ବିରୋଧୀ ନଥିଲେ ମଇଦାନରେ । ନିର୍ବିରୋଧ ନିର୍ବାଚନର ନାୟକ ଡକ୍ଟର ହରେକୃଷ୍ଣ ମହତାବ । 

190

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଏହା ଏକ ଚମକାଇଦେଲା ଭଳି ଘଟଣା ଥିଲା । ଓଡ଼ିଶା ନିର୍ବାଚନ ଇତିହାସରେ ଏହି ଘଟଣାଟି ଘଟିଥିଲା ୧୯୬୨ରେ, ଯେତେବେଳେ ଏକ ଲୋକସଭା ନିର୍ବାଚନରେ କେହି ଜଣେ ବି ବିରୋଧୀ ପ୍ରାର୍ଥୀ ନ ଥିଲେ ମଇଦାନରେ । ଏହି ନିର୍ବାଚନରେ ରାଜ୍ୟର ଅନ୍ୟ ଲୋକସଭା ଆସନ ଗୁଡ଼ିକରେ ବେଶ୍ ପ୍ରତିଦ୍ଵନ୍ଦ୍ୱିତାମୂଳକ ଲଢ଼େଇ ହୋଇଥିବାବେଳେ ଏଠାରୁ ଜଣେ ପ୍ରାର୍ଥୀ ନିଦ୍ଵର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଏହା ଥିଲା ଅନୁଗୁଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ନିର୍ବିରୋଧ ନିର୍ବାଚନର ନାୟକ ଥିଲେ ଡକ୍ଟର ହରେକୃଷ୍ଣ ମହତାବ ।

ଓଡ଼ିଶା ରାଜନୀତିରେ ନିର୍ବିରୋଧ ନିର୍ବାଚନ ଘଟଣା ଆଗରୁ ଘଟିଛି । ବିଶେଷକରି ସ୍ୱାଧୀନତା ପୂର୍ବରୁ ୧୯୩୭ରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ କଂଗ୍ରେସ ହିଁ ଏକମାତ୍ର ସଂଗଠିତ ରାଜନୈତିକ ଦଳ ଥିବାରୁ ଅନେକ ଆସନରେ, ବିଶେଷକରି ସଂରକ୍ଷିତ କ୍ଷେତ୍ରଗୁଡ଼ିକରେ ଯଥେଷ୍ଟ ଆଶାୟୀ ପ୍ରାର୍ଥୀ ନଥିଲେ । ମାତ୍ର ଖୁବଶୀଘ୍ର ରାଜ୍ୟରେ ଦଳୀୟ ରାଜନୀତି ତୀବ୍ର ହେଲା ଏବଂ କଂଗ୍ରେସ ଛଡ଼ା ସୋସାଲିଷ୍ଟ ଓ କମ୍ୟୁନିଷ୍ଟମାନଙ୍କ ଭଳି ଜାତୀୟ ଦଳ ଏବଂ ଗଣତନ୍ତ୍ର ପରିଷଦ ଓ ଝାଡ଼ଖଣ୍ଡ ଭଳି ଆଞ୍ଚଳିକ ଦଳମାନଙ୍କର ପ୍ରଭାବ ବୃଦ୍ଧିପାଇବା କାରଣରୁ ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ଏକାଧିକ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଲା । ରାଜ୍ୟରେ ବିଭିନ୍ନ ଦଳରେ କ୍ଷମତାକନ୍ଦଳ ବଢ଼ିବା ସହିତ ଦଳୀୟ ଟିକଟରୁ ବଞ୍ଚିତ ହୋଇଥିବା ପ୍ରାର୍ଥୀଙ୍କ ସମେତ ଅନେକ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ମଇଦାନକୁ ଓହ୍ଲାଇଲେ ।

