ରହସ୍ୟମୟ ମଠ ! ଯେଉଁଠି ଘଣ୍ଟି ବାଜିଲେ ବିଲେଇ ଆସନ୍ତି, ପ୍ରସାଦ ଖାଆନ୍ତି । ବିଲେଇ ପରେ ଭକ୍ତଙ୍କୁ ମିଳେ ପ୍ରଭୁଙ୍କ ପ୍ରସାଦ । ବିଶ୍ୱାସ ନହେଲେ ବି ସତ…

412

କନକ ବ୍ୟୁରୋ: ଘଣ୍ଟା ବାଜିଲେ ବିଲେଇ ଆସନ୍ତି । ମଠରେ ବସନ୍ତି, ପ୍ରସାଦ ଖାଆନ୍ତି । ଠାକୁରଙ୍କ ପୂଜା ପରେ ପରେ ମଠରେ ହାଜର ହୋଇଯାଆନ୍ତି ବିଲେଇ । ଘଣ୍ଟା, ମୃଦଙ୍ଗର ଶବ୍ଦ ଶୁଣି ମଠରେ ପ୍ରସାଦ ପାଇଁ ଅପେକ୍ଷା କରନ୍ତି ଏକାଧିକ ବିଲେଇ । ଠାକୁରଙ୍କ ସବୁ ନୀତିକାନ୍ତି ସରିବା ପରେ ପ୍ରଥମେ ବିଲେଇଙ୍କୁ ପ୍ରସାଦ ଦିଆଯାଏ ଆଉ ପରେ ସାଧାରଣ ଲୋକେ ସେବନ କରନ୍ତି ପ୍ରଭୁଙ୍କ ପ୍ରସାଦ । ସମାଜରେ ବିଲେଇ ଦେଖିବା ଅଶୁଭ ବୋଲି କୁହାଯାଉଥିବା ବେଳେ କେନ୍ଦ୍ରାପଡା ନିକିରାଇ ମଦନ ମୋହନ ମଠରେ କିନ୍ତୁ ବିଲେଇଙ୍କୁ ଶୁଭ ବୋଲି ମାନନ୍ତି ମଠର ମହନ୍ତ, ମଠର ଆଶ୍ରିତ । ଏମିତିକି ଉକ୍ତ ମଠକୁ ବି ବିଲେଇ ଖିଆ ମଠ ବୋଲି କୁହାଯାଏ ।

କାହିଁ କେଉଁ କାଳରୁ ଏହି ମଠରେ ଶହ ଶହ ବିଲେଇ ରହି ଆସୁଛନ୍ତି । ମଦନ ମୋହନଙ୍କ ପୂଜା ପରେ ମଠ ଭିତରେ ଆଜି ବି ମାଳମାଳ ବିଲେଇଙ୍କୁ ଦେଖି ଆଶ୍ଚର୍ଯ୍ୟ ଲାଗେ । ଘଣ୍ଟା ବାଜିଲେ ହଠାତ କେଉଁଠୁ ଏତେ ବିଲେଇ ଆସନ୍ତି ତାହା ସମସ୍ତଙ୍କୁ ତାଜୁବ ବି କରେ । ତେବେ କୁହାଯାଏ ମଠର ଅଜସ୍ର ସମ୍ପତ୍ତି ଥିବାରୁ ପ୍ରବଳ ଧାନ, ମୁଗ ଅମଳ ହୁଏ । ଆଉ ଏସବୁ ଖାଦ୍ୟଶସ୍ୟ ଖାଇବାକୁ ମୂଷାଙ୍କ ଉପଦ୍ରବ ହୁଏ । ମୂଷାଙ୍କ ସନ୍ଧାନରେ ବିଲେଇମାନେ ମଠ ଭିତରକୁ ଆସନ୍ତି । ତେବେ ମହନ୍ତଙ୍କ ଆଦର ପାଇ ଏ ସବୁ ବିଲେଇ ଏଠାରେ ରହିଛନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି ।

ସବୁଠାରୁ ବଡ କଥା ହେଉଛି ଏହି ବିଲେଇମାନଙ୍କ ଖାଇବା ପାଇଁ ମଠରେ ରହିଛି ୫ ଏକର ଜମି । କିମ୍ବଦନ୍ତୀ ଅନୁସାରେ ଏକଦା ଆଳି ରାଜା ବ୍ରଜସୁନ୍ଦର ଦେବ ସନ୍ୟସାମନ୍ତ ଧରି ଯିବା ବେଳେ ମଠ ପାଖ ରାସ୍ତାରେ କ୍ଲାନ୍ତ ହୋଇ ପଡିଥିଲେ ଆଉ ମହନ୍ତଙ୍କୁ ଡାକିଥିଲେ । ମହନ୍ତ ରାଜାଙ୍କ ପାଖକୁ ଯିବା ବେଳେ ତାଙ୍କ ପଛେ ପଛେ ଶହଶହ ବିଲେଇ ଯାଇଥିଲେ ଯାହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଥିଲେ ଆଉ ସେମାନଙ୍କ ଖାଇବା ପାଇଁ ୫ ଏକର ସମ୍ପତି ଦାନ କରିଥିଲେ ।

ତେବେ ମଠରେ ମଦନ ମୋହନଙ୍କ ଘଣ୍ଟା ବାଜିଲେ ବିଲେଇ ଆସି ପ୍ରସାଦ ପାଇବାକୁ ପହଞ୍ଚିଯାଉଥିବା ଘଟଣାକୁ ଭଗବାନଙ୍କ ଅଲୌକିକତା ବୋଲି କହୁଛନ୍ତି ସ୍ଥାନୀୟ ଲୋକେ ।