ବିଶ୍ୱ ତମାଖୁ ଦିବସ : ତମାଖୁ ଛାଡନ୍ତୁ ଜୀବନ ବଂଚାନ୍ତୁ

193

ବର୍ତ୍ତମାନ ତମାଖୁ ସେବନ ତଥା ଧୂମପାନ ସମଗ୍ର ପୃଥିବୀରେ ମୃତ୍ୟୁର ଏକ ପ୍ରମୁଖକାରଣ ହୋଇଛି ଯାହାକୁ କି ସଂପୂର୍ଣ୍ଣ ଭାବରେ ପ୍ରତିରୋଧ ତଥା ପ୍ରତିହତ କରାଯିବା କେବଳ ନିଜ ଉପରେ ହିିଁ ନିର୍ଭର କରିଥାଏ । ଆପଣ ଜାଣିଲେ ଚକିତ ହେବେ କି ଏହି କାରଣରୁ ବିଶ୍ୱର ଅଧିକାଂଶ ବ୍ୟକ୍ତି ଅକାଳରେ ମୃତ୍ୟୁବରଣ କରିଥା’ନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଗବେଷଣାରୁ ଜଣାପଡିଛି କି, ଏହାଦ୍ୱାରା ବିଶ୍ୱରେ ବର୍ଷକୁ ପାଖାପାଖି ୫୦-୬୦ ଲକ୍ଷ ଲୋକ ଏବଂ ଭାରତରେ ପ୍ରାୟ ୯-୧୦ ଲକ୍ଷ ଲୋକ ମୃତ୍ୟୁବରଣ କରିଥା’ନ୍ତି। ଖାଲି ସେତିକି ନୁହେଁ କ୍ରମାଗତ ଧୂମପାନ ଦ୍ୱାରା ବ୍ୟକ୍ତିର ବୟସ ମଧ୍ୟ ହ୍ରାସ ପାଇଥାଏ ।

ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି ‘‘ପରୋକ୍ଷ ଧୂମପାନ’’। ସାଧାରଣତଃ ଧୂମପାନ କରୁଥିବା ବ୍ୟକ୍ତିର ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ନିଶ୍ୱାସ-ପ୍ରଶ୍ୱାସ ମାଧ୍ୟମରେ ଏହାର ଧୂଆଁ ଶରୀର ଭିତରକୁ ପ୍ରବେଶ କରି ତାକୁ ପ୍ରଭାବିତ କରିଥାଏ ।

ତେବେ ଏହା ସମୟ ସାପେକ୍ଷ । ଯଦି ଜଣେ ତମାଖୁ ବର୍ଜନ କରେ ତେବେ ସମୟକ୍ରମେ କର୍କଟରୋଗ ଭଳି ଏକ ବଡ଼ ସମସ୍ୟା ସବୁଦିନ ପାଇଁ ଦୂର ହୋଇ ଯାଇଥାଏ । ତେଣୁ ତମାଖୁ ବର୍ଜନ ସର୍ବଦା ଗ୍ରହଣୀୟ । ଖୁସିର କଥା ଯେ, ସରକାରୀ ସ୍ତରରେ ତମାଖୁ ବର୍ଜନ ନିମନ୍ତେ ପ୍ରୋତ୍ସାହିତ କରାଯାଉଛି । ସର୍ବପ୍ରଥମେ ୧୯୭୫ ମସିହାରେ ପ୍ରଣୀତ ଏକ ଆଇନ ଦ୍ୱାରା ସିଗାରେଟ୍, ବିଡ଼ି ପ୍ୟାକେଟ୍ ଉପରେ ବୈଧାନିକ ସତର୍କତା ଉଲ୍ଲେଖ କରାଯିବା ବାଧ୍ୟତାମୂଳକ କରାଗଲା ।

୨୦୦୪ରେ ଅନ୍ୟ ଏକ ସରକାରୀ ଆଇନ ଦ୍ୱାରା ସମଗ୍ର ତମାଖୁ ଜାତୀୟ ଦ୍ରବ୍ୟ ଉପରେ ବୈଧାନିକ ସତର୍କତା ବାଧ୍ୟତାମୂଳକ କରାଗଲା ଏବଂ ଶିକ୍ଷାନୁଷ୍ଠାନ ନିକଟରେ ଏ ସବୁର ବିକ୍ରି ନିଷେଧ କରାଗଲା । ୨୦୦୮ ମସିହାରେ ସର୍ବସାଧାରଣରେ ଧୂମପାନକୁ ନିଷିଦ୍ଧ କରାଗଲା। ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ତମାଖୁ ବିଜ୍ଞାପନକୁ ସଂପୂର୍ଣ୍ଣ ଭାବେ ବାରଣ କରାଗଲା । ନିକଟରେ କେନ୍ଦ୍ର ସରକାର ସିନେମା ହଲମାନଙ୍କରେ ଚଳଚ୍ଚିତ୍ର ଆରମ୍ଭ ପୂର୍ବରୁ ତମାଖୁ ସେବନ ଜନିତ ସ୍ୱାସ୍ଥ୍ୟହାନି ଓ କର୍କଟରୋଗର ସଚେତନତା ବିଜ୍ଞାପନ ପ୍ରଦର୍ଶନ କରାଉଛନ୍ତି । ତେଣୁ ତମାଖୁ ସେବନର ଭୟାବହତାକୁ ହୃଦୟଙ୍ଗମ କରି ଏକ ନୂତନ ନିରୋଗ ଜୀବନ ଯାପନ କରିବାକୁ ଆମର ଅନୁରୋଧ ।