ଜଣେ ନିଆରା ବ୍ୟକ୍ତିତ୍ୱ ! ପେଶାରେ ଚା’ଦୋକାନୀ କିନ୍ତୁ ନିଶା ସମାଜସେବା

27

କନକ ବ୍ୟୁରୋ : ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି ଭିିନ୍ନ କରିଦେଖେଇବା ପାଇଁ ଚିନ୍ତା କରିଥା’ନ୍ତି । ଆଉ ତାହା କରିଥା’ନ୍ତି ମଧ୍ୟ । ଦୁନିଆ ସେହି ମହାନ ବ୍ୟକ୍ତିକୁ ସଲାମ କରେ । ତାଙ୍କର ଭଲ କାମ ପାଇଁ ସେ ଚିରନମସ୍ୟ ପାଲଟି ଯାଆନ୍ତି । ଅନେକ ନଜିର ରହିଛିି ଆମ ସମାଜରେ । ଏମିତି ଜଣେ ହେଲେ କଟକର ଡି.ପ୍ରକାଶ ରାଓ । ପେସାରେ ସେ ଜଣେ ଚା’ ଦୋକାନୀ । ନିଶା କିନ୍ତୁ ସମାଜସେବା । ନିଜେ ସ୍କୁଲ ମାଟି ମାଡି ନାହାନ୍ତି ହେଲେ, ବସ୍ତିରେ ରହୁଥିବା ପିଲାଙ୍କୁ ପଢାଇବା ପାଇଁ ତାଙ୍କର ରହିଛି ଅଦମ୍ୟ ଇଛାଶକ୍ତି ।

୧୯୭୬ମସିହାରୁ ବକ୍ସିବଜାର ଛକରେ ଚା’ ଦୋକାନ ଖୋଲିଛନ୍ତି ଡି.ପ୍ରକାଶ ରାଓ । ସମାଜ ସୁଧାରିବା ହେଉଛି ତାଙ୍କର ମୂଳଲକ୍ଷ୍ୟ । ଦୈନିକ ଜୀବନରେ ସେ ସମାଜର ଅବହେଳିତଙ୍କ ପାଇଁ କିଛି କରିବା ପାଇଁ ଅଣ୍ଟାଭିଡିଛନ୍ତି । ସେ ବସ୍ତିବାସିନ୍ଦା ପିଲାଙ୍କ ପାଇଁ ସ୍କୁଲ ଖୋଲିଛନ୍ତି । ଏହି ସ୍କୁଲର ନାଁ ରହିଛି ‘ଆଶା ଓ ଆଶ୍ୱାସନା’ । ଆଉ ଏହାରି ମାଧ୍ୟମରେ ସେ ପିଲାଙ୍କୁ କରୁଛନ୍ତି ଶିକ୍ଷିତ । ଆଜି ଏଥିପାଇଁ ସେ ସମସ୍ତଙ୍କର ପାଲଟିଛନ୍ତି ପ୍ରିୟ ପାତ୍ର ।

ଡି.ପ୍ରକାଶ ରାଓଙ୍କ ଦୈନିକ କର୍ମ ଆରମ୍ଭ ହୁଏ ଏହି ଚା ଦୋକାନରେ । କଟକର ବକ୍ସି ବଜାରରେ ଥିବା ଏହି ଚା ଦୋକାନଟି ପ୍ରତିଦିନ ଦୁଇଥର ସକାଳ ଓ ସନ୍ଧ୍ୟାରେ ଖୋଲେ । ପ୍ରତିଦିନ ସକାଳ ୬ଟାରେ ଆରମ୍ଭ ହୁଏ ରାଓଙ୍କର ଚା ଦୋକାନ । ଆଉ ପାଖାପାଖି ୧୦ଟା ଯାଏ ସେହି ଦୋକନରେ ରୁହନ୍ତି । ତାପରେ ସେ ଚାଲିଯାନ୍ତି ପିଲାଙ୍କୁ ପାଠ ପଢାଇବା ପାଇଁ । ସେ ନିଜେ ଗଢିଥିବା ଏହି ବସ୍ତି ସ୍କୁଲ୍ ‘ଆଶା ଓ ଆଶ୍ୱାସନା’ । ଏହି ସ୍କୁଲ ଏବେ ସାରା ରାଜ୍ୟରେ ଚର୍ଚ୍ଚିତ । ଡି ପ୍ରକାଶ ରାଓକୁ ତାଙ୍କର ଏହି ଉଦମ୍ୟ ବିଷୟରେ ପଚାରିଲେ ସେ ହସ ହସ ମୁହଁରେ କୁହନ୍ତି, ‘ ଏ ଚା ଦୋକାନଟି ହେଉଛି ୫୪ ବର୍ଷର । କଟକର ସବୁଠୁ ପୁରୁଣା ଦେକାନ କହିଲେ ଅତ୍ୟୁକ୍ତି ହେବନାହିଁ । ଯେତେବେଳେ ମୋର ବୟସ ଥିଲା ୬ ବର୍ଷ , ମୁଁ ସେତେବେଳୁ ଏ କାମ କରୁଛି । ଆଉ ଏବେ ମୋତେ ୬୦ ବର୍ଷ । ଆଉ ଏ ବ୍ୟବହାୟ କରି ମୁଁ ମୋ ପରିବାର ଚଳାଉଛି । ଆଉ ଯାହା ଅର୍ଥ ରୋଜଗାର କରେ ତାର କିଛି ଅଂଶକୁ ମୁଁ ଗରିବ ବସ୍ତି ଅଂଚଳର ପିଲାମାନଙ୍କୁ ପାଇଁ ଖର୍ଚ୍ଚ କରୁଛି ଭାତ ଡାଲି ଦେଇ ପଢାଇ ତାଙ୍କୁ ନୂଆ ସ୍ୱପ୍ନ ଦେଖାଉଛି ।’