୧୯୫୨ରେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା-ଫୁଲବାଣୀ ସଂରକ୍ଷିତ ଲୋକସଭା କ୍ଷେତ୍ରରେ କଂଗ୍ରେସର ତୋୟାକା ସାଙ୍ଗାନ୍ନା ନିର୍ବିରୋଧ ନିର୍ବାଚନ ଜିଣିଥିଲେ । ଏହାପରେ ୧୯୫୭ ବିଧାନସଭା ନିର୍ବାଚନରେ ପଣ୍ଡିତ ନୀଳକଂଠ ଦାସ ମଧ୍ୟ ସତ୍ୟବାଦୀରୁ ନିଦ୍ଵର୍ନ୍ଦ୍ୱରେ ଜିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ୧୯୬୨ରେ ମହତାବଙ୍କ ବିରୋଧରେ ଅନୁଗୁଳ ଲୋକସଭା କ୍ଷେତ୍ରରେ କେହି ଜଣେ ବି ବିରୋଧୀ ନରହିବା ସବୁଠାରୁ ଅଧିକ ବିସ୍ମୟକର ଥିଲା । କାରଣ ମହତାବ ସେତେବେଳକୁ ଏକାଧିକବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିସାରିଥାନ୍ତି ଏବଂ ଓଡ଼ିଶା ରାଜନୀତିରେ ତାଙ୍କ ବିରୋଧୀ ଗୋଷ୍ଠୀ ବେଶ୍ ସକ୍ରିୟ ଥାଆନ୍ତି । ବିଶେଷକରି ୧୯୫୭ରୁ ୬୧ ମଧ୍ୟରେ ତାଙ୍କ ନେତୃତ୍ଵରେ ଗଠିତ ସରକାର ବିଧାନସଭା ଭିତରେ ଓ ବାହାରେ ବେଶ୍ ରାଜନୈତିକ ବିରୋଧର ସାମନା କରିସାରିଥାଏ । ଏଭଳି ଏକ ପରିସ୍ଥିତିରେ ୧୯୬୨ ଲୋକସଭା ନିର୍ବାଚନ ଆସିଲା ଏବଂ ଏହି ନିର୍ବାଚନରେ ବାଲେଶ୍ୱର ଲୋକସଭା କ୍ଷେତ୍ରରୁ ଲଢ଼ିବାପାଇଁ ମହତାବଙ୍କ ସମର୍ଥକ ମାନେ ତାଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ସେ ତାହା ନ କରି ଅନୁଗୁଳ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସେତେବେଳେ କଂଗ୍ରେସର ମୁଖ୍ୟ ବିରୋଧୀ ଦଳ ଥିଲା ଗଣତନ୍ତ୍ର ପରିଷଦ । ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ସମ୍ବଲପୁର ସଦର ସବଡିଭିଜନର ଅନେକ ଅଂଶ, କୁଚିଣ୍ଡା ଓ ଦେବଗଡ଼ ସବଡିଭିଜନ ଆଦି ଅନ୍ତର୍ଭୁକ୍ତ ଥିବା କାରଣରୁ ସମ୍ବଲପୁର ଅଞ୍ଚଳର ଗଣତନ୍ତ୍ର ପରିଷଦର ବରିଷ୍ଠ ନେତା ଶ୍ରଦ୍ଧାକର ସୂପକାର ଅନୁଗୁଳ ଲୋକସଭା ଆସନରୁ ଲଢ଼ିବାର ଥାଏ । ମାତ୍ର ସେ ଅନୁଗୁଳରୁ ଲଢ଼ିବାପାଇଁ ରାଜି ହୋଇ ନଥିଲେ । ନିଜର ଆତ୍ମଜୀବନୀ ପୁସ୍ତକ ‘ମଧ୍ୟମ ପୁରୁଷ’ରେ ଶ୍ରୀ ସୂପକାର ସୂଚାଇଛନ୍ତି ଯେ ‘‘କଂଗ୍ରେସ ଦଳ ପ୍ରାର୍ଥୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ସହିତ ପ୍ରତିଦ୍ଵନ୍ଦ୍ୱିତା କରିବାପାଇଁ (ସେମାନେ) ମୋତେ ପ୍ରବର୍ତ୍ତାଇଲେ । କିନ୍ତୁ ମୁଁ ସେଥିରେ ରାଜି ହେଲି ନାହିଁ । ଏହା ଏକ ଅପ୍ରୀତିକର, ଅସାଧ୍ୟ ଓ ବ୍ୟୟବହୁଳ ପ୍ରତିଦ୍ଵନ୍ଦ୍ୱିତା ହୋଇଥାଆନ୍ତା ।’’

ତେବେ ନୀଳମଣି ରାଉତରାୟ ତାଙ୍କ ଆତ୍ମଜୀବନୀ ପୁସ୍ତକ ‘ସ୍ମୃତି ଓ ଅନୁଭୂତି’ରେ ଅନ୍ୟ ଏକ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ମତରେ ଏହି ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସ ଓ ଗଣତନ୍ତ୍ର ପରିଷଦ ମିଶି ସରକାର ଗଢ଼ିଥିବାରୁ ମହତାବ ଓ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମଧ୍ୟରେ ବୃଦ୍ଧିପାଇଥିବା ସଦଭାବ ଏହି ନିର୍ବାଚନରେ ତାଙ୍କର ସହାୟକ ହୋଇଥିଲା । ତାଙ୍କ ସୂଚନା ଅନୁଯାୟୀ ‘‘ଗଣତନ୍ତ୍ର ଦଳରୁ ଜଣେ ନେତୃସ୍ଥାନୀୟ ବ୍ୟକ୍ତି ଶ୍ରୀ ସୁନ୍ଦରମଣି ପଟେଲ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଯାଞ୍ଚ ପରେ କେବଳ କଂଗ୍ରେସ ଓ ଗଣତନ୍ତ୍ର ଦଳର ଦୁଇଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ୱିତାପାଇଁ ରହିଲେ। (ମାତ୍ର ସେ) ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ମହତାବ ଲୋକସଭାକୁ ନିଦ୍ଵର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।’’

ସଂଯୋଗକ୍ରମେ ଏହି ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ସବୁଠାରୁ ଅଧିକ ପ୍ରତିଦ୍ଵନ୍ଦ୍ୱିତାମୂଳକ ଲଢ଼େଇ ଦେଖିବାକୁ ମିଳିଥିଲା, ଯେଉଁଥିରେ ସୋସାଲିଷ୍ଟ ପ୍ରାର୍ଥୀ ସୁରେନ୍ଦ୍ରନାଥ ଦ୍ଵିବେଦୀ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ମହାନ୍ତିଙ୍କୁ ମାତ୍ର ୬୬ଟି ଭୋଟରେ ପରାସ୍ତ କରିଥିଲେ । ଏଭଳି ସମୟରେ ଅନୁଗୁଳରୁ ନିର୍ବିରୋଧ ନିର୍ବାଚନ ଜିଣିବା ଓଡ଼ିଶା ରାଜନୀତିରେ ମହତାବଙ୍କର ପ୍ରଭାବକୁ ବହୁଗୁଣିତ କରିଥିଲା ।

Comments are closed.