ଜଣେ ନିଆରା ଚିନ୍ତାଧାରାର ଯୁବକ : ହୋଟେଲରେ କାମ କରି ପିଲାଙ୍କ ପାଇଁ ଖୋଲିଛନ୍ତି ମାଗଣା ସ୍କୁଲ୍

70

ଜଣେ ନିଆରା ଶିକ୍ଷକ ମିଥୁନ କୁମାର । ରୁହନ୍ତି , ଅମୃତସରର ନେଙ୍ଗଲି ଗାଁରେ । ପିଲା ଦିନରୁ ପାଠ ପଢିବା ପାଇଁ ମନରେ ଥିବା ଏକ ଅଦମ୍ୟ ଇଚ୍ଛା । ଅତ୍ମହତ୍ୟା ଉଦମ୍ୟ କରି ସେ ବାପା ମା ଙ୍କୁ ରାଜି କରାଇଥିଲେ ପାଠ ପଢିବା ପାଇଁ । ତାଙ୍କର ସେହି ପାଗଳାମୀ ଆଜି ଶତାଧକ ଅଭବୀ ପିଲାମାନଙ୍କୁ ଶିକ୍ଷା ଗ୍ରହଣ କରିବାର ସୁ ଯୋଗ ତିଆରି କରିଛି । ନିଜ ସହ ପୁରା ଗାଁର ପିଲାମାନଙ୍କୁ ଶିକ୍ଷିତ କରିବାର ଲକ୍ଷ୍ୟ ନେଇ ନିଜ ରୋଜଗାରରେ ଚଳାଉଛନ୍ତି ଏକ ମାଗଣା ସ୍କୁଲ୍ । ଆଉ ଏହି ପ୍ରୟାସ ଜଣେ ସାଧାରଣ ପିଲାରୁ ଆଜି ଜଣେ ଚର୍ଚ୍ଚିତ ବ୍ୟକ୍ତି ପାଲଟି ଯାଇଛନ୍ତି ମିଥୁନ କୁମାର ।

ମିଥୁନଙ୍କ ଜନ୍ମ ହୋଇଥିଲା ବିହାରରେ । ମାତ୍ର ତାଙ୍କ ଜନ୍ମର କିଛି ବର୍ଷ ପରେ ପରିବାର ଚାଲିଆସିଥିଲେ ଅମୃତସର । ଏଠାରେ ତାଙ୍କ ବାପା ରିକ୍ସା ଚଳାଇ ପରିବାର ଚଳାଇବା ଆରମ୍ଭ କରିଥିଲେ । ସୀମିତ ରୋଜଗାରରେ ଘର ଚଳାଇବା କଷ୍ଟକର ହୋଇପଡିବାରୁ ମିଥୁନଙ୍କ ଭାଇ ଭଉଣୀମାନେ ନିଜ ଖୁସିରେ ପାଠପଢା ଛାଡି ଦେଇଥିଲେ । କିନ୍ତୁ ମିଥୁନ ସେମାନଙ୍କ ଠାରୁ ଥିଲେ ଭିନ୍ନ । ବାପାଙ୍କୁ ସହ ଯୋଗ କରିବା ପାଇଁ ସେ ଏକ ଚା’ ଦୋକାନରେ କାମ ତ କରୁଥିଲେ , କିନ୍ତୁ ପାଠପଢାରୁ ତାଙ୍କର ଧ୍ୟାନ ହଟିନଥିଲା । କିନ୍ତୁ ବାପା ମା’ଙ୍କର ଇଚ୍ଛା ଥିଲା ପୁଅ ସଂପୂର୍ଣ୍ଣ ରୂପେ ରୋଜଗାରରେ ମନ ଦେଉ । ମିଥୁନ ସର୍ବଦା ଏହାର ବିରୋଧ କରିଆସୁଥିଲେ । ପାଠପଢିବା ଲାଗି ସେ ପାଗଳପ୍ରାୟ ହୋଇଯାଇଥିଲେ । ଏପରିକି ନିଜ ହାତ କାଟି ବାପା ମା’ଙ୍କୁ ଜିଦ୍ କରିଥିଲେ ପାଠ ପଢିବାକୁ । ପୁଅର ଜିଦ୍ ଆଗରେ ଶେଷରେ ମୁଣ୍ଡ ନୁଆଁଇଥିଲେ ବାପା-ମା ।

