ବଜାରକୁ ଆସୁଛି ୫୦୦ ଟଙ୍କିଆ ୪ଜି ସ୍ମାର୍ଟଫୋନ୍ ! ୬୦ ଟଙ୍କାରେ ମାସିକିଆ ପ୍ଲାନ୍

37

ସ୍ମାର୍ଟଫୋନ୍ କିଣିବାର ସାମର୍ଥ୍ୟ ନଥିବାରୁ ଫିଚର୍ ଫୋନ୍ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଲୋକମାନଙ୍କ ଖୁସି ଖବର । ସେମାନେ ନିକଟ ଭବିଷ୍ୟତରେ ୫୦୦ ଟଙ୍କାରେ କିଣିପାରିବେ ୪ଜି ସ୍ମାର୍ଟଫୋନ୍ । କେବଳ ଫୋନ୍ ନୁହେଁ, ମାସିକିଆ ପ୍ଲାନ୍ ମଧ୍ୟ ବହୁତ ଶସ୍ତାରେ ମିଳିବ । ଜିଓ ଆସିବା ପରେ ପ୍ରଭାବିତ ହୋଇଥିବା ବଡ଼ ଟେଲିକମ୍ କଂପାନିଗୁଡ଼ିକ ୫୦୦ ଟଙ୍କିଆ ସ୍ମାର୍ଟଫୋନ୍ ଆଣିବା ଯୋଜନା ଉପରେ କାମ କରୁଛନ୍ତି । ସେମାନେ ୬୦-୭୦ ଟଙ୍କା ଭଳି କମ୍ ମୂଲ୍ୟରେ ମାସିକିଆ ପ୍ଲାନ୍ ପ୍ରଦାନ କରିବେ । ସେଥିରେ ଭଏସ୍ ଓ ଡାଟାର ଆକର୍ଷଣୀୟ ଅଫର ରହିବ । ନିଜ ଗ୍ରାହକଙ୍କୁ ପାଖରେ ରଖିବା ପାଇଁ ସଂଘର୍ଷ କରୁଥିବା ମୋବାଇଲ୍ କଂପାନିଗୁଡ଼ିକ ଏହି ଯୋଜନା ଉପରେ କାମ କରୁଛନ୍ତି। କୌଣସି ଗ୍ରାହକ କଂପାନି ଛାଡ଼ି ଚାଲିଯାଆନ୍ତୁ ବୋଲି ସେମାନେ ଚାହୁଁନାହାନ୍ତି। ସେଥିପାଇଁ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ପାଖରେ ରଖିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହି ଯୋଜନା କେତେ ଦୂର ସଫଳ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ କଂପାନିଗୁଡ଼ିକ ଯେ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିବେ, ସେଥିରେ କୌଣସି ସନ୍ଦେହ ନାହିଁ ।

ଭାରତରେ ୧୦୦ କୋଟିରୁ ଅଧିକ ଲୋକ ମୋବାଇଲ୍ ବ୍ୟବହାର କରୁଛନ୍ତି । ସେମାନଙ୍କ ମଧ୍ୟରୁ ୬୦-୭୦% ଲୋକ ୨ଜି ସେବା ଉପଭୋଗ କରୁଛନ୍ତି । ଏହି ସବୁ ଗ୍ରାହକମାନେ ଏବେବି ଦେଶର ବଡ଼ ମୋବାଇଲ୍ କଂପାନିଗୁଡ଼ିକ ପାଖରେ ରହିଛନ୍ତି । ସେମାନଙ୍କୁ ହାତେଇବା ପାଇଁ ଜିଓ ପକ୍ଷରୁ ସୁଲଭ ମୂଲ୍ୟରେ ଫିଚର୍ ଫୋନ୍ ଯୋଗାଇ ଦିଆଯାଉଥିବା ବେଳେ ନିକଟରେ ୪୯ ଟଙ୍କିଆ ମାସିକିଆ ପ୍ଲାନ୍ ମଧ୍ୟ ଘୋଷଣା କରାଯାଇଛି । ଏତେ କମ୍ ମୂଲ୍ୟରେ ଜିଓ ପକ୍ଷରୁ ଗ୍ରାହକମାନଙ୍କୁ ମାସ ସାରା ମାଗଣା କଲ୍ କରିବାର ସ୍ୱାଧୀନତା ଯୋଗାଇ ଦିଆଯାଇଛି । କୌଣସି ପରିସ୍ଥିତିରେ ଅନ୍ୟ ମୋବାଇଲ୍ କଂପାନିଗୁଡ଼ିକ ନିଜ ଗ୍ରାହକଙ୍କୁ ହରାଇବାକୁ ଚାହୁଁନାହାନ୍ତି । ସେଥିପାଇଁ ସେମାନେ ହ୍ୟାଣ୍ଡସେଟ ନିର୍ମାଣ କରୁଥିବା କଂପାନିଗୁଡ଼ିକ ସହିତ ହାତ ମିଳାଇଛନ୍ତି। ଅତି କମ୍ ମୂଲ୍ୟରେ ୪ଜି ସ୍ମାର୍ଟଫୋନ୍ ପ୍ରଦାନ କରି ଗ୍ରାହକମାନଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ।

