଫର୍ମୁଲାକୁ ଏବେ ଆପଣାଇ ନେଇଛନ୍ତି ତୁଷାର ।