ଦଣ୍ଡାଦେଶ ପରେ ଜେଲରେ କଟିଲା ରାମରହିମଙ୍କ ପ୍ରଥମ ରାତି ! ଫାଳେ ରୁଟି ଖାଇଲେ ବିଚଳିତ ହୋଇ ବୁଲିଲେ

41

ଦୁଇଟି ମାମଲାରେ ଗତକାଲି ସିବିଆଇର ସ୍ୱତନ୍ତ୍ର କୋର୍ଟ ରାମ ରହିମଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହାପରେ ଜେଲରେ ପ୍ରଥମ ରାତି କାଟିଛନ୍ତି ରାମ ରହିମ । କେବେ କୋଟି କୋଟି ଟଙ୍କାର ସଂପତ୍ତିର ମାଲିକ ରହିଥିବା ବାବା ରାମରହିମଙ୍କୁ ଏବେ ଜେଲରେ ଯେଉଁ ପାରିଶ୍ରମିକ ଦିଆଯିବ ସେଥିରୁ ହିଁ ଚଳିବାକୁ ପଡିବ । ପୂର୍ବ ଭଳି ଆଉ ଦେଖିବାକୁ ମିଳିବନି ବାବାଙ୍କୁ । ତେବେ ଆସନ୍ତୁ ଜାଣିବା ଜେଲରେ କିଭଳି ବିତିଲା ବିବାଦୀୟ ବାବା ରାମରହିମଙ୍କ ପ୍ରଥମ ରାତି ।

ସୂଚନା ମୁତାବକ, ଦଣ୍ଡାଦେଶ ପରେ ଜେଲରେ ପ୍ରଥମ ରାତି କାଟିଛନ୍ତି ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ ଆଉ ଦଣ୍ଡର ପ୍ରଥମ ରାତିରୁ ହିଁ ଜେଲରେ ପୁରା ଅସ୍ଥିର ରହିପଡିଥିଲେ ବାବା । ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ରାତ୍ରି ଭୋଜନରେ ବାବାଙ୍କୁ କେବଳ ୪ ପଟ ରୁଟି ଓ ଭଜା ଦିଆଯାଇଥିଲା । କିନ୍ତୁ ରାମ ରହିମ ସେଥିରୁ ମାତ୍ର ଫାଳିଏ ରୁଟି ଓ ଅଳ୍ପ ଭଜା ଖାଇଥିଲେ ଏବଂ ବାକି ସବୁ ଛାଡି ଦେଇଥିଲେ । ସାରା ରାତି ବାବା ପୁରା ଅସ୍ତବ୍ୟସ୍ତ ହୋଇପଡିଥିଲ । ନଶୋଇ ରାତି ସାରା ଖାଲି ଟହଲ ମାରିଥିଲେ । ତେବେ ଜେଲରେ ସେ କଏଦୀ ନମ୍ବର ୮୬୪୭ ହୋଇଛନ୍ତି । ଖାଲି ସେତିକି ନୁହେଁ ଜେଲରେ ରାମରହିମଙ୍କୁ ଏବେ ମାଳି କାମ କରିବା ସହ ଫ୍ୟାକ୍ଟ୍ରିରେ ମଧ୍ୟ କାମ କରିବାକୁ ପଡିବ । ଆଉ ପାରିଶ୍ରମିକ ବାବଦକୁ ବାବାଙ୍କୁ ମିଳିବ ପ୍ରତ୍ୟେକ ଦିନ ମାତ୍ର ୪୦ ଟଙ୍କା ।

ଏଠାରେ ଆମେ କହି ରଖୁଛୁ କି, ଯେତେବେଳେ ଜେଲରେ ନିର୍ମିତ ଅସ୍ଥାୟୀ କୋର୍ଟରେ ସିବିଆଇ ବିଚାରପତି ଦଣ୍ଡାଦେଶ ଶୁଣାଇବା ପରେ କିଛି ସମୟ ପାଇଁ ମଧ୍ୟ ଦେଖିବାକୁ ମିଳିଥିଲା ବାବାଙ୍କ ହାଇଭୋଲଟେଜ୍ ଡ୍ରାମା । ଦୁଇପକ୍ଷ ଓକିଲଙ୍କ ଯୁକ୍ତି ଶୁଣୁଥିବା ବାବା ରାମରହିମ ଜଜଙ୍କୁ ହାତଯୋଡ଼ି କ୍ଷମା ଭିକ୍ଷା କରିଥିଲେ ମାତ୍ର କୌଣସି ସୁଫଳ ମିଳିନଥିଲା ଶେଷରେ ବାବା ନିଜର କୋହ ସମ୍ବରଣ କରିନପାରି ଚଟାଣରେ ବସିପଡ଼ି କାନ୍ଦିବାରେ ଲାଗିଥିଲେ ।

ସୂଚନାଯୋଗ୍ୟ ଯେ, ଏହି ଦୁଷ୍କର୍ମ ମାମଲାରେ ଗତ ଶୁକ୍ରବାର ହରିଆଣାର ପଞ୍ଚକୁଲା ସ୍ଥିତ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଖବର ପ୍ରଚାର ମାତ୍ରେ ତାଙ୍କର ଅନୁଗାମୀ ଓ ସମର୍ଥକମାନେ ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ ରଚାଇଥିଲେ। ଫଳରେ ୩୦ ଜଣ ପ୍ରାଣ ହରାଇଥିଲେ ଏବଂ ୨୦୦ରୁ ଅଧିକ ଆହତ ହୋଇଥିଲେ ।

ଏଭଳି ଅଘଟଣର ପୁନରାବୃତ୍ତି ନହେବା ଲାଗି ରାମ ରହିମଙ୍କ ଦଣ୍ଡାଦେଶ ଶୁଣାଣିକୁ ସେ ରହୁଥିବା ରୋହତକ ନିକଟ ସୁନାରିଆ ଜିଲ୍ଲା କାରାଗାର ପରିସରରେ ଏକ ଅସ୍ଥାୟୀ ଅଦାଲତରେ କରିବା ଲାଗି ନିଷ୍ପତ୍ତି ହୋଇଥିଲା । ସ୍ୱତନ୍ତ୍ର ସିବିଆଇ ଜଜ୍ ହେଲିକପ୍ଟର ଯୋଗେ ସୁନାରିଆ ଜେଲ୍ ପରିସରକୁ ଆସିଥିଲେ ଏବଂ ବାବା ରାମ ରହିମଙ୍କୁ ଦୁଇଟି ମାମଲ ପାଇଁ ୧୦ ବର୍ଷ ଲେଖାଏଁ ସଜା ଶୁଣାଇବା ସହ ୩୦ ଲକ୍ଷ ଟଙ୍କା ଜରିମାନା ଓ ଦୁଇ ପୀଡିତାଙ୍କୁ ୧୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।