ଓଡିଶା ଚଲାଇବ ସୌଖୀନ ଟ୍ରେନ ! ପର୍ଯ୍ୟଟନ ସ୍ଥଳୀକୁ ଯୋଡିବ ଏହି ଟ୍ରେନ୍, କୋଚ୍ ଯୋଗାଇବ ଭାରତୀୟ ରେଳ ବିଭାଗ, ଇଂଟେରିଅର ଡିଜାଇନ କରିବେ ରାଜ୍ୟ ସରକାର ।

96

କନକ ବ୍ୟୁରୋ : ରାଜ୍ୟର ବିକାଶ ପାଇଁ ସରକାରଙ୍କର ଏକ ବଡ ପଦକ୍ଷେପ । ଓଡିଶା ଚଲାଇବ ସୌଖୀନ ଟ୍ରେନ୍ । ଏହି ଟ୍ରେନ ମାଧ୍ୟମରେ ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀକୁ ପ୍ରୋତ୍ସାହିତ କରିବେ ଓଡିଶା ସରକାର । ଆଉ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ମଧ୍ୟ ସୂଚନା ରହିଛି ।

ଓଡିଶା ଚଲାଇବ ସୌଖୀନ୍ ଟ୍ରେନ୍, ଏକମାତ୍ର ରାଜ୍ୟଭାବେ କରିଛି ଆବେଦନ । ରାଜ୍ୟକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦେକ୍ଷପ । ଓଡିଶା ସରକାର ଖୁବ୍ ଶୀଘ୍ର ଚଲାଇବେ ନିଜସ୍ୱ ସୌଖୀନ ଟ୍ରେନ୍ । ମହାରାଜା ଏକ୍ସପ୍ରେସ୍, ପ୍ୟାଲେସ୍ ଅନ୍ ହ୍ୱିଲ୍ସ ଭଳି ଏକ ସୌଖୀନ ଟ୍ରେନରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପ୍ରୋତ୍ସାହିତ କରିବେ ଓଡିଶା ସରକାର । ଏ ଦିଗରେ ପଦକ୍ଷେପ ନେଇଛି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି । ଫଳରେ ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟସହ ଓଡିଶାର ନାଁ ମଧ୍ୟ ସାମିଲ ହେବ । ଓଡିଶାର ପ୍ରସ୍ତାବିତ ସୌଖୀନ ଟ୍ରେନରେ ପୁରୀ, ଭୁବନେଶ୍ୱର, କଟକ ଓ କୋଣାର୍କ ଭଳି ପର୍ଯ୍ୟଟନ ସ୍ଥଳକୁ ପ୍ରଦର୍ଶନ କରାଯିବ ।

ରେଳ ମନ୍ତ୍ରାଳୟ ଚଳିତ ବର୍ଷ ଫେବ୍ରୁଆରୀରେ ୧୫ଟି ରାଜ୍ୟ ନିକଟରୁ ନିଜସ୍ୱ ସୌଖୀନ ଟ୍ରେନ୍ ଚଳାଚଳ ପାଇଁ ଆବେଦନ ଆହ୍ୱାନ କରିଥିଲା । ତେବେ ଏକମାତ୍ର ରାଜ୍ୟଭାବେ ଓଡିଶା ଏଥିପ୍ରତି ଆଗ୍ରହ ଦେଖାଇଥିବା ବେଳେ ଓଟିଡିସି ଏହି ଟ୍ରେନ୍ ଚଲାଇବା ନେଇ ଆବେଦନ କରିଛି । ଓଡିଶାର ପ୍ରସ୍ତାବିତ ଐତିହ ଟ୍ରେନ୍ ପାଇଁ ରେଳବାଇ ଶସ୍ତାରେ କୋଚ୍ ଯୋଗାଇଦେବ । ଏବଂ କୋଚର ଆଭ୍ୟନ୍ତରୀଣ ଡିଜାଇନ୍, ଆତିଥ୍ୟସେବା ସହ କେଉଁ ରୁଟରେ ଏହା ଚଳାଚଳ କରିବ ସେନେଇ ରାଜ୍ୟ ସରକାର ନିଷ୍ପତି ନେବେ ।

ପୂର୍ବରୁ ରାଜସ୍ଥାନ ସରକାରଙ୍କ ଦ୍ୱାରା ପ୍ୟାଲେସ୍ ଅନ୍ ହ୍ୱିଲସ୍ ଓ ହେରିଟେଜ୍ ପ୍ୟାଲେସ୍ ଅନ୍ ହ୍ୱିଲସ୍, ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଡେକାନ୍ ଓଡେଶୀ, କର୍ଣ୍ଣାଟକରେ ଗୋଲ୍ଡେନ୍ ଚାରିଅଟ୍ ଚାଲୁଥିବା ବେଳେ ଓଡିଶାର ପ୍ରସ୍ତାବିତ ଏହି ସୌଖୀନ ଟ୍ରେନର ନାଁ ଏବେ ଯାଏଁ ସ୍ଥିର ହୋଇନି । ଅନ୍ୟପକ୍ଷରେ ଏହି ସୌଖୀନ ଟ୍ରେନ୍ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯୋଡିବା ଦ୍ୱାରା ଏହି ସବୁ ସ୍ଥାନରେ ଦେଶର ବିଭିନ୍ନ୍ ଭାଗର ପର୍ଯ୍ୟଟକଙ୍କ ଭିଡ ବଢିବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ବୋଲି ଅନୁମାନ କରାଯାଉଛି । ଯାହାଫଳରେ ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ବିଶ୍ୱ ଦରବାରରେ ଅଧିକରୁ ଅଧିକ ଆଦୃତ ହୋଇପାରିବ ।