କମିଲା ଜିଏସଟି: ଶସ୍ତା ହେଲା ଆଉ ୨୭ଟି ସାମଗ୍ରୀ

72

ବିମୁଦ୍ରାକରଣ ଏବଂ ଜିଏସଟି କାର୍ଯ୍ୟକାରୀ ହେବାପରେ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୫.୭ ପ୍ରତିଶତକୁ କମିଯିବା ପରେ ସରକାରଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଉଛି । ଏହି ସମାଲୋଚନାରୁ ବର୍ତ୍ତିବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ୨୭ଟି ସାମଗ୍ରୀର ଟିକସକୁ କମାଇ ଦିଆଯାଇଛି । ଏଥିସହିତ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଜିଏସଟି ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସରଳ କରାଯାଇଥିବାବେଳେ କମ୍ପୋଜିସନ୍ ସ୍କିମର ସୀମାକୁ ମଧ୍ୟ ବଢ଼ାଇ ଦିଆଯାଇଛି ।

ଅଣ ବ୍ରାଣ୍ଡେଡ୍ ନମକିନ, ଅଣ ବ୍ରାଣ୍ଡେଡ୍ ଆୟୁର୍ବେଦ ଔଷଧ, ରବର, ପ୍ଲାଷ୍ଟିକ୍ ଏବଂ କାଗଜର ବର୍ଜ୍ୟବସ୍ତୁ, ଶିଶୁ ଖାଦ୍ୟ, ଖାକରା ଓ ଚପାତି ଆଦି ଉପରେ ଜିଏସଟିକୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଜରି କାମ, ଇମିଟେସନ୍ ଗହଣା ଏବଂ ଛପା ସାମଗ୍ରୀ ଉପରେ ଜିଏସଟି ମଧ୍ୟ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ହାତ ତିଆରି ସୂତା ଉପରୁ ଜିଏସଟି ୧୨ ପ୍ରତିଶତକୁ କରାଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ବୟନ ଶିଳ୍ପ ଲାଭବାନ ହେବ ବୋଲି ଆଶା ରଖାଯାଇଛି ।

ଗତକାଲି ଜିଏସଟି ପରିଷଦର ୨୨ତମ ବୈଠକରେ ଦିନତମାମ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହି ଜଟିଳ ନୂତନ ଟିକସ ବ୍ୟବସ୍ଥାର ନିୟମ ପାଳନ କରିବାରେ ବ୍ୟବସାୟୀମାନେ ସାମ୍ନା କରୁଥିବା ଅସୁବିଧାଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ।ବୈଠକ ଶେଷ ହେବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି ଯେ, ୧.୫ କୋଟି ଟଙ୍କାର କାରବାର କରୁଥିବା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥା (ଏସଏମଇ)ଗୁଡ଼ିକ ତିନି ମାସରେ ଥରେ ରିଟର୍ଣ୍ଣ ଦାଖଲ କରିପାରିବେ । ସେମାନଙ୍କୁ ଆଉ ପ୍ରତି ମାସରେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ। ଜିଏସଟି ପରିଷଦର ଏହି ନିଷ୍ପତ୍ତି ଦ୍ୱାରା ୯୦ ପ୍ରତିଶତ ଟିକସଦାତା ଲାଭବାନ ହେବେ । ବ୍ୟବସାୟୀମାନେ ଜଟିଳ ଜିଏସଟି ନେଟଓ୍ଵର୍କ ପ୍ରକ୍ରିୟା ଏବଂ ବର୍ଦ୍ଧିତ ନିୟମ ପାଳନ ଶୁଳ୍କକୁ ନେଇ ଅଭିଯୋଗ କରୁଥିଲେ ।

ଜିଏସଟି କମ୍ପୋଜିସନ୍ ସ୍କିମର ସୀମା ମଧ୍ୟ ୭୫ ଲକ୍ଷ ଟଙ୍କାରୁ ବଢ଼ାଇ ୧ କୋଟି ଟଙ୍କା କରାଯାଇଛି। ଯେଉଁ ବ୍ୟବସାୟୀମାନେ ଏହି ସ୍କିମର ଲାଭ ହାସଲ କରିବେ ସେମାନଙ୍କୁ ଆଉ ଜଟିଳ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ ନାହିଁ। ସେମାନଙ୍କୁ କେବଳ ୧ରୁ ୫ ପ୍ରତିଶତ ମଧ୍ୟରେ ଟିକସ ଦେବାକୁ ପଡ଼ିବ। କମ୍ପୋଜିସନ୍ ସ୍କିମରେ ବ୍ୟବସାୟୀମାନଙ୍କୁ ୧ ପ୍ରତିଶତ, ନିର୍ମାତାମାନଙ୍କୁ ୨ପ୍ରତିଶତ ଏବଂ ରେସ୍ତୋରାଁଗୁଡ଼ିକୁ ୫ପ୍ରତିଶତ ଟିକସ ଦେବାକୁ ପଡ଼ିବ ବୋଲି ଜେଟଲି କହିଛନ୍ତି ।

ରପ୍ତାନିକାରୀମାନଙ୍କ ପାଇଁ ମଧ୍ୟ ଜିଏସଟି ପରିଷଦ କେତେକ ସ୍ୱାଗତଯୋଗ୍ୟ ପଦକ୍ଷେପ ଘୋଷଣା କରିଛି । ରପ୍ତାନିକାରୀମାନଙ୍କୁ ଜୁଲାଇ ଏବଂ ଅଗଷ୍ଟ ମାସର ରିଟର୍ଣ୍ଣ ଚେକ୍ ଜରିଆରେ ଅକ୍ଟୋବର ୧୦ ଏବଂ ଅକ୍ଟୋବର ୧୮ରେ ପ୍ରଦାନ କରାଯିବ । ୨୦୧୮ ଏପ୍ରିଲ୍ ୧ ସୁଦ୍ଧା ରପ୍ତାନିକାରୀମାନଙ୍କ ପାଇଁ ଇ-ଓ୍ଵାଲେଟ୍ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ଜରିଆରେ ସବୁ କିଛି ପ୍ରକ୍ରିୟାକରଣ କରାଯିବ । ଇ-ଓ୍ଵ ବିଲ୍ ଆରମ୍ଭ କରିବା ସମୟ ସୀମା ୨୦୧୮ ମାର୍ଚ ୩୧ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ମୋଟ ଉପରେ କହିବାକୁ ଗଲେ, ଦ୍ରବ୍ୟ ଓ ସେବା କର ପରିଷଦ ବୈଠକରେ ପୁଣି ସଂସ୍କାର ଉଦ୍ୟମ । ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୨୭ଟି ସାମଗ୍ରୀ ଉପରେ ଜିଏସଟି ଦରକୁ କମାଇବା ନେଇ ନିଷ୍ପତ୍ତି ହୋଇଛି । ସାଧାରଣ ଲୋକଙ୍କ ପାଇଁ ଏହି ବୈଠକରୁ କ’ଣ ଆସିଲା ନିଷ୍ପତ୍ତି । ଯେଉଁ ସାମଗ୍ରୀ ହେବ ଶସ୍ତା । କେଉଁ ସାମଗ୍ରୀ ଉପରେ କମିଲା ଜିଏସଟି । ଏବେ ଆସନ୍ତୁ ନଜର ପକାଇବା ଜିଏସଟି ବୈଠକର କିଛି ପ୍ରମୁଖ ନିଷ୍ପତ୍ତି ଉପରେ ।

– ୨ଲକ୍ଷ ଯାଏଁ ଗହଣା କିଣାବିକାରେ ଲାଗିବନି ପ୍ୟାନ୍ ନମ୍ବର

– ପୂର୍ବରୁ ୫୦ ହଜାର ଟଙ୍କାରୁ ଅଧିକ ହେଲେ ପ୍ୟାନ୍ ଲାଗୁଥିଲା

– ଏସି ରେସ୍ତୁରାଁ ପାଇଁ ୧୮% ବଦଳରେ ୫% କର ଦେବେ ମାଲିକ

– ଆୟୁର୍ବେଦ ଔଷଧରେ ୧୨%ରୁ ୫%କୁ ଖସିଲା ଟ୍ୟାକ୍ସ

– ସାନିଟାରୀ ସାମଗ୍ରୀରେ ଜିଏସ୍ଟି ୨୮%ରୁ ୧୮କୁ ଖସିଲା

– ତନ୍ତବୁଣା ସୂତା ଉପରେ ଜିଏସ୍ଟି ୧୮%ରୁ ୧୨% ହେଲା

– ଶିଶୁଙ୍କ ପକେଟ ଖାଦ୍ୟ ସାମଗ୍ରୀ ଉପରେ ୧୮%ରୁ ୫% ହେଲା

– ଅଣବ୍ରାଣ୍ଡ ମିକ୍ସଚର, ସ୍ନାକ୍ସ ଆଦି ଉପରେ ୫% ଜିଏସ୍ଟି ଲାଗିବ

– ସାଧା ରୁଟି ଉପରେ ୧୨% ବଦଳରେ ୫% କର ଲାଗିବ

ସେହିପରି ଗହଣା ଏବଂ ରତ୍ନପଥର ଉପରେ ପୂର୍ବରୁ ଯେଉଁ ଜିଏସଟି ବିଜ୍ଞପ୍ତି ଜାରି କରାଯାଇଥିଲା ତାହାକୁ ପ୍ରତ୍ୟାହାର କରାଯାଇଛି। ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଖରିଦ କରୁଥିବା କୌଣସି ଲୋକଙ୍କୁ ପାନ୍ କିମ୍ବା ଆଧାର ବିବରଣୀ ପ୍ରଦାନ କରିବାକୁ ପଡ଼ିବ ନାହିଁ ବୋଲି ସରକାର ଜଣାଇଛନ୍ତି। ଏ ସମ୍ପର୍କିତ ବିଜ୍ଞପ୍ତି ଖୁବଶୀଘ୍ର ଜାରି କରାଯିବ। ରତ୍ନପଥର, ଗହଣା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କାରବାର କରୁଥିବା ଯେଉଁ ସଂସ୍ଥାଗୁଡ଼ିକର ବାର୍ଷିକ କାରବାର ପରିମାଣ ୨ କୋଟି ଟଙ୍କାରୁ ଅଧିକ ସେମାନେ ମନି ଲଣ୍ଡରିଂ ନିୟମ ପରିସରରେ ରହିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।