ଜଣେ ସହିଦଙ୍କ ମାଆର ଯନ୍ତ୍ରଣା ! ଯବାନ ପୁଅ ଦେଶ ପାଇଁ ଦେଲା ଜୀବନ, ହେଲେ ସରକାର କଲେ ପ୍ରତାରଣା

33

ଜମ୍ମୁ-କାଶ୍ମୀରର ଉରି ସେକ୍ଟରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଇତି ମଧ୍ୟରେ ବର୍ଷେ ପୁରିଛି ହେଲେ ସେହି ସମୟରେ ନେତାଙ୍କ ପକ୍ଷରୁ ସହିଦଙ୍କ ପରିବାରଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କେବଳ ଏକ ପ୍ରତିଶ୍ରୁତି ହୋଇ ରହିଯାଇଛି । ତେବେ ଏଭଳି ଏକ ପରିବାର ହେଉଛି ସହିଦ ସୁନିଲ କୁମାର ବିଦ୍ୟାର୍ଥୀଙ୍କ ପରିବାର । ସହିଦ ସୁନୀଲଙ୍କ ଘର ଲୋକଙ୍କର ଅଭିଯୋଗ ରହିଛି କି ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରତିଶ୍ରୁତି ତାଙ୍କ ପାଇଁ ପାଲଟି ଯାଇଛି ସାତ ସପନ ।

ଗୟା ଜିଲ୍ଲାର ଅନ୍ତର୍ଗତ ବେକନାରୀ ନାମକ ଗାଁରେ ଶହୀଦ ସୁନିଲ କୁମାର ବିଦ୍ୟାର୍ଥୀଙ୍କ ଜନ୍ମ । ଆଉ ଏହି ଗାଁର ଦୁଃଖ କହିଲେ ନସରେ । କାରଣ ଏହି ଗାଁକୁ ଯିବାକୁ ନା ଖଣ୍ଡେ ଭଲ ରାସ୍ତା ରହିଛି ନା କୌଣସି ଡାକ୍ତରଖାନା । ଉରି ଆକ୍ରମଣରେ ପରେ ସହିଦ ସୁନିଲ କୁମାରଙ୍କର ଗାଁକୁ ଅନେକ ବଡ ବଡ ନେତାଙ୍କର ସୁ୍ଅ ଛୁଟିଥିଲା ହେଲେ ଆଜି ବି ଏହି ଗାଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିନି । ଏପରିକି ସହିଦ ସୁନୀଲଙ୍କର ସ୍ମାରକ ତଥା ସ୍ମୃତି ଫଳକ ବି ତାଙ୍କ ବାପା ନିଜ ଜମି ବିକି ନିର୍ମାଣ କରିଥିଲେ ।

ତେବେ ସୁନୀଲଙ୍କ ବାପା ମଥୁରା ପ୍ରସାଦ ଯାଦବ ଜମି ବିକି ପୁଅର ସ୍ମୃତି ଫଳକ ତ ନିର୍ମାଣ କରିଦେଇଥିଲେ ହେଲେ ସେହି ସମୟରେ ନେତାମାନଙ୍କ ଦ୍ୱାରା ଦେଇଥିବା ପ୍ରତିଶ୍ରୁତି ଏବେବି ପୁରଣ ହୋଇପାରିନି । ମଥୁରା ପ୍ରସାଦଙ୍କ କହିବା କଥା ହେଲା, ‘ଗାଁରେ ସୁନିଲଙ୍କ ନାଁରେ ସ୍ୱାସ୍ଥ୍ୟକେନ୍ଦ୍ର, ସ୍କୁଲ ଏବଂ ତ୍ୱରଣ ଦ୍ୱାର ନିର୍ମାଣ କରାଯିବାର ଯେଉଁ ପ୍ରତିଶ୍ରୁତି ସରକାର ଦେଇଥିଲେ ତାହା ଏପର୍ଯ୍ୟନ୍ତ ପୁରଣ ହୋଇପାରିନି । ସୁନୀଲଙ୍କ ମୃତ୍ୟୁର ପାଖାପାଖି ୧୫ ଦିନ ଯାଏଁ ତାଙ୍କ ଗାଁକୁ ବଡ ବଡ ନେତାମନ୍ତ୍ରୀଙ୍କର ସୁଅ ଛୁଟିଥିଲା ହେଲେ କୌଣସି ସୁଫଳ ମିଳିପାରିନଥିଲା’ ।

