ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତୋଳନ କରି ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନେଇ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୨୫ରୁ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନରେ ଏହି ଯୋଜନା ଲାଗୁ ହେବ । ଏଥିରେ ଉପକୃତ ହେବେ ଦେଶର ୧୦ କୋଟି ପରିବାର । ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳିବା ନେଇ ମୋଦି ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି ।
ଦେଶର ୧୧ଟି ରାଜ୍ୟର ମନୋନିତ ଜିଲ୍ଲାରେ ଆୟୁଷ୍ମାନ ଭାରତ ରାଷ୍ଟ୍ରୀୟ ସୁରକ୍ଷା ଯୋଜନା ଲାଗୁ ହେବ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାଠାରେ ଅଭିଭାଷଣରେ ଏହି ମହତ୍ୱାକାଂକ୍ଷୀ ଯୋଜନାକୁ ସେପ୍ଟେମ୍ବର ୨୫ରୁ ସାରା ଦେଶରେ ଲାଗୁ ହେବା ନେଇ ଘୋଷଣା କରିଛନ୍ତି । ଏହି ଯୋଜନାର ପ୍ରିମିୟମ ପେମେଂଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିବେ । ଏହି ଯୋଜନାରେ ସାମିଲ କରାଯାଉଥିବା ପ୍ରତିଟି ପରିବାରକୁ ଚିକିତ୍ସା ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିବ । ଏହି ଯୋଜନାଦ୍ୱାରା ଦେଶର ୧୦ କୋଟି ପରିବାର ଏବଂ ୫୦ କୋଟି ଲୋକ ଉପକୃତ ହେବେ । ଏହି ଯୋଜନା ଆଧାରରେ ଗ୍ରାମୀଣ ଅଂଚଳମାନଙ୍କରେ ୮.୦୩ କୋଟି ଏବଂ ସହରାଂଚଳମାନଙ୍କରେ ୨.୩୩ କୋଟି ଗରିବ ପରିବାରକୁ ଲାଭ ମିଳିବ ।
ସେହିପରି ପଂଜାବ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦିଲ୍ଲୀ ଏଯାବତ ମୋଦିଙ୍କ ଏହି ଯୋଜନାକୁ ଲାଗୁ କରାଯିବା ନେଇ ସହମତି ମିଳିନଥିବା ବେଳେ ଓଡିଶାରେ ଏହାର ସାମିଲ ନେଇ ରୋକଠୋକ୍ ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଯାବତ ୨୨ଟି ରାଜ୍ୟ ଟ୍ରଷ୍ଟ ମଡେଲ ଆଧାରରେ ଆୟୁଷ୍ମାନ ଭାରତକୁ ଲାଗୁ କରିବା ନେଇ ସହମତି ପ୍ରକାଶ କରିସାରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ଏହି ଯୋଜନା ପାଇଁ ବୀମା କରିବା ପାଇଁ ଉଭୟ ସରକାରୀ ଏବଂ ବେସରକାରୀ ମେଡିକାଲମାନଙ୍କୁ ତାଲିକାଭୁକ୍ତ କରିବା ଲାଗି ଔପଚାରିକ ପ୍ରକ୍ରିୟା ଆରମ୍ଭ କରିଦେଇଛି ।
ମେଡିକାଲରେ ଭିର୍ତ୍ତି ହେବା ପୂର୍ବରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚ ଏବଂ ଡିସଟାର୍ଜ ହେବା ପରର ଖର୍ଚ୍ଚ ମଧ୍ୟ ଏହି ଯୋଜନାରେ ସାମିଲ ରହିଛି । ବୀମା କରିବାର ପ୍ରଥମ ଦିନରୁ ହିଁ ସମସ୍ତ ସୁବିଧାସୁଯୋଗ ଲୋକଙ୍କୁ ପ୍ରଦାନ କରାଯିବ । ଏଥିସହିତ ଭତା ମଧ୍ୟ ଲୋକଙ୍କୁ ପ୍ରଦାନ କରାଯିବ ।
କେଉଁମାନେ ହେବେ ସାମିଲ
• ଗରିବ, ଗ୍ରାମୀଣ ଅଂଚଳରେ ବାସକରୁଥିବା ତଥା ଦାରିଦ୍ର୍ୟର ସୀମାରେଖା ତଳେ ରୁହୁଥିବା ପରିବାରକୁ ମୋଦିଙ୍କ ଏହି ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ ।
• ଲାଭାର୍ଥୀଙ୍କୁ ଆର୍ଥିକ ଆଧାରରେ ଚୟନ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ୮୦ ପ୍ରତି ଲାଭାର୍ଥୀଙ୍କୁ ଚୟନ କରାଯାଇସାରିଛି ।
• ପରିବାରରେ ସଦସ୍ୟଙ୍କ ସଂଖ୍ୟା ସ୍ଥିର କରାଯାଇନାହିଁ । ଏଥିସହିତ ହିଁ କୌଣସି ନିଦ୍ଦିଷ୍ଟ ବୟସସୀମା ମଧ୍ୟ ଧାର୍ଯ୍ୟ କରାଯାଇନାହିଁ ।
କେଉଁ କେଉଁ ରୋଗ ସାମିଲ
• ଆୟୁଷ୍ମାନ ଭାରତରେ ୧,୩୫୪ ପ୍ୟାକେଜ ରହିଛି ।ଯେଉଁଥିରେ ପାଖାପାଖି ସବୁପ୍ରକାରର ରୋଗର କଭର ଲୋକଙ୍କୁ ମିଳିବ ।
• ସରକାରୀ ଏବଂ ଚୟନ ହୋଇଥିବା ଘରୋଇ ମେଡିକାଲରେ କ୍ୟାସଲେସ ସୁବିଧା ମିଳିବ ।