ମାଛର ଓଜନ ୧୫୦ କିଲୋ । ବିରଳ ମାଛକୁ କିଣିବାକୁ ଲାଗୁଛି ଲୋକଙ୍କ ଭିଡ, ସ୍ଥଳଭାଗରେ ବି ଦୀର୍ଘ ସମୟ ଧରି ବଞ୍ଚିପାରେ ଏହି ମାଛ ।
କନକ ବ୍ୟୁରୋ : ଆପଣ ଅନେକ ମାଛ ଦେଖିଥିବେ ଆଉ ଖାଇଥିବେ । ଏପରିକି ମାଛ ମାର୍କେଟରେ ଆପଣ ବିଭିନ୍ନ ପ୍ରକାର ଛୋଟ ବଡ ମାଛ ଦେଖିଥିବେ । କିନ୍ତୁ କେବେ ୧୫୦ କିଲୋଗ୍ରାମର ମାଛ ଦେଖିଛନ୍ତି କି । ଆପଣଙ୍କ ଉତର ହେବ, ସାର୍କକୁ ଛାଡିଦେଲେ ଆଉ କୌଣସି ପ୍ରଜାତିର ଏତେ ବିଶାଳକାୟ ମାଛ ହୋଇପାରିବ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମାଛ ବିଷୟରେ କହିବୁ, ଯାହାର ଓଜନ, ୧୫୦ କିଲୋଗ୍ରାମରୁ ବି ଅଧିକ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ସ୍ୱତନ୍ତ୍ର ମାଛର ନାଁ ହେଉଛି ବୋଧ୍ । ଯାହାକି କେବଳ ଛତିଶଗଡର ଇନ୍ଦ୍ରାବତୀ ନଦୀରେ ଥିବା ବିଶ୍ୱପ୍ରସିଦ୍ଧ ଜଳପ୍ରପାତ ଚିତ୍ରକୋଟ ଠାରେ ମିଳିଥାନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାଛକୁ ବସ୍ତର କା ସାର୍କ ମଧ୍ୟ କୁହାଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସବୁବେଳେ ଏହି ମାଛକୁ ନଦୀରୁ ଧରି ବିକ୍ରି କରାଯାଉଥିବାରୁ, ଏକପ୍ରକାର ବିଲୁପ୍ତ ହେବାକୁ ବସିଲାଣି ଏହି ବିରଳ ପ୍ରଜାତିର ମାଛ ।
ଏହି ମାଛର ସ୍ୱତନ୍ତ୍ରତା ହେଉଛି, ଏହି ପାଣି ସମେତ ସ୍ଥଳଭାଗରେ ମଧ୍ୟ ଅଧିକ ସମୟ ଧରି ଜୀବିତ ରହିଥାଏ । ଯେଉଁଥିପାଇଁ ଲୋକମାନେ ଏହି ବିରଳ ମାଛକୁ ଜୀବିତ ଅବସ୍ଥାରେ ହିଁ କିଣି ନେଇଥାନ୍ତି ।
ଗ୍ରୀଷ୍ମଋତୁରେ ଇନ୍ଦ୍ରବତୀ ନଦୀର ଜଳସ୍ଥର ଖସିଆସିଥାଏ । ଯେଉଁଥିପାଇଁ ଏହି ମାଛଗୁଡିକୁ ଧରିବାର କାମ ଆରମ୍ଭ ହୋଇଯାଏ । କ୍ରମାଗତ ଭାବେ ଏହି ମାଛ ଗୁଡିକୁ ଧରାଯାଉଥିବାରୁ, ଏହାର ସଂଖ୍ୟା ଦ୍ରୁତ ଭାବରେ କମିବାରେ ଲାଗିଛି । ଏପରିକି ବଜାରରେ ଏହାକୁ ଖୁଲମଖୁଲା ବିକ୍ରି ମଧ୍ୟ କରାଯାଇଥାଏ । ଆଉ ଗାଁଗୁଡିକରେ ମାଛକୁ ଧରି ପରେ କୁରାଢୀରେ ମାଛକୁ କାଟି ନିଜ ନିଜ ଅଂଶ ବାଂଟିନେଇଥାନ୍ତି ।
ଏଭଳି ଏକ ବିରଳ ମାଛ ବିଲୁପ୍ତ ହେବାକୁ ବସିଥିବା ବେଳେ, ଏହାର ସୁରକ୍ଷା ପାଇଁ ମଧ୍ୟ ଅନେକ ସମାଜସେବୀ ଦାବି କରିଛନ୍ତି । ଖୁଲମଖୁଲା ଏହି ମାଛକୁ ବ୍ୟବସାୟୀ ମାନେ ବଜାରରେ ବିକ୍ରି କରୁଥିବାରୁ ଏଥିରେ ରୋକ୍ ଲଗାଇବା ପାଇଁ ମଧ୍ୟ ଦାବି ହୋଇଛି ।