ଚଳିତ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଗୋଲାପୀ ରଙ୍ଗର କାହିଁକି ?

30

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ସଂସଦରେ ବର୍ଷ ୨୦୧୭-୧୮ର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିଛନ୍ତି । ତେବେ ପ୍ରତି ବଜେଟ୍ ଅଧିବେଶନରେ ଏହା ଏକ ସ୍ୱାଭାବିତ ଘଟଣା । ଭାରତର ଅର୍ଥମନ୍ତ୍ରୀ ପ୍ରତି ବର୍ଷ ସାଧାରଣ ବଜେଟ ଆଗତ ହେବା ପୂର୍ବରୁ ସଂସଦରେ ଆର୍ଥିକ ସର୍ଭେ ରିପୋର୍ଟ ଆଗତ କରନ୍ତି । ଏହା ଉକ୍ତ ଆର୍ଥିକ ବର୍ଷରେ ଅର୍ଥନୀତିର ସାମଗ୍ରୀକ ଅବସ୍ଥାର ଏକ ରୂପରେଖ ପ୍ରଦାନ କରିବା ସହ ନୂଆ ଆର୍ଥିକ ବର୍ଷରେ ଅର୍ଥନୀତି କିପରି ରହିବ ତାହାର ଏକ ସଂକ୍ଷିପ୍ତ ପୂର୍ବାନୁମାନ କରିଥାଏ । କିନ୍ତୁ ଏବର୍ଷର ସର୍ଭେକୁ କାହିଁକି ସ୍ୱତନ୍ତ୍ର ବୋଲି କୁହାଯାଉଛି ।

ଏହାର କାରଣ ହେଉଛି ଏବର୍ଷ ସର୍ଭେ ପୁସ୍ତିକାଟିର ରଙ୍ଗ ଗୋଲାପୀ ରହିଛି । ଦେଶରେ ଲିଙ୍ଗଗତ ସମାନତା ଉପରେ ସରକାରଙ୍କ ଗୁରୁତ୍ୱକୁ ଦର୍ଶାଇବାକୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ସର୍ଭେ ରିପୋର୍ଟରେ ଅଧିକାଂଶ ଟେବୁଲ ଓ ଗ୍ରାଫ ମଧ୍ୟ ଗୋଲାପୀ ରଙ୍ଗର କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଭାରତରେ ନାରୀ ପୁରୁଷ ସମାନତା କ୍ଷେତ୍ରରେ ଉନ୍ନତି ଆସିଛି । ନିଯୁକ୍ତି ଓ କର୍ମସଂସ୍ଥାନ କ୍ଷେତ୍ରରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକ ଭାରତର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତମ ଲିଙ୍ଗଗତ ସମାନତା ରହିଛି । ତେବେ ନାରୀଙ୍କୁ ପୁରଷଙ୍କ ସମକକ୍ଷ କରିବାରେ ଭାରତକୁ ଆହୁରି ଅନେକ ଦୂର ଯିବାକୁ ହେବ ବୋଲି ଏଥିରେ କୁହାଯାଇଛି । ଏବେ ମଧ୍ୟ ପରିବାରରେ ଝିଅ ଅପେକ୍ଷା ପୁଅଙ୍କ ଅଧିକ ପ୍ରାଧାନ୍ୟ ରହିଛି । ନିଯୁକ୍ତି କ୍ଷେତ୍ରରେ ମଧ୍ୟ ପୁଅଙ୍କୁ ପ୍ରାଧାନ୍ୟ ଦିଆଯାଉଛି ।

ତେବେ ଦେଶରେ ଲିଙ୍ଗଗତ ସମାନତା ଆଣିବାକୁ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ଯଥା ବେଟି ବଚାଓ ବେଟି ପଢାଓ, ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରସବ କାଳୀନ ଛୁଟି ଆଦି ବେଶ ସକାରାତ୍ମକ ପଦକ୍ଷେପ ବୋଲି ରିପୋର୍ଟରେ କୁହାଯାଇଛି ।