ନବୀନ କହିଲେ, ସାରା ବିଶ୍ୱ ଦେଖିଲା । ପୂରା ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ । ନ୍ୟାସନାଲ୍ ଜିଓଗ୍ରାଫିକ ଚ୍ୟାନେଲରେ ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ମୁକାବିଲାର ସଫଳ ସୂତ୍ର ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

1,143

କନକ ବ୍ୟୁରୋ : ମୋଦିଙ୍କ ପରେ ନବୀନ । ପୂରା ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ । ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସିଥିବା ବେଳେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପାଇଲେ ବିଶ୍ୱବାସୀ । ନବୀନଙ୍କୁ ନେଇ ସୁଟିଂ ହୋଇଥିବା ଏହି ସ୍ୱତନ୍ତ୍ର ସୋ’ରେ ଫୋନି ମୁକାବିଲାର ପୂରା କାହାଣୀ ଦେଖିବାକୁ ମିଳିଛି । ଆଜି ରାତି ୯ଟାରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ଏହି ସୋ’ର ପ୍ରସାରଣ ହୋଇଥିଲା । ତେବେ ଟେଲିକାଷ୍ଟ ହେବା ପୂର୍ବରୁ ଏହି ସ୍ୱତନ୍ତ୍ର ସୋ’ର ପ୍ରୋମୋ ମଧ୍ୟ ସାମ୍ନାକୁ ଆସିଥିଲା।

ଏହି ସୋ’ରେ ଖାସକରି ଫୋନିର ସଫଳ ମୁକାବିଲାର ଝଲକ ଦେଖିବାକୁ ମିଳିଛି । ବାତ୍ୟା ଫୋନି ମାଡି ଆସୁଥିବା ବେଳେ ରାଜ୍ୟ ସରକାର କିଭଳି ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ତାହା ଦେଖିବାକୁ ମିଳିଛି । ଫୋନିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର କିଭଳି ଦିନରାତି ଏକ କରି ଦେଇଥିଲେ ତାହା ଏହି ସୋ’ରେ ଦେଖିଛନ୍ତି ବିଶ୍ୱବାସୀ ।

୧୯୯୯ ମହାବାତ୍ୟାରୁ ୨୦୧୯ ପ୍ରଳୟଙ୍କାରୀ ଫୋନି ପର୍ୟ୍ୟନ୍ତ, ବାତ୍ୟାକୁ ନେଇ ଗତ ଦୁଇ ଦଶନ୍ଧିର କାହାଣୀ କହିଛନ୍ତି ନବୀନ । ପ୍ରଳୟଙ୍କାରୀ ବାତ୍ୟା ଫୋନି ସଫଳ ମୁକାବିଲା କରିଥିବା ନବୀନ ସରକାର ପ୍ରାକୃତିକ ବିପର୍ୟ୍ୟୟର ସଫଳ ମୁକାବିଲା କିଭଳି କରାଯାଇପାରିବ ସେ ବାବଦରେ ସାରା ବିଶ୍ୱକୁ ବତାଇଛନ୍ତି ସୁତ୍ର ।

ପ୍ରଳୟଙ୍କରୀ ବାତ୍ୟା ଫୋନିର ସଫଳ ମୁକାବିଲାକୁ ନେଇ ସୁଟିଂ ହୋଇଥିବା ଏହି ସୋ’ର ନାଁ ରହିଛି MEGA CYCLONE FANI : ‘RESCUING A MILLION’ । ନବୀନ ନିବାସରେ ଏହାର ଅଧିକାଂଶ ଭାଗ ସୁଟିଂ ହୋଇଥିବା ବେଳେ ଆଉ କିଛି ଭାଗ ବାତ୍ୟା ପ୍ରପୀଡିତ ଅଞ୍ଚଳରେ ସୁଟିଂ କରାଯାଇଛି । ଏହାପୂର୍ବରୁ ବାତ୍ୟା ଫୋନିର ସଫଳ ମୁକାବିଲା ପାଇଁ ନବୀନଙ୍କୁ ଅର୍ନ୍ତଜାତୀୟ ଗଣମାଧ୍ୟମ ସହ ଜାତିସଂଘରୁ ମଧ୍ୟ ପ୍ରଂଶସା ମିଳିଥିଲା । ତେବେ ଫୋନି ସମୟରେ ରେସ୍କ୍ୟୁ ଅପରେସନ କିଭଳି ଥିଲା ତାହା ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଦେଖିଛି ପୂରା ବିଶ୍ୱ ।