ନୀରବ ମୋଦି ! ଚାଷୀଙ୍କ ଠାରୁ କାହିଁକି ଦୂରରେ ପ୍ରଧାନମନ୍ତ୍ରୀ

36

ଗତ କିଛି ଦିନ ଧରି ତାମିଲନାଡୁର ଶତାଧିକ ଚାଷୀ ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତର ଠାରେ ବିକ୍ଷୋଭ କରୁଛନ୍ତି । ଗତ ଦୁଇ ବର୍ଷ ଧରି ରାଜ୍ୟରେ ଲଗାତାର ମରୁଡି ପଡୁଥିବାରୁ ସହାୟତା ରାଶି ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଦେଖାକରିବାକୁ ଚାହୁଁଛନ୍ତି । ଅଭିନବ ଉପାୟରେ ବିକ୍ଷୋଭ କରି ଗଣମାଧ୍ୟମରେ ନିଜ ସ୍ଥାନ ବଜାୟ ରଖି ସଫଳ ହୋଇପାରିଛନ୍ତି ଏମାନେ । ଏମାନଙ୍କ ଲଗାତାର ଦାବି ରହିଛି ପ୍ରଧାନମନ୍ତ୍ରୀଙ୍କୁ ଦେଖାକରିବା ।

ଏଥିପାଇଁ କେତେବେଳେ ଗଳାରେ ମଣିଷ ଖପୁରୀ ଆଉ କେତେବେଳେ ଉଲଗ୍ନ ହୋଇ କରିଛନ୍ତି ପ୍ରତିବାଦ । କେତେବେଳେ ମହିଳାଙ୍କ ପରି ବେଶ ହୋଇ ତ କେତେବେଳେ ପାଟିରେ ମୂଷା ରଖି ବିକ୍ଷୋଭ କରିଥିଲେ । ତେବେ ସବୁଠାରୁ ସୀମା ସେତେବେଳେ ଟପିଥିଲା ଯେତେବେଳେ ପରିଶ୍ରା କରି ପିଇଥିଲେ । ତେବେ ଏତେ ସବୁ ପରେ ବି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦେଖା କରିନଥିଲେ । ଆଉ ହାରିଯାଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନୀସ୍ୱାମୀଙ୍କ ଆଶ୍ୱାସନା ପାଇ ୨୫ ମେ’ ଯାଏ ଆନ୍ଦେଳନକୁ ସ୍ଥଗିତ ରଖିଛନ୍ତିି । ତେବେ ପ୍ରଶ୍ନ ଉଠୁଛି ମୋଦି କାହିଁକି ଏମାନଙ୍କୁ ଦେଖା କଲେନାହିଁ । ଯାହାକୁ ନେଇ ଅନେକ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଏବେ ଜାଣନ୍ତୁ କାହିଁକି ନୀରବ ଅଛନ୍ତି ମୋଦି ।

• ପ୍ରଥମ କାରଣ ହେଉଛି ସମ୍ବିଧାନରେ କୃଷି ହେଉଛି ରାଜ୍ୟର ବିଷୟ । ତେଣୁ ପ୍ରଧାନମନ୍ତ୍ରୀ କୌଣସି ରାଜ୍ୟର ଏହି ସମସ୍ୟାରେ ସିଧାସଳଖ ହସ୍ତକ୍ଷେପ କରିବାକୁ ଚାହୁଁନାହାଁନ୍ତି ।

• ପ୍ରଧାନମନ୍ତ୍ରୀ ଆନ୍ଦେଳନକାରୀଙ୍କୁ ଦେଖା ନକରିବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ମୋଦି ଚାହୁଁଛନ୍ତି ସବୁ ରାଜ୍ୟ ୟୁପି ମଡେଲ୍ ଅନୁସରଣ କରନ୍ତୁ । ଅର୍ଥାତ୍ ୟୁପି ପରି କୃଷି ଋଣ ଛାଡ କରିବାକୁ । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ରାଜକୋଷରେ ଭାର ପକାଇ ଚାଷୀଙ୍କୁ କୃଷି ଋଣ ଛାଡ କରିଛନ୍ତି ।

• ସେହିପରି ଅନ୍ୟ ଏକ କାରଣ ହେଉଛି ୟୁପିଏ ସରକାରଙ୍କ କୃଷି ଋଣ ଛାଡ ଯୋଜନା ବିଫଳ ହେବା । ମନମୋହନ ସିଂଙ୍କ ସରକାର ୨୦୦୮ରେ କୃଷି ଋଣ ଛାଡ ଘୋଷଣା କରିଥିଲେ । କିନ୍ତୁ ଏହାଦ୍ୱାରା ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରିନଥିଲା ।

• ଆଉ ଏକ କାରଣ ହେଉଛି ଯଦି କେନ୍ଦ୍ର ସରକାର ଆଜି ତାମିଲନାଡୁର କୃଷି ଋଣ ଛାଡ କରନ୍ତି ତେବେ ଦେଖା ଦେଖି ଅନ୍ୟ ରାଜ୍ୟ ମଧ୍ୟ ଋଣ ଛାଡ ପାଇଁ ଦାବି କରିବେ । ଖାସ୍ କରି ଗୁଜୁରାଟ ଏବଂ ଅନ୍ୟ ରାଜ୍ୟ ଯେଉଁଠାରେ ଆଗକୁ ନିର୍ବାଚନ ଅଛି ।

• ତେବେ କେନ୍ଦ୍ର ସରକାର ମରୁଡି ପାଇଁ ତାମିଲନାଡୁକୁ ଏନଡିଆରଏଫ୍ ତରଫରୁ ୨୦୧୪.୪୫ କୋଟି ଟଙ୍କା ସହାୟତା ରାଶି ଦେଇସାରିଛି । ଜନ୍ତର ମନ୍ତର ଠାରେ ଚାଷୀ ବିକ୍ଷୋଭ କରିବାର ଠିକ୍ ୧୫ ଦିନ ପରେ ମାର୍ଚ୍ଚ ମାସରେ ସରକାର ତାମିଲନାଡୁକୁ ଏତେ ବଡ ରାଶି ଜାରି କରିସାରିଛି ।

• ଅନ୍ୟ ଏକ କାରଣ ହେଉଛି ଆନ୍ଦୋଳନକାରୀଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ କୃଷିମନ୍ତ୍ରୀ ରାଧାମୋହନ ସିଂହ ସାକ୍ଷାତ କରିସାରିଛନ୍ତି । ଏବଂ ସହୟତା ପାଇଁ ସମସ୍ତ ପ୍ରକାର ଆଶ୍ୱାସନା ଦେଇଛନ୍ତି । ତେବେ ଏହା ପରେ ମଧ୍ୟ ଚାଷୀମାନେ ଆନ୍ଦୋଳନ ବନ୍ଦ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କୁ ଦେଖାକରିବାକୁ ଦାବି କରୁଛନ୍ତିି ।

• ତେବେ ଅନ୍ଦୋଳନକାରୀ ଚାଷୀ କେନ୍ଦ୍ର ଠାରୁ ୪୦ହଜାର କୋଟି ଟଙ୍କା ସହାୟତା ଦାବି କରିଛନ୍ତି । ଯଦି ସରକାର ଏହାକୁ ପୁରା କରନ୍ତି ତେବେ ହଙ୍ଗାମା ହୋଇଯିବ । କାରଣ ଅନ୍ୟ ରାଜ୍ୟ ମାନେ ଏପରି ଦାବି କରିବେ ଯାହାକୁ ପୁରା କରିବା ସମ୍ଭବ ନୁହେଁ ।