୧୯ ଜାଲ୍‌ କମ୍ପାନିକୁ ଧରିଲା ସିବିଆଇ

35

ବିଦେଶକୁ ୪୨୪ କୋଟି ଟଙ୍କା ପଠାଇଥିବା ୧୯ଟି ଜାଲ୍ କମ୍ପାନିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଧରିଛି । ଏମାନଙ୍କ ନାମରେ ଏତଲା ଦାଏର କରିଛି । ଦେଶର ନିୟାମକ ସଂସ୍ଥା ଏବଂ ରିଜର୍ଭ ବ୍ୟାଙ୍କକୁ ଚକମା ଦେବା ଲାଗି ସେମାନେ ୭୦୦ ଥରରେ ବିଦେଶକୁ ଉପରୋକ୍ତ ରାଶିର ଅର୍ଥ ପଠାଇଛନ୍ତି । ଜାଲ୍ କମ୍ପାନି ନାମରେ ମନି ଲଣ୍ଡରିଂ କରାଯାଇଛି ବୋଲି ସିବିଆଇ ପ୍ରାଥମିକ ଭାବେ ସନ୍ଦେହ କରିଛି । ସିବିଆଇର ଖୋଳତାଡ଼ରୁ ଜଣାଯାଇଛି, ୨୦୧୫ ମସିହାରେ ଚେନ୍ନାଇ ସ୍ଥିତ ମିଣ୍ଟ୍ ଷ୍ଟ୍ରିଟସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ବ୍ୟାଙ୍କର ଅଚିହ୍ନା ଅଧିକାରୀମାନେ ୧୯ଟି କମ୍ପାନିଙ୍କ ସହିତ ମିଶି ବିଦେଶକୁ ଏହି ଟଙ୍କା ପଠାଇଛନ୍ତି ।

୧୯ଟି ଯାକ ଅଭିଯୁକ୍ତ କମ୍ପାନିର ଏହି ଶାଖାରେ ଆକାଉଣ୍ଟ ରହିଛି । ଅଚିହ୍ନା ବ୍ୟାଙ୍କ ଅଧିକାରୀ ଏବଂ କମ୍ପାନି ମିଶି ଅପରାଧିକ ଷଡ଼ଯନ୍ତ୍ର କରିଛନ୍ତି। ମିଛ ବ୍ୟବସାୟିକ କାରବାର କରି ଏହି କମ୍ପାନି ଗୁଡ଼ିକ ହଂକଂକୁ ବିଦେଶୀ ମୁଦ୍ରା ପଠାଇଛନ୍ତି ବୋଲି ସିବିଆଇ ପକ୍ଷରୁ ଗତକାଲି ରାତିରେ ଦାଏର ହୋଇଥିବା ଏତଲାରେ ଦର୍ଶାଯାଇଛି । ବିଦେଶୀ ମୁଦ୍ରା ଅଗ୍ରିମ ଆକାରରେ ପଠାଇବା ପାଇଁ ଏଠାରେ କମ୍ପାନି ଗୁଡ଼ିକ ଆକାଉଣ୍ଟ ଖୋଲିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ବିଦେଶରୁ ସାମଗ୍ରୀ ଆମଦାନି ପାଇଁ ଏହି ଜାଲ୍ କମ୍ପାନି ଗୁଡ଼ିକ ଚଳନ୍ତି ଖାତା ଖୋଲିଥିଲେ । ଏମାନେ ଆମଦାନି ବାବଦରେ ୭୦୦ ଥର ଅଗ୍ରିମ ଅର୍ଥ ପଠାଇଛନ୍ତି । ଏହି ଆକାଉଣ୍ଟ ଗୁଡ଼ିକ ୨୦୧୫ ଜାନୁଆରିରୁ ମେ ମାସ ମଧ୍ୟରେ ଖୋଲାଯାଇଛି । ମୋଟ ୪୨୪. ୫୮ କୋଟି ଟଙ୍କା ବିଦେଶକୁ ପଠାଯାଇଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବିଦେଶୀ ମୁଦ୍ରାକୁ ନ୍ୟୁୟର୍କସ୍ଥିତ ଏଚଏସବିସି ଶାଖାରେ ଥିବା ନୋଷ୍ଟ୍ରୋ ଆକାଉଣ୍ଟ ମାଧ୍ୟମରେ ପଠାଇଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଚେନ୍ନାଇସ୍ଥିତ ମିଣ୍ଟ ଷ୍ଟ୍ରିଟ୍ ଶାଖାକୁ ପ୍ରଥମେ ମୁମ୍ବାଇ ଏବଂ ଅନ୍ୟ କେତେକ ସ୍ଥାନରୁ ସମବାୟ ସମିତି ଦ୍ୱାରା ଆରଟିଜିଏସ୍ ମାଧ୍ୟମରେ ପଠାଯାଇଛି ।

