କନକ ବ୍ୟୁରୋ: କଟକ ବକ୍ସିବଜାର ଅଞ୍ଚଳରେ ରୁହନ୍ତି ରବି ନାରାୟଣ ସିଂହ । ସେ ଜଣେ ଭନ୍ନକ୍ଷମ ଯୁବକ । ପେଶାରେ ଜଣେ ଅଟୋ ଡ୍ରାଇଭର । ଦିନ ସାରା ଅଟୋ ଚଲାଇ ନାରାୟଣ ଯାହା ଟଙ୍କା ରୋଜଗାର କରନ୍ତି, ସେଇଥିରେ ହିଁ ତାଙ୍କ ପୂରା ପରିବାର ଚଳନ୍ତି । ଆଉ ଯେଉଁ ଦିନ ଭଡା କିଛି ନମିଳେ ସେ ଦିନ ନାରାୟଣଙ୍କ ଘରେ ଚୁଲି ଜଳେ ନାହିଁ । ତେବେ ଅଟୋ ଚଲାଇ ନିଜ ଗୁଜୁରାଣ ମେଂଟାଉଥିବା ନାରାୟଣଙ୍କ ମୁଣ୍ଡରେ ଏବେ ଚଡକ ପଡିଯାଇଛି । କାହିଁକି ନା ନୂଆ ମୋଟର ଯାନ ଆଇନ ଅନୁସାରେ ନାରାୟଣ ଆଉ ଏବେ ଅଟୋ ଚଲାଇପାରିବେ ନାହିଁ । ନାରାୟଣଙ୍କ ଡାହାଣ ହାତ କଟି ଯାଇ ଥିବାରୁ ତାଙ୍କୁ ଅଟୋ ଚଳାଇବାକୁ ଆଉ ସରକାର ଅନୁମତି ଦେବେକି ନାହିଁ, ସେ ନେଇ ଏବେ ଦ୍ୱନ୍ଦରେ ପଡିଯାଇଛନ୍ତି ନାରାୟଣ ।
ଗତ ୨୬ ବର୍ଷତଳେ ରଥଯାତ୍ରା ଦେଖିବାକୁ ପୁରୀ ଯାଉଥିବା ବେଳେ ଟ୍ରେନରୁ ଖସିପଡି ନାରାୟଣଙ୍କ ଡାହାଣ ହାତଟି କଟି ଯାଇଥିଲା । ଏହାପରେ ସେ ଇଲେକ୍ଟଟ୍ରି କାମକରି ଘରର ଭରଣ ପୋଷଣ କରୁଥିବା ବେଳେ ୩ ବର୍ଷତଳେ ଗୋଟିଏ ପୁରୁଣା ଅଟୋ କିଣି ପରିବାର ପାଳୁଛନ୍ତି । ଏଥିରୁ ଯାହା ଦୁଇପଇସା ମିଳୁଛି ସେଥିରେ ସେ ନିଜର ବୁଢିମା ଆଉ ଘରସଂସାର ସୁଖେ ଦୁଃଖେ ଚଳାଉ ନେଉଛନ୍ତି । ହେଲେ ନୂଆ ମୋଟର ଯାନ ଆଇନ ବର୍ତ୍ତମାନ ନାରାୟଣଙ୍କ ନିଦ ସବୁ ହଜାଇଦେଇଛି । କାରଣ ନୂଆ ଆଇନରେ ଏବେ ସେ ଆଉ ଅଟୋ ଚଲାଇପାରିବେ କି ନାହିଁ ଚିନ୍ତାରେ ପଡିଯାଇଛନ୍ତି ।
ତେବେ ନାରାୟଣ ଜଣେ ଭଲ ଅଟୋଚାଳକ ହୋଇଥିବାରୁ ତାଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଦିଆଯିବା ଦରକାର ବୋଲି କହିଛନ୍ତି ଲୋକେ । ଏବଂ ନାରାୟଣ ମଧ୍ୟ ତାଙ୍କୁ ଅଟୋ ଚଲାଇବାକୁ ଦିଆଯାଉ ବୋଲି ଦାବି କରଛନ୍ତି ।