ପ୍ରତି ମୁହୂର୍ତ୍ତରେ ସେ ମନେପଡୁଛନ୍ତି, ତାଙ୍କୁ ଭୁଲିବା ଭାରି କଷ୍ଟ… ପାର୍ସଲ ବୋମା ବିସ୍ଫୋରଣକୁ ଦୁଇ ବର୍ଷ ବିତିଛି । ଦିନ ଯାଇଛି, ହେଲେ ଚିହ୍ନ ରହିଛି…ଏବେବି ରୀମାଙ୍କ ଆଖିରୁ ଲୁହ ଝରୁଛି…

ସେ ଗଲା ପରେ ସବୁଦିନ ଦୁଃଖରେ ବିତୁଛି... ଏକାଏକା ଜିଇଁବାଟା ଭାରି କଷ୍ଟ ହେଉଛି... ତଥାପି ତାଙ୍କ ସ୍ମୃତି, ତାଙ୍କ ସହ ବିତିଥିବା ମୁହୂର୍ତ୍ତକୁ ମନେପକାଇ ଆଖିର ଲୁହକୁ ଓଠରେ ପିଇ ବିନା ସୌମ୍ୟରେ ବଞ୍ଚିବାକୁ ହେଉଛି...

2,588

କନକ ବ୍ୟୁରୋ: ତାଙ୍କୁ ଜମା ଭୁଲିହେଉନି… ମନ ତଳେ ଲେଖା ଥିବା ତାଙ୍କ ନାଁକୁ ଜମା ଲିଭେଇ ହେଉନି… କେମିତି ଭୁଲିବି ଯେ ? ଜୀବନ ଦେଇ ତାଙ୍କୁ ପରା ଭଲପାଇଛି… ନିଶ୍ୱାସଠୁ ଅଧିକ ନିଜର କରିଛି… ନିଜର ମଣିଷକୁ କେହି କଣ ସହଜରେ ଭୁଲିପାରେ ? ସେ ଗଲା ପରେ ସବୁଦିନ ଦୁଃଖରେ ବିତୁଛି… ଏକାଏକା ଜିଇଁବାଟା ଭାରି କଷ୍ଟ ହେଉଛି… ତଥାପି ତାଙ୍କ ସ୍ମୃତି, ତାଙ୍କ ସହ ବିତିଥିବା ମୁହୂର୍ତ୍ତକୁ ମନେପକାଇ ଆଖିର ଲୁହକୁ ଓଠରେ ପିଇ ବିନା ସୌମ୍ୟରେ ବଞ୍ଚିବାକୁ ହେଉଛି…

ଦୁଇ ବର୍ଷ ପରେ ଦୁର୍ଘଟଣା ଦେଇଥିବା ଦାଗ ଦେହରୁ ସିନା ଲିଭିଯାଇଛି ହେଲେ ଛାତି ତଳେ ଏବେବି ଦରଜ ରହିଛି । ଯେଉଁ ଦରଜ କମାଇବାକୁ ନା ଔଷଧ ମିଳୁଛି ନା କାହା ଆଶ୍ୱାସନା ଉପଷମ ଦେଉଛି । ପ୍ରତି ମୁହୂର୍ତ୍ତରେ, ପ୍ରତି ପଲକରେ ସୌମ୍ୟଙ୍କ ମୁହଁ ମନେ ପଡିଗଲେ କିମ୍ବା ବାହାଘର ବେଳର ସେ ଫଟୋ ଉପରେ ନଜର ପଡିଗଲେ ସମସ୍ତଙ୍କ ଅଜାଣତେ ରୀମାଙ୍କ ଆଖିରୁ ଦୁଇଟୋପା ଅଶ୍ରୁ ନିଗିଡି ପଡୁଛି…

ପାର୍ସଲ ବୋମା ବିସ୍ଫୋରଣକୁ ଦୁଇ ବର୍ଷ ପୂରିଛି । ୨୦୧୮ ମସିହା ଆଜିର ଦିନରେ ମୃତ୍ୟୁ ଉପହାର ପଠାଇଥିବା ପୁଞ୍ଜିଲାଲ ଜେଲରେ ରହିଛି । ଷଡଯନ୍ତ୍ର କରି ସଂସାର ଉଜାଡି ଦେଇଥିବା, ସୌମ୍ୟଙ୍କୁ ଛଡାଇ ନେଇ ରୀମାଙ୍କ ମଥାରୁ ସିନ୍ଦୂର ପୋଛିଥିବା ସୈତାନ ପୁଞ୍ଜିଲାଲ ବି ସଜ୍ଜା ଭୋଗୁଛି । ହେଲେ ପରିବାର ଆଖିରେ ପୁଞ୍ଜିଲାଲ ପାଇଁ ଏବେବି ଜଳୁଛି ପ୍ରତିଶୋଧର ନିଆଁ…

ତେବେ ଏଇ ଚବିଶ ମାସ ଭିତରେ ରୀମାଙ୍କ ଚାରିପଟ ଦୁନିଆ ବଦଳି ଯାଇଛି ହେଲେ ଆଦୌ ବଦଳିନାହାନ୍ତି ସୌମ୍ୟଶେଖରଙ୍କ ରୀମା । ସ୍ୱାମୀ ଗଲା ପରେ ଯେମିତି ଲୁହ ଢାଲୁଥିଲେ ଆଜି ସେମିତି କାନ୍ଦୁଛନ୍ତି । ଶୋଇଲେ, ବସିଲେ, ବୁଲିଲେ ସବୁବେଳେ ସ୍ୱାମୀଙ୍କ କଥା ଚିନ୍ତା କରୁଛନ୍ତି । ଅବଶ୍ୟ ଏଇ ୨ ବର୍ଷରେ ଲୁହ ଲୁଚାଇ ମିଛ ହସ ହସିବାର କଳାକୁ ବେଶ ଭଲଭାବେ ଶିଖିଯାଇଛନ୍ତି ରୀମା । ହେଲେ ଯେବେଯେବେ ସୌମ୍ୟଙ୍କ ସ୍ମୃତି ଅଧିକ ମନେପଡେ ସେତେବେଳେ ସ୍ୱାମୀଙ୍କ ଏଇ ଶେଷ ସନ୍ତକକୁ ଜୋରରେ ଜାବୁଡି ଧରି ନିଜ ଅଭିମାନ ଅଜାଡନ୍ତି ରୀମା ।

ପାର୍ସଲ ବୋମା ବିସ୍ଫୋରଣର ଭୟଙ୍କର ନିଆଁରେ ଦୁଇ ଦୁଇଟି ପରିବାର ଛାରଖାର ହୋଇଛି । କିଏ ସିନ୍ଦୂର ହରାଇଛି ତ ଆଉ କାହାର ସିନ୍ଦୂର ସଜ୍ଜା କାଟୁଛି । ପଦ ପଦବୀର ଲୋଭରୁ ହୋଇଥିବା ପାର୍ସଲ ଷଡଯନ୍ତ୍ର ପାଇଁ ଦୁଇ ବର୍ଷ ହେବ ଦୁଇଟି ପରିବାର ଦୁଃଖ ଭୋଗୁଛନ୍ତି, ଦୁର୍ଦ୍ଦିନରେ ବଞ୍ଚୁଛନ୍ତି…

Comments are closed.