ମୁମ୍ବାଇର ସମବାୟ ସମିତିରେ ଆକାଉଣ୍ଟ ଖୋଲି ସେଠାରୁ ଆରଟିଜିଏସ୍ ମାଧ୍ୟମରେ ଚେନ୍ନାଇସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଯେଉଁମାନେ ଟଙ୍କା ପଠାଇଛନ୍ତି ସେହି ନାମ ଏବଂ ଠିକଣାରେ କେହି ବ୍ୟକ୍ତି ମଧ୍ୟ ନାହାନ୍ତି । ବିଦେଶରୁ ସାମଗ୍ରୀ ଯୋଗାଇଥିବା ଯେଉଁ ବ୍ୟକ୍ତିମାନଙ୍କ ନାମରେ ଟଙ୍କା ଭାରତରୁ ପଠାଯାଇଛି ସେମାନେ ସଂଯୁକ୍ତ ଆରବ ଏମିରେଟ୍ସ, ହଂକଂ ଏବଂ ତାଇଓ୍ଵାନର ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛନ୍ତି । ଏଚଏସବିସି ବ୍ୟାଙ୍କର ନ୍ୟୁୟର୍କ ଶାଖା ମାଧ୍ୟମରେ ଏହିସବୁ ବ୍ୟାଙ୍କକୁ ଟଙ୍କା ଯାଇଥିବା ସିବିଆଇ ଦର୍ଶାଇଛି । ତେଣୁ ଜାଲ୍ କମ୍ପାନି ମାଧ୍ୟମରେ ବିଦେଶକୁ କଳାଟଙ୍କାର ଉତ୍ସକୁ ଧଳା କରିବା ବା ମନି ଲଣ୍ଡରିଂ ପାଇଁ ଏହି ଅର୍ଥ ପଠାଯାଇଛି । ଏବାବଦରେ ଦେଶକୁ ୪୨୪ କୋଟି ଟଙ୍କାର କ୍ଷତି ପହଞ୍ଚିଛି ବୋଲି ସିବିଆଇ କହିଛି ।

ନେତାଙ୍କ ବେନାମୀ ଆକାଉଣ୍ଟରେ ୨୪୬ କୋଟି ଠାବ

ତାମିଲନାଡ଼ୁର ଜଣେ ନେତାଙ୍କ ବେନାମୀ ଆକାଉଣ୍ଟରେ ୨୪୬ କୋଟି ଟଙ୍କା ଜମା ହୋଇଥିବା ରାଜ୍ୟ ଆୟକର ବିଭାଗ ଠାବ କରିଛି । ମାତ୍ର ଗୋଟିଏ କାରବାରରେ ବିମୁଦ୍ରାକରଣ ସମୟରେ ୨୪୬ କୋଟି ଟଙ୍କା ଜମା ହୋଇଥିବାରୁ ଏ ବାବଦରେ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି । ୮ ନଭେମ୍ବରରୁ ୩୦ ଡିସେମ୍ବର ମଧ୍ୟରେ ହୋଇଥିବା ଏହି କାରବାରରେ ତାମିଲନାଡ଼ୁର ଜଣେ ବରିଷ୍ଠ ନେତା ସଂପୃକ୍ତ ବୋଲି ଜଣାପଡ଼ିଛି । ତେବେ ଏହି ନେତାଙ୍କ ପରିଚୟ ପ୍ରଘଟ କରାଯାଇନାହିଁ । ଏହି ନେତାଙ୍କୁ ଆୟକର ବିଭାଗର ଜେରା ବେଳେ ଏହି ଅର୍ଥ ତାଙ୍କର ବୋଲି ସେ ମାନିଛନ୍ତି । କଳାଧନକୁ ଧଳା କରିବା ପାଇଁ ଏହି ଆକାଉଣ୍ଟରେ ୨୪୬ କୋଟି ଜମା କରାଯାଇଥିବା ବେଳେ ଏଥିରେ ବ୍ୟାଙ୍କ୍ ଅଧିକାରୀମାନଙ୍କ ସଂପୃକ୍ତି ଏବଂ ଅପରାଧିକ ଷଡ଼ଯନ୍ତ୍ର ମଧ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ୨୭ ହଜାର ୭୩୯ଟି ଆକାଉଣ୍ଟରେ ବେଆଇନ କାରବାର ହୋଇଥିବା ଜଣାପଡ଼ିଛି ।