ସମୟ କ୍ରମେ ମିଥୁନ ସ୍କୁଲ୍ ପଢା ସାରି କଲେଜରେ ପ୍ରବେଶ କରିଥିଲେ । ଯୁକ୍ତ ଦୁଇ ଶେଷ ହେବା ବେଳକୁ ତାଙ୍କ ମନକୁ ଆସିଥିଲା ଏକ ଧାରଣା । ତେବେ ଏହି ଧାରଣା ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇ ଆସିଥିଲା । ସେ ସିନା ଜିଦ୍ କରି ନିଜ ପାଇଁ ଉଚ୍ଚଶିକ୍ଷାର ସୁଯୋଗ ସୃଷ୍ଟି କରିଥିଲେ , ମାତ୍ର ତାଙ୍କ ପରି ଏପରି ଅନେକ ପିଲା ରହିଥିଲେ ,ଯେଉଁମାନେ ପରିବାରର ବାରଣ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଉଥିଲେ । ସେମାନଙ୍କ ଉନ୍ନତି ନିମନ୍ତେ ଯେଉଁ ଧାରଣାଟି ତାଙ୍କ ମନକୁ ଆସିଥିଲା ତାହା ଥିଲା ଏକ ମାଗଣା ସ୍କୁଲ କରିବା । ସମୟ ନଷ୍ଟ ନକରି ସେ ରହୁଥିବା ନଙ୍ଗଲୀ ଗାଁର ଏକ ଭଙ୍ଗା ଘରେ ଆରମ୍ଭ କରିଥିଲେ ସ୍କୁଲ୍ । ସ୍କୁଲରେ ପ୍ରଥମେ ଥିଲେ ମାତ୍ର ୧୦ ଜଣ ବିଦ୍ୟାର୍ଥୀ । ଆଉ ସେମନାଙ୍କୁ ବହି , ଖାତା , ୟୁନିଫର୍ମ ଆଦି ଯୋଗାଇଦେବା ପାଇଁ ମିଥୁନ ଏକ ହୋଟେଲରେ କେଟରର ଭାବେ କାମ କରିଥିଲେ । ଏହାବ୍ୟତୀତ ଅଧିକ ଆୟ ନିମନ୍ତେ ବିବାହ , ଜନ୍ମଦିନ ଆଦି ଉତ୍ସବରେ ମଧ୍ୟ କେଟରର କାମ କରିଦେଉଥିଲେ । ନିଜ ପ୍ରତି ସ୍ୱଳ୍ପ ଖର୍ଚ୍ଚ କରି ସେ ପିଲାମାନଙ୍କ ପଢିବା ନିମନ୍ତେ ଭିନ୍ନ ଭିନ୍ନ ଉପକରଣ ଯୋଗାଡ କରୁଥିଲେ । ଏସବୁ ମଧ୍ୟରେ ସେ ଯୁକ୍ତ ତିନିରେ ଆଡମିଶନ ମଧ୍ୟ ନେଇସାରିଛନ୍ତି । ଏବେ ସେ ଯୁକ୍ତ ତିନି ବର୍ଷ ଶେଷ ବର୍ଷର ଛାତ୍ର ।

ଭଙ୍ଗା ଘରେ ଆରମ୍ଭ ହୋଇଥିବା ମିଥୁନଙ୍କ ସ୍କୁଲ୍ ଏବେ ସୁଗଠିତ ସ୍କୁଲ ହୋଇଯାଇଛି । ଯାହାର ନାମ ରହିଛି ଏମ୍ ରିଅଲ । ଯେଉଁଠାରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଢୁଛନ୍ତି । ସେମାନଙ୍କୁ ପଢାଇବା ପାଇଁ ମିଥୁନଙ୍କ ବ୍ୟତୀତ ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ରହିଛନ୍ତି । ମିଥୁନଙ୍କ ଏହି ପ୍ରୟାସ ସାରା ଅମୃତସରରେ ପ୍ରଚାରିତ ହୋଇଯାଇଛି । ଫଳରେ ଅନେକ ସହୃଦୟ ବ୍ୟକ୍ତି ସହାୟତା ମିଳୁଛି । ଏହି ବ୍ୟକ୍ତି ମାନେ ସ୍କୁଲର ପରିଚାଳନା ନିମନ୍ତେ ଆର୍ଥିକ ସହାୟତା ଯୋହାଇ ଦେଉଛନ୍ତି । କେବଳ ଆର୍ଥିକ ସହାୟତା ନୁହେଁ ଏଥିପାଇଁ ମିଥୁନଙ୍କୁ ଅନେକ କାର୍ଯ୍ୟକ୍ରମରେ ପୁରସ୍କୃତ ମଧ୍ୟ କରାଯାଇଛି । ଏତେ ସବୁ ପ୍ରଶଂସା ଓ ସହ ଯୋଗ ପାଇଲା ପରେ ବି ମିଥୁନ ସେମିତି ହୋଟେଲରେ କାମ କରିବା ଜାରି ରଖିଛନ୍ତି । କାରଣ ଆଗାମୀ ଦିନରେ ସେ ଅଧିକ ଅଧିକ ପିଲାଙ୍କ ଭବିଷ୍ୟତ ଗଢିବାକୁ ସ୍ୱପ୍ନ ଦେଖିଛନ୍ତି । ଶିକ୍ଷା ପ୍ରଦାନ ସହ ନିଜ ଗାଁ ର ଅନେକ ଉନ୍ନତୁ ମୂଳକ କାଯ୍ୟରେ ମଧ୍ୟ ମନ ଦେଉଚନ୍ତି ମିଥୁନ । ଆଉ ମିଥୁନ ନିଜ ଗାଁରେ ଓ ସାରା ଅମୃତସରରେ ଜଣେ ଆଦର୍ଶ ବ୍ୟକ୍ତିତ୍ୱ ପାଲଟିଯାଇଛନ୍ତି ।

(ସୌଜନ୍ୟ-ଟ୍ରାଇବୁନ ଇଣ୍ଡିଆ)