ପୃଥିବୀରେ ଜୀବଜଗତ ଆଉ କେତେ ଦିନ ତିଷ୍ଠିବ ? ଏ ପ୍ରଶ୍ନର ଉତ୍ତର କେବେ ଖୋଜିଛନ୍ତି କି?

182

କନକ ବ୍ୟୁରୋ :  ଦିନକୁ ଦିନ ପୃଥିବୀରେ ନାନା ପରିବର୍ତ୍ତନ ଘଟୁଛି । ବିଜ୍ଞାନ ବଳରେ ମଣିଷ ସବୁକୁ ନିଜର ଅଧିନରେ ରଖିଛି ସତ , ହେଲେ ଯେଉଁଭଳି ଭାବେ ଦେଶ ଦେଶ ମଧ୍ୟରେ ପ୍ରତିଯୋଗିତା ଭାବ ରଖି ବିଭିନ୍ନ ଆଣବିକ ପରୀକ୍ଷଣ ହେଉ ବା ଅନ୍ୟାନ୍ୟ କଳକାରଖାନା ସ୍ଥାପିତ ହେଉ , ଏହାର ପ୍ରଭାବ ପୃଥିବୀର ବାୟୁମଣ୍ଡଳ ଉପରେ ପଡୁଛି । ପୃଥିବୀ ପ୍ରତି ପୁଣି ଥରେ ବିପଦ ଘନେଇ ଆସୁଛି । ଏଭଳି ବିପଦ ମାଡିଆସୁଛି , ଯାହା ଯୋଗୁଁ ପୃଥିବୀ ପୃଷ୍ଠରେ ଥିବା ସମସ୍ତ ଜୀବ ଲୋପ ପାଇଯିବେ । ଆଉ ମାତ୍ର ୮୩ ବର୍ଷ ପରେ ଅର୍ଥାତ୍ ୨୧୦୦ମସିହା ବେଳକୁ ଏହି ଘଟଣା ଘଟିବ ବୋଲି ଏବେ ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଅତୀତରେ ପୃଥିବୀ ପୃଷ୍ଠାରୁ ୫ଥର ଜୀବଜଗତର ସାମୁହିକ ବିଲୁପ୍ତି ଘଟିଛି । ଏବେ ଷଷ୍ଠ ଥର ପାଇଁ ଏଭଳି ହେବାକୁ ଯାଉଛି ।

ଆମେରିକା ସ୍ଥିତ ମାସାଚୁସେଟସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର କିଛି ଗବେଷକ ଏହି ବିଷୟ ଉପରେ ଅଧ୍ୟୟନ କରିଥିଲେ । ଗବେଷକ ଦଳର ନେତୃତ୍ୱ ନେଉଥିବା ଡାନିଏଲ ରଠମ୍ୟାନ୍ କହିଛନ୍ତି ଯେ , ସେମାନେ ଗତ ୫୪୦ ନିୟୁତ ବର୍ଷ ଭିତରେ ପୃଥିବୀ ପୃଷ୍ଠରେ ଚାଲୁଥିବା କାର୍ବନ ଚକ୍ରରେ ଆସିଥିବା ବଡ ଧରଣର ପରିବର୍ତ୍ତନ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ପୂର୍ବରୁ ଯେତେଥର ପୃଥିବୀରୁ ଜୀବଜଗତର ବିଲୁପ୍ତି ଘଟିଥିଲା , ସେତେବେଳେ କାର୍ବନ ଚକ୍ରରେ କିଛି ପରିବର୍ତ୍ତନ ଆସିଥିଲା କି ନାହିଁ ତାହା ସେମାନେ ଜାଣିବାକୁ ଚେଷ୍ଟା କରିଥିଲେ । ଏସବୁ ତଥ୍ୟକୁ ଗାଣିତିକ ସୂତ୍ରରେ ପ୍ରୟୋଗ କରି ସେମାନେ ଆକଳନ କରିଛନ୍ତି ଯେ ୨୧୦୦ ମସିହା ବେଳକୁ ପୁଣି ଥରେ ସେଇ ପ୍ରକାର ସ୍ଥିତି ସୃଷ୍ଟି ହେବାକୁ ଯାଉଛି ।

