କନକ ବ୍ୟୁରୋ : ନିତି ପାହାନ୍ତିରେ ବୋଉ ଗୁଣୁଗୁଣୁ ହୋଇ ଶିବ ପଞ୍ଚାକ୍ଷରୀ ମନ୍ତ୍ର ଗାଏ, ଠାକୁର ଆସ୍ଥାନ ପାଖକୁ ନ ଯାଇପାରିଲେ ବି ହାତ ଯୋଡି ମୁଣ୍ଡିଆଟିଏ ମାରିଦିଏ । ମହାଦେବଙ୍କ ପ୍ରତି ନିଜ ୮୫ ବର୍ଷୀୟ ମା'ର ଏହି ଭକ୍ତି ଦେଖି ପୁଅ ନିର ଜେନା କିଛି କୁହନ୍ତିନି ସତ କିନ୍ତୁ ମା'ର ଈଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ମହାଦେବଙ୍କ କରୁଣା ତାଙ୍କୁ ବି ଈଶ୍ୱରବିଶ୍ୱାସୀ ସହ ମାତୃ ଭକ୍ତଟିଏ କରିଦେଇଛି । ସେଥିପାଇଁ ତ ମହା ଶିବରାତ୍ରିରେ ଆଜି ବୋଉକୁ ନିଜ କାନ୍ଧରେ ବସାଇ ମହାଦେବଙ୍କ ମନ୍ଦିର ବୁଲାଇଛନ୍ତି ପୁଅ ।
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡସ୍ଥିତ ବାବା ଲଙ୍କେଶ୍ବର ପୀଠରେ ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ମାର ମହାଦେବଙ୍କ ପ୍ରତି ଥିବା ଅଖଣ୍ଡ ବିଶ୍ୱାସକୁ କାୟମ ରଖିବା ପାଇଁ ପୁଅ ହେଳା କରିନାହିଁ । ରୋଗ ପାଇଁ ଶିବ ମନ୍ଦିର ଚାଲିଯାଇପାରୁନଥିବା ନିଜ ବୁଢ଼ୀ ମା'ର ଆଗ୍ରହକୁ ଅଣଦେଖା କରିନାହିଁ ପୁଅ । ମା'ର ଇଚ୍ଛାକୁ ବେଖାତିର ନ କରି ନିଜ କାନ୍ଧରେ ମା'କୁ ବସାଇ ମନ୍ଦିରକୁ ନେଇଯାଇଥିଲେ ନିର । ମନ୍ଦିରର ପାହାଚ ପରେ ପାହାଚକୁ ଅତିକ୍ରମ କରି ମହାଦେବଙ୍କ ଦର୍ଶନ କରାଇଥିଲେ ପୁଅ । ମା'ର ଆଶୀର୍ବାଦ ଯେତେବେଳେ ସାଥିରେ ଥିଲା ସେତେବେଳେ ବାଧା ହୋଇନି, ବରଂ ପ୍ରଚୁର ଆତ୍ମସନ୍ତୋଷ ମିଳିଛି ।