ଅଙ୍କିତାଙ୍କୁ ସଲାମ । ଶଯ୍ୟାଶାୟୀ ଅବସ୍ଥାରେ ଶେଷ କଲେ ବିସିଏ ଏବେ ଏମବିଏ ପାଇଁ ପ୍ରସ୍ତୁତି

35

କଥାରେ ଅଛି ଦୁଢ ଇଚ୍ଛା ଶକ୍ତି ଆଗରେ ହାର ମାନିଥାଏ ସବୁ କିଛି ଆଉ ଏହି ଉକ୍ତିଟିକୁ ଯର୍ଥାତ୍ କରି ଦେଖାଇଛନ୍ତି ଅଙ୍କିତା । ସୂଚନା ମୁତାବକ, ମଧ୍ୟ ପ୍ରଦେଶର ଛିନ୍ଦୱାଡାରେ ବାସ କରୁଥିବା ଅଙ୍କିତା ନାୟଡୁ ଓଷ୍ଟୋ ଜେନେଟିକ୍ ରୋଗରେ ପଡିତ । ଏହି ରୋଗ ଏକ ବିରଳ ରୋଗ । ଯାହାକି ପ୍ରାୟତଃ ଲକ୍ଷେରୁ ଜଣଙ୍କୁ ହୋଇଥାଏ । ଏହା ଏଭଳି ଏକ ରୋଗ ଯେଉଁଥିରେ ମନୁଷ୍ୟ ଶରୀରର ସମସ୍ତ ହାଡକୁ ଦୁର୍ବଳ କରିଦେଇଥାଏ ଏବଂ ତାକୁ ଅପାରଗ କରିପକାଇଥାଏ । ହେଲେ ଏହା ସତ୍ୱେ ବି ଅଙ୍କିତା କେବେ ଭାଙ୍ଗି ପଡିନଥିଲେ ନିଜର ଏହି ଦୁର୍ବଳତାକୁ ଶକ୍ତି କରି ସେ ଅନ୍ୟ ପାଇଁ ପାଲଟି ଯାଇଛନ୍ତି ପ୍ରେରଣାର ଉତ୍ସ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଏହି ରୋଗ କାରଣରୁ ଏଭଳି କୌଣସି ଦିନ ନାହିଁ କି ଅଙ୍କିତାଙ୍କର ହାଡ ଭାଙ୍ଗି ନଥିବ । ଏପରିକି ପେନର କ୍ୟାପ ବାହାର କରିବା ସମୟରେ ବି ଅନେକ ଥର ଅଙ୍କିତାଙ୍କ ହାତର ହାଡ ମଧ୍ୟ ଭାଙ୍ଗି ଯାଇଛି । ଖାଲି ସେତିକି ନୁହେଁ ଏହି ରୋଗ କାରଣରୁ ଅଙ୍କିତାଙ୍କ ଉଚ୍ଚତା ପାଖାପାଖି ୩ ଫୁଟ୍ ବଢି ପାରିଛି ଏବଂ ହାଡଗୁଡିକ ତ ଅଗଣିତ ଥର ଭାଙ୍ଗି ସାରିଛି । କିନ୍ତୁ ଏହାସବୁ ସତ୍ୱେ ବି ଅଙ୍କିତାଙ୍କର ଜିଦ କେବେ ମଉଳି ନଥିଲା । ଅଙ୍କିତା ରୋଗରେ ଆକ୍ରାନ୍ତ ହୋଇ ବି ବିସିଏ ପାଠପଢା ଶେଷ କରିଥିଲେ ଏବଂ ବର୍ତ୍ତମାନ ଏମବିଏ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ମଧ୍ୟ ପ୍ରଦେଶର ଛିନ୍ଦୱାଡାରେ ବାସ କରୁଥିବା ଅଙ୍କିତା ନାୟଡୁ (୨୪ ବର୍ଷ) ହେଉଛନ୍ତି ଘରର ବଡ ଝିଅ । ସେ କେବେ ବସି ପାରନ୍ତି ନାହିଁ । ଅଙ୍କିତାଙ୍କ ବାପା ସତ୍ୟନାରାୟଣ ନାୟଡୁ ଛିନ୍ଦୱାଡାରେ ଏକ ଘରୋଇ କଂପାନୀରେ କାମ କରନ୍ତି ଏବଂ ତାଙ୍କ ମାଆ ଜଣେ ଶିକ୍ଷୟତ୍ରୀ । ଅଙ୍କିତାଙ୍କ ମାଆ କୁହନ୍ତି, ଅଙ୍କିତା ଏହି ରୋଗରେ ପିଲାଦିନରୁ ଆକ୍ରାନ୍ତ । କିନ୍ତୁ ସେ ଜଣେ ଦୃଢ ଆତ୍ମବିଶ୍ୱାସୀ ରଖିଥିବା ଝିଅ । ଦ୍ୱାଦଶ ଶ୍ରେଣୀ ପାସ କରିବା ପରେ ଅଙ୍କିତା ବିସିଏ କରିବାକୁ ନିଷ୍ପତ୍ତି ନେଇଥିଲା ଆଉ ତାକୁ ପୁରଣ ମଧ୍ୟ କରିଥିଲା । ଖାଲି ସେତିକି ନୁହେଁ ଅଙ୍କିତା କମ୍ପ୍ୟୁଟର ମଧ୍ୟ ସେହିପରି ଶୋଇରହି ହିଁ ଶିଖିଥିଲା ଏବଂ ସମସ୍ତ ପରୀକ୍ଷାଗୁଡିକ ବି ସେ ସେହିଭଳି ଶୋଇରହି ଦେଇଥିଲେ ।

ଅଙ୍କିତା କେବେ ବସି ବି ପାରନ୍ତି ନାହିଁ । ହେଲେ ଅଙ୍କିତାଙ୍କ ସ୍ୱପ୍ନ ରହିଛି ଅଦମ୍ୟ । ସେ ଉଚ୍ଚଶିକ୍ଷିତ ହେବା ସହ ନିଜ ଆତ୍ମନିର୍ଭରଶୀଳ ହେବାକୁ ଇଚ୍ଛା ରଖିଛନ୍ତି । ଖାଲି ସେତିକି ନୁହେଁ, ଅଙ୍କିତା ବାପାମାଆଙ୍କୁ ନିଜ ଆଦର୍ଶ ବୋଲି ମାନନ୍ତି । ବାପା ସତ୍ୟନାରାୟଣ ଅଙ୍କିତାଙ୍କୁ ପରୀକ୍ଷା ସେଂଟର କୋଳ କରି ନେଇ ଯାଆନ୍ତି । ଅଙ୍କିତା କୁହନ୍ତି, ‘ମୋର ବାପା-ମାଆ କେବେ ମୋର ରୋଗକୁ ମୋ ସ୍ୱପ୍ନ ମଝିରେ ଆଣିବାକୁ ଦେଇ ନାହିଁନ୍ତି । ମୁଁ ବହୁତ ଖୁସି କି ମୋତେ ଏତେ ଭଲ ପାଉଥିବା ବାପା ମାଆ ମିଳିଛନ୍ତି’ ।

ସୌଜନ୍ୟ: ଗାଓ କନେକ୍ସନ