ଏହାକୁ ବୁଝିବାକୁ ହେଲେ ପ୍ରଥମେ କାର୍ବନ ଚକ୍ର କ’ଣ ତାହା ଜାଣିବାକୁ ପଡିବ । ପୃଥିବୀରେ ଥିବା ଉଦ୍ଭିଦମାନେ କାର୍ବନ(ଅଙ୍ଗାରକ)କୁ ଖାଦ୍ୟପସ୍ତୁତି ପାଇଁ ବ୍ୟବହାର କରନ୍ତି । ଯେତେବେଳେ ଗଛଗୁଡିକ ମରିଯା’ନ୍ତି ବା ମାଟି ତଳେ ପୋତି ହୋଇଯା’ନ୍ତି , ବିଘଟନ ପ୍ରକ୍ରିିୟା ଯୋଗୁଁ ସେଗୁଡିକ କୋଇଲା ଓ ଅଶୋଧିତ ତୈଳରେ ରୂପାନ୍ତରିତ ହୋଇଯା’ନ୍ତି । ମଣିଷ ଯେତେବେଳେ ଏହି କୋଇଲା ଓ ଇନ୍ଧନ ବ୍ୟବହାର କରେ , ସେଥିରୁ ଅଙ୍ଗାରକାମ୍ଲ ବାହାରି ବାୟୁମଣ୍ଡଳରେ ମିଶେ । ବାୟୁମଣ୍ଡଳରେ ଥିବା କାର୍ବନରୁ ଅଧା ସମୁଦ୍ରରେ ମିଶିଥାଏ , ଯାହାଯୋଗୁଁ ସମୁଦ୍ର ପାଣି ଅଧିକ ଅମ୍ଲଯୁକ୍ତ ହୋଇଥାଏ । ଏପରି ହେଲେ ସେଥିରେ ଜୀବ ତିଷ୍ଠିବା କଷ୍ଟକର ହୋଇଥାଏ । ପ୍ରକୃତିରୁ କାର୍ବନ ଜୀବମାନଙ୍କ ଦେହକୁ ଯାଇ ପୁଣି ଥରେ ସେଇ ପ୍ରକୃତିକୁ ଫେରିଆସିବାର ପ୍ରକ୍ରିୟାକୁ କାର୍ବନ ଚକ୍ର କହନ୍ତି ।

ପୂର୍ବରୁ ଯେତେବେଳେ ସାମୂହିକ ବିଲୁପ୍ତି ହୋଇଥିଲା, ସେତେବେଳେ ସମୁଦ୍ରରେ ପ୍ରାୟ ୩୧୦ ଗିଗାଟନ କାର୍ବନ ମିଶିଥିଲା । ୨୧୦୦ ମସିହା ବେଳକୁ ସମୁଦ୍ରରେ ଏତିକି ମାତ୍ରାର କାର୍ବନ ମିଶିବ ଯାହାର ନକରାତ୍ମକ ପ୍ରଭାବ ପରିବେଶ ଓ ଜୀବଜଗତ ଉପରେ ପଡିବ । ଏହି ଆକଳନ ଅନୁଯାୟୀ, ବିଶ୍ୱରେ ଶିଳ୍ପ ବିପ୍ଳବ ଆରମ୍ଭ ହେବା ଠାରୁ ମଣିଷର କାର୍ଯ୍ୟକଳାପ ଯୋଗୁଁ ବାୟୁମଣ୍ଡଳକୁ ୧୫୪୦ ବିଲିୟନ ଟନ ଅଙ୍ଗାରକାମ୍ଲ ପ୍ରବେଶ କରିଛି । ଅନ୍ୟ ପକ୍ଷରେ କହିବାକୁ ଗଲେ ପୃଥିବୀ ପୃଷ୍ଠରୁ ଚନ୍ଦ୍ର ଯାଏଁ (୨,୪୦,୦୦୦ମାଇଲ) ୭୨ଫୁଟ ଲମ୍ବା ବାହୁଥିବା ଏକ ବର୍ଗାକାର ଟାୱାର ନିର୍ମାଣ କରାଗଲେ , ତାହାର ଆକାର ଯେତିକି ହେବ , ମଣିଷ ଇତି ମଧ୍ୟରେ ସେତିକି କୋଇଲା ବ୍ୟବହାର କରିସାରିଲାଣି । ଏହାଯୋଗୁଁ ଯେତିକି ଅଙ୍ଗାରକାମ୍ଲ ନିର୍ଗମନ ହୋଇଛି ,ତାହାର ଅଧା ବାୟୁମଣ୍ଡଳରେ ଥିବା ବେଳେ ବାକି ଅଧା ସମୁଦ୍ରରେ ମିଶୁଛି । ଆଉ ସମୁଦ୍ରରେ ମିଶୁଥିବା କାର୍ବନର ପରିମାଣ ଏବେ ଆହରୁ ତୀବ୍ର ଗତିରେ ବଢିବାରେ ଲାଗିଛି । ୨୧୦୦ ମସିହା ବେଳକୁ ଏହା ଅତି ବିପଜନକ ସ୍ଥିତିରେ ପହଁଚିଯିବା ଏହାଯୋଗୁଁ ଜୀବଜଗତର ବିଲୁପ୍ତି ଆରମ୍ଭ ହେବ ବୋଲି ରଠମ୍ୟାନ କହିଛନ୍ତି ।