ସାଇବର ଆଟାକ ପୁଣି ଆଣିଲା ବିପଦ ! ୱାନାକ୍ରାୟଠାରୁ ବେଶି ଭୟଙ୍କର ‘ଇଟରନାଲ ରକ୍ସ’

37

ୱାନାକ୍ରାୟ ରାନସମୱେରର ନାଁ ତ ଆପଣ ଶୁଣିଥିବେ ନିଶ୍ଚୟ । କାରଣ ଏହି ଭାଇରସର ଶିକାର ହୋଇଛି ପାଖାପାଖି ୧୦୦ରୁ ଅଧିକ ଦେଶର ଲକ୍ଷାଧିକ କମ୍ପ୍ୟୁଟର । ଯାହାଦ୍ୱାରା ବେଶି ପ୍ରଭାବିତ ହୋଇଛି ୱିଡୋଜ୍ କମ୍ପ୍ୟୁଟର । ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣାପଡିଛି ଏହା ଏନଏସଏ ଦ୍ୱାରା ଡେଭଲପ କରାଯାଇଥିବା ଏକ ଟୁଲ । ଯାହାକୁ ହ୍ୟାକରମାନେ ଚୋରି କରି ଏହା ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ବ୍ୟବହାର କରୁଛନ୍ତି ।

ତେବେ ଏହି ଭାଇରସର ବିପଦ ବର୍ତ୍ତମାନ ଟଳିଛି କି ନାହିଁ । ଏବେ ‘ମାଲୱେର’ ନାମକ ପୁଣି ଏକ ବିପଦ ମାଡି ଆସୁଛି । ଯାହାକୁ ‘ଇଟରନାଲ ରକ୍ସ’ କୁହାଯାଉଛି । ବିଶେଷ କଥା ହେଲା ଏହା ମଧ୍ୟ ରାନସମୱେର ଭାଇରସ ଭଳି ଆମେରିକୀ ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସି ଦ୍ୱାରା ଡେଭଲପ କରାଯାଇଛି । ଯେଉଁଥି ପାଇଁ ଏହା ଅତ୍ୟନ୍ତ ଭୟଙ୍କର ଅଟେ । କାରଣ ଗବେଷକଙ୍କ ମତରେ, ଏହା ଗୋଟିଏ କମ୍ପ୍ୟୁଟରରୁ ଅନ୍ୟ ଏକ କମ୍ପ୍ୟୁଟରକୁ ବ୍ୟାପିବା ପାଇଁ ଏନଏସଏ ସହିତ ହ୍ୟାକିଂ ଟୁଲକୁ ମଧ୍ୟ ବ୍ୟବହାର କରିଥାଏ । ଏଥିରେ ଇଟରନାଲବ୍ଲୁ, ଇଟରନାଲଚାମ୍ପିୟନ, ଇଟରନାଲସାଇନର୍ଜି, ଡବଲପଲସର ଏବଂ ଏସଏମବିଟଚ୍ ଆଦି ସାମିଲ ଅଛି ।

କିପରି କାମ କରିଥାଏ ‘ମାଲୱେର’

ଏହି ଭାଇରସର କାମ କରିବା ତରିକା ଟିକେ ଭିନ୍ନ ଅଟେ । କାରଣ, ଏହା ପ୍ରଥମ ପର୍ଯ୍ୟାୟରେ ସିଷ୍ଟମକୁ ପ୍ରଭାବିତ କରିଥାଏ । ଏବଂ ‘ଟୋର’ ନେଟୱର୍କକୁ ଡାଉନଲୋଡ କରିଥାଏ । ଏହି ଆକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ୨୪ ଘଂଟା ପରେ ଆରମ୍ଭ ହୋଇଥାଏ ଯେତେବେଳେ କମାଣ୍ଡ ଏବଂ କଂଟ୍ରୋଲ ସର୍ଭର ରେସପଣ୍ଡ କରିଥାଏ । ଯାହାଦ୍ୱାରା ସିଷ୍ଟମ ପାଇଁ ଏହାକୁ ଡିଟେକ୍ଟ କରିବା ଅସମ୍ଭବ ହୋଇଥାଏ ।

କିଛି ସାଇବର ସିକ୍ୟୁରିଟି ଏକ୍ସପର୍ଟଙ୍କ ମତରେ ‘ଇଟରନାଲ ରକ୍ସ’ ନାଁର ଏହି ମାଲୱେର, ୱାନାକ୍ରାୟଠାରୁ ମଧ୍ୟ ବେଶି ଭୟଙ୍କର ଅଟେ । କାରଣ ଏହାର କୌଣସି ଦୁର୍ବଳତା ନାହିଁ । ସବୁଠାରୁ ଭୟାନକ କଥା ହେଲ, ଏହାର କୌଣସି ‘କିଲ୍ ସୁଇଚ୍’ ନାହିଁ ଯାହା ଜରିଆରେ ଗବେଷକମାନେ ମାଲୱେର ଉପରେ ଲଗାମ ଲଗାଇ ପାରିବେ । ତେବେ ଏହାର ଉର୍ଦ୍ଦେଶ୍ୟ ହେଲା ଏହା କମ୍ପ୍ୟୁଟର ମଧ୍ୟରେ ଆସିବାର ୨୪ ଘଂଟା ପରେ କାମ କରିବା ଆରମ୍ଭ କରିଥାଏ । ଯେଉଁଥି ପାଇଁ କି ଏହାକୁ ରୋକିବା କଷ୍ଟକର ହୋଇଥାଏ ।