ଏଣିକି ମୋବାଇଲ, ପାସପୋର୍ଟ, ପର୍ସ କିମ୍ବା ଆଇଡି କାର୍ଡ ହଜି ଗଲେ କିମ୍ବା ଚୋରି ହୋଇଗଲେ ଏନେଇ ଅଭିଯୋଗ କରିବା ନିମନ୍ତେ ଆଉ ଆପଣଙ୍କୁ କୌଣସି ଥାନାକୁ ଦୌଡିବାକୁ ପଡିବ ନାହିଁ । ବରଂ ଆପଣ ଘରେ ବସି ଆପଣଙ୍କର ହ୍ୱାଟସଆପ ନମ୍ବରରୁ ପୁଲିସ ଅଧିକାରୀଙ୍କୁ ନିଜର ଅଭିଯୋଗ ଜଣାଇପାରିବେ । ଏବଂ ପୁଲିସ ମଧ୍ୟ ଆପଣଙ୍କର ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହମ କରିବ । ତେବେ ଏଭଳି ଏକ ନିଆରା ବ୍ୟବସ୍ଥା ଆରମ୍ଭ କରିଛି ହିମାଚଳ ପୁଲିସ ।
ସୂଚନା ମୁତାବକ, ଜନତାଙ୍କର ସୁବିଧାକୁ ଦୃଷ୍ଟିରେ ରଖି ହିମାଚଳ ପୁଲିସ ଏଭଳି ଏକ ନିଆର ସୁବିଧା ଆରମ୍ଭ କରିଛି । ଯାହାଦ୍ୱାରା ଲୋକେ ବିନା କୌଣସି ପୁଲିସ ଷ୍ଟେସନ ଯାଇ ନିଜର ଅଭିଯୋଗକୁ ପୁଲିସ ଅଧିକାରୀଙ୍କୁ ଜଣାଇପାରିବେ । ଅର୍ଥାତ୍ ପୁଲିସ ଅଧିକାରୀଙ୍କ ହ୍ୱାଟସଆପ ନମ୍ବର ତଥା ୯୪୫୯୧୦୦୧୦୦ ନମ୍ବରରେ ଖାଲି ଗୋଟିଏ ମେସେଜ କରି ଲୋକେ ନିଜର ସମସ୍ୟା ସଂପର୍କରେ ଅବଗତ କରିପାରିବେ । ଖାଲି ଏତିକି ନୁହେଁ ଏହି ଜନତାଙ୍କ ଦ୍ୱାରା ହ୍ୱାଟସଆପରେ ପଠାଯାଇଥିବା ଏହି ଅଭିଯୋଗର ଏକ କପି ମଧ୍ୟ ଅଭିଯୋଗକାରୀଙ୍କୁ ହ୍ୱାଟସଆପ ଜରିଆରେ ପୁଲିସ ଅଧିକାରୀ ପଠାଇବେ ।
ଏଠାରେ ଆମେ କହି ରଖୁଛୁ କି, ସାଧାରଣତଃ ସିମକାର୍ଡ, ଆଇ କାର୍ଡ କିମ୍ବା ଏଭଳି ପ୍ରକାରର ଜିନିଷ ଚୋରି କିମ୍ବା ହଜି ଗଲେ ଲୋକେ ତାକୁ ଫେରି ପାଇବା ପାଇଁ ଥାନାକୁ ଯାଇ ଏକ ମାମଲା ରୁଜୁ କରିଥାନ୍ତି । ଯେଉଁଥିପାଇଁ ଲୋକଙ୍କୁ ବାରମ୍ବାର ଥାନାକୁ ଦୌଡିବାକୁ ପଡିଥାଏ । ତାପରେ ଯାଇ ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥାଏ । ତେବେ ଜନତାଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ହିମାଚଳ ପୁଲିସ ସୋସିଆଲ ମିଡିଆର ସାହାରା ନେଇଛି । ଯାହାଦ୍ୱାରା ଲୋକେ ନିଜ ଅଭିଯୋଗ ପୁଲିସ ଅଧିକାରୀଙ୍କ ହ୍ୱାଟସଆପ ନମ୍ବରରେ ମେସେଜ କରି ଜଣାଇପାରିବେ ।
ତେବେ ଅଭିଯୋଗ ମିଳିବା କ୍ଷଣି କଂଟ୍ରୋଲ ରୁମ ଅଭିଯୋଗକୁ ସଂମ୍ବନ୍ଧିତ ଜିଲ୍ଲା ବା ଥାନା ଅଧିକାରୀଙ୍କ ନିକଟକୁ ଫରୱାର୍ଡ କରିଦେବେ । ଉକ୍ତ ପୁଲିସ ଷ୍ଟେସନର ଅଧିକାରୀ ଅଭିଯୋଗର ଏକ ପ୍ରିଂଟ ଆଉଟ୍ ବାହାର କରି ତାକୁ ନିଜର ସାଧାରଣ ଡାଏରୀରେ ରଖି ରିଭିଂର ଏକ କପି ସ୍କାନ କରି ହ୍ୱାଟସଆପ ଜରିଆରେ ହିଁ ଅଭିଯୋଗକାରୀଙ୍କ ନିକଟକୁ ପଠାଇଦେବେ । ଯାହାଦ୍ୱାରା ଅଭିଯୋଗକାରୀ ନୂଆ ସିମ କିମ୍ବା ଆଇଡି କାର୍ଡ ଜାରି କରି ତାକୁ ବ୍ୟବହାର କରିପାରିବେ ।
ସୌଜନ୍ୟ: ଅମର ଉଜାଲା