ହକ୍ ପାଇଁ ଲଢେଇରେ ବ୍ୟସ୍ତ ଶିକ୍ଷକ । ବାଧ୍ୟ ହୋଇ ଚକ୍ ଧରିଲେ ଦେଶର ଭବିଷ୍ୟତ

49

ପାଠ ପଢାଇବା ବଦଳରେ ଆନ୍ଦୋଳନରେ ମାତିଛନ୍ତି ଏବେ ଶିକ୍ଷକ ଓ ଶିକ୍ଷୟତ୍ରୀ । ଯାହାର ସିଧାସଳଖ ପ୍ରଭାବ ଦେଶର ଭବିଷ୍ୟତ ଉପରେ ପଡିଛି । ଆଉ ଏହାର ତିଳେ ମାତ୍ରେ ହିଁ ଫରକ ପଡିନି ସେହି ଆନ୍ଦୋଳନରତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ସରକାରଙ୍କ ଉପରେ । ସୂଚନା ମୁତାବକ, ନଅ ଦଫା ଦାବି ନେଇ ଗତ ତିନି ମାସ ଧରି ଆନ୍ଦୋଳନରେ ବସିଛନ୍ତି ଛତିଶଗଡର ପାଖାପାଖି ଅଶି ହଜାର ଶିକ୍ଷକଓ ଶିକ୍ଷୟତ୍ରୀ । ଯାହାଦ୍ୱାରା ପିଲାମାନଙ୍କ ପାଠପଢା ଖୁବ୍ ପ୍ରଭାବିତ ହୋଇଛି । କେଉଁଠାରେ ପିଲାମାନେ କ୍ଲାସ ରୁମ ଛାଡି ଖେଳକୁଦରେ ବ୍ୟସ୍ତ ରହିଲେଣି ତ ପୁଣି କେଉଁଠି ଶିକ୍ଷକଙ୍କ ଭୂମିକା ନିର୍ବାହ କରିଛନ୍ତି ଖୋଦ ଛାତ୍ରଛାତ୍ରୀ ।

ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସଛି ଛଙ୍ଗିଶଗଡର ଜଗଦଲପୁର ଅଂଚଳରୁ । ଯେଉଁଠି ଶିକ୍ଷକଙ୍କ ଭୂମିକାରେ ନଜର ଆସିଛନ୍ତି ଖୋଦ ଛାତ୍ରଛାତ୍ରୀ । ମାଷ୍ଟରମାନେ ଆନ୍ଦୋଳନରେ ବ୍ୟସ୍ତ ରହିଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ଗୁରୁଙ୍କ ଦାୟିତ୍ୱ ତୁଲାଇ ବାକୁ ପଡିଛି । ଜିଲ୍ଲାର ମୁଖ୍ୟାଳୟଠାରୁ ପାଖାପାଖି ୧୦ କିଲୋମିଟର ଦୂରରେ ଥିବା ‘ଶାସକୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ରେ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ପାଠପଢାଇବାର ବ୍ୟବସ୍ଥା ରହିଛି ଏବଂ ଏହି ତିନୋଟି ଯାକ ଶ୍ରେଣୀରେ ମୋଟ ୭୫ ଜଣ ପିଲାଙ୍କୁ ଶିକ୍ଷାଦାନ ଲାଗି ନିଯୁକ୍ତ ଅଛନ୍ତି ହେଡମାଷ୍ଟରଙ୍କ ସମେତ ୫ଜଣ ଶିକ୍ଷକ । ହେଲେ ଏହାସବୁ ସତ୍