ଯଦିଓ ହ୍ୟାଣ୍ଡସେଟ ପ୍ରକୃତ ମୂଲ୍ୟ ଯଥେଷ୍ଟ ଅଧିକ ରହିବ କିନ୍ତୁ ସେହି କ୍ଷତିକୁ କିଛି ସମୟ ପାଇଁ ସହିବାକୁ ମୋବାଇଲ୍ କଂପାନିଗୁଡ଼ିକ ନିଜକୁ ପ୍ରସ୍ତୁତ କରିସାରିଲେଣି। ଯଦି ଗ୍ରାହକମାନେ ନିଜ ପାଖରେ ରହିବେ ତେବେ ସେମାନଙ୍କ ଏହି କ୍ଷତି ପରିମାଣର ଦୀର୍ଘ ଦିନ ପର୍ଯ୍ୟନ୍ତ ଜାରି ରହିବ ନାହିଁ । ଏବେ ଟେଲିକମ୍ କଂପାନିଗୁଡ଼ିକ ହ୍ୟାଣ୍ଡସେଟ୍ ନିର୍ମାତାଙ୍କ ସହିତ ମିଶି ଫିଚର୍ ଫୋନ୍ ଆଣୁଛନ୍ତି । ତାହାକୁ କ୍ୟାସବ୍ୟାକ୍ ଜରିଆରେ ସୁଲଭ ମୂଲ୍ୟରେ ପ୍ରଦାନ କରୁଛନ୍ତି । କିନ୍ତୁ ସେହି ଉଦ୍ୟମ ଏତେଟା ସଫଳ ହୋଇନାହିଁ । ଏବେ ସେମାନଙ୍କୁ କଂପାନିଗୁଡ଼ିକ ୪ଜି ସ୍ମାର୍ଟଫୋନ୍ ଲୋଭ ଦେଖାଇବାକୁ ଯାଉଛନ୍ତି । ସୁଲଭ ମୂଲ୍ୟରେ ଫୋନ୍ ଯୋଗାଇ ଦେବେ କାମ ଚଳିବନି ବୋଲି କଂପାନିଗୁଡ଼ିକ ଜାଣିସାରିଲେଣି । ତେଣୁ ସେମାନେ ଶସ୍ତା ଦରରେ ଫୋନ୍ ଦେବା ସହିତ କମ୍ ମୂଲ୍ୟର ମାସିକିଆ ପ୍ଲାନ୍ ମଧ୍ୟ ପ୍ରଦାନ କରିବେ। ଗୁଗୁଲର ଆଣ୍ଡ୍ରଏଡ୍ ଗୋ ଅପରେଟିଂ ସିଷ୍ଟମ୍ ଆସିବା ପରେ ୨୦୦୦ ଟଙ୍କା ଭଳି କମ୍ ଦରରେ ସ୍ମାର୍ଟଫୋନ୍ ପ୍ରଦାନ କରିବାର ସୁଯୋଗ ସୃଷ୍ଟି ହୋଇଛି। ମାଇକ୍ରୋମ୍ୟାକ୍ସ ଆଣ୍ଡ୍ରଏଡ୍ ଗୋ’ର ସ୍ମାର୍ଟଫୋନ୍ ଆଣିବାକୁ ଘୋଷଣା କରିଛି । ସ୍ପ୍ରେଡଟ୍ରମ୍ ଏବଂ ମେଡିଆ ଟେକ୍ ମଧ୍ୟ ଆଣ୍ଡ୍ରଏଡ୍ ଗୋ’ ସ୍ମାର୍ଟଫୋନ୍ ଆଣିବା ଉପରେ କାମ କରୁଛନ୍ତି ।