ଗତ ୨୦୦୦ମସିହାରୁ ଡି.ପ୍ରକାଶ ରାଓ ନିଜ ଘରୁ ଆରମ୍ଭ କରିଥଲେ ଏକ ଛୋଟିଆ ସ୍କୁଲ୍ । ତାଙ୍କର ଦୁଇ ବଖରାର ଚାଳ ଘର । ଗୋଟିଏ ବଖରାରେ ପରିବାର ଲୋକ ରହିବା ସହ ଅନ୍ୟ ଏକ ବଖରାରେ ସେ ସ୍କୁଲ୍ ଚଳାନ୍ତି । ସେଦିନର ସେହି ଛୋଟିଆ ସ୍କୁଲଟି ଆଜି ଏକ ବଡ ସ୍କୁଲରେ ପରିଣତ ହୋଇପାରିଛି । ପିଲାମାନେ ମହାଆନନ୍ଦରେ ପାଠପଢୁଛନ୍ତି । ଏଠାରେ ନାଚ ଗୀତ ସହ ପାଠ ପଢାଉ ଆନନ୍ଦ ନେଉଛନ୍ତି । ଏଠାରେ ଡି.ପ୍ରକାଶ ପ୍ରାଥମିକ ଶ୍ରେଣୀରୁ ଆରମ୍ଭ କରି ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢାଉଛନ୍ତି । ମୋଟ ପିଲା ଏବେ ୭୫ ଜଣ । ସେମାନେ ଏଠାରୁ ଦ୍ୱିତୀୟ ଶ୍ରେଣୀ ପାସ୍ କଲା ପରେ ସେ ନିଜେ ଅନ୍ୟ ସ୍କୁଲରେ ନାଁ ଲେଖେଇଦିଅନ୍ତି । ଆଜି ତାଙ୍କରି ପିଲା ମାଟ୍ରିକ୍ ପାସକରି କଲେଜରେ ପଢୁଛନ୍ତି ବୋଲି ଖୁବ୍ ଖୁସିରେ କୁହନ୍ତି ଡି. ପ୍ରକାଶ ରାଓ ।

ଡି.ପ୍ରକାଶ ରାଓ କୁହନ୍ତି ଯେ, ମୋ ସ୍କୁଲରେ ଯେଉଁ ପିଲାମାନେ ପାଠପଢୁଛନ୍ତି , ସେମାନେ ଖୁବ୍ ଅବହେଳିତ ପିଲା । ସେମାନଙ୍କର ବାପା-ମା ଥାଇ ବି ସେମାନେ ପାଠପଢାରୁ ବଂଚିତ ଥାନ୍ତି । ଦୋକାନରେ ଭଲ ଚା ଦେଇ ଲୋକଙ୍କ ମନ ଜିଣିବା ସହ ବସ୍ତି ପିଲାକୁ ମଣିଷ କରିବାର ଉଦମ୍ୟକୁ ସମସ୍ତେ ପ୍ରଶଂସା କରନ୍ତି । ଖାଲି ଏତିକି ନୁହେଁ ରକ୍ତଦାନ କରିଥାନ୍ତି ପ୍ରକାଶ ରାଓ । ଯେତେବେଳେ ଯାହାର ରକ୍ତ ଦରକାର ପଡେ ସେ ବ୍ଲଡ ବ୍ୟାଙ୍କକୁ ଯାଇ ଦେଇଥାନ୍ତି । ଆଉ ଏହି ସମାଜ ସେବା ପାଇଁ ସେ ପାଇଛନ୍ତି ଅନେକ ପୁରସ୍କାର ଓ ମାନପତ୍ର ।

ଆଜି ଜଣେ ନିଆରା ମଣିଷ ପାଲଟି ଯାଇଛି ଡି.ପ୍ରକାଶ ରାଓ । ସ୍ନେହୀ ହୃଦୟର ଜଣେ ସ୍ନେହୀ ମଣିଷ । ପଚାରିଲେ ହସିହସି କୁହନ୍ତି ‘ମୋ ଜୀବନତ ଏହି ସମାଜ ସେବା ପାଇଁ ଗଢା , ଆଉ ଏଥିରେ ମୁଁ ନିଜକୁ ପରିପୂର୍ଣ୍ଣ ମନେକରେ ।’

Comments are closed.