‘ଖାଲି ସେତିକି ନୁହେଁ ସହିଦଙ୍କ ଶବଯାତ୍ରାରେ ସାମିଲ ହେବାକୁ ଆସିଥିବା ସ୍ଥାନୀୟ ସାଂସଦ ସୁଶିଲ କୁମାର ସିଂହ ପ୍ରତିଶ୍ରୁତି ଦେଇ କହିଥିଲେ, ତାଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏକ ପକ୍କା ରାସ୍ତା ନିର୍ମାଣ କରାଯିବ ଆଉ ଏହି ରାସ୍ତାର ନାମ କରଣ ସହିଦ ସୁନୀଲ କୁମାରଙ୍କ ନାଁରେ କରାଯିବ । ଏଥିସହିତ ଏହାର ଏକ ପ୍ରବେଶ ଦ୍ୱାର ମଧ୍ୟ ନିର୍ମାଣ କରାଯିବ । ହେଲେ ଇତି ମଧ୍ୟରେ ପାଖାପାଖି ବର୍ଷେ ବିତି ଯାଇଥିଲେ ସୁଦ୍ଧା ନା କୌଣସି ସଡକ ନିର୍ମାଣ ହୋଇପାରିଛି ନା କୌଣସି ବିଧାୟକଙ୍କର ପାଦ ଗାଁରେ ପଡିଛି’ ।

‘ସେହିପରି ସ୍ଥାନୀୟ ବିଧାୟକ ରାଜୀବ ନନ୍ଦନ ଗାଙ୍ଗିଙ୍କ ଦ୍ୱାରା ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତି ଫଳକ ନିର୍ମାଣ କରାଯିବାର ପ୍ରତିଶ୍ରୁତି ବି ମିଳିଥିଲା ହେଲେ ସେ ମଧ୍ୟ ସ୍ମୃତିରେ ରହିଗଲା’ ।

ନିଜର ଯନ୍ତ୍ରଣାକୁ ପ୍ରକାଶ କରି ଯବାନଙ୍କ ବୁଢି ମାଙ୍କ କୁହନ୍ତି, ‘ଆମେ ପୁଅକୁ ପାଳି ପୋଷି ବଡକରି ଦେଶର ସୁରକ୍ଷା ପାଇଁ ସରକାରଙ୍କୁ ଟେକି ଦେଇଥିଲୁ । ଏବେ ତ ପୁଅ ରହିଲା ନି । ଖାଲି ସରକାରଙ୍କ ସହାୟତା ଅପେକ୍ଷାରେ ଚାହିଁ ରହିଛୁ । ଯଦି ସରକାର କିଛି ସହାୟତା କରିପାରୁ ନାହାଁନ୍ତି ତେବେ ଆମକୁ ବି ଉରି ପଠାଇ ଦିଅନ୍ତୁ, ଯାହାଦ୍ୱାରା କି ଆମେ ମଧ୍ୟ ଆତଙ୍କବାଦୀଙ୍କ ଗୁଳିରେ ମରିଯାଉ । ସରକାର ଯଦି ସର୍ଜିକାଲ ଷ୍ଟ୍ରାଇକ କରି ନିଜର ପ୍ରତିଶୋଧ ନେଇଛନ୍ତି । ତେବେ କଣ ହେଲା, ମୋ ପୁଅ ତ ଆଉ କେବେ ଫେରି ଆସିବ ନାହିଁ ନା’ !

ସୌଜନ୍ୟ: ଗାଁଓକନେକ୍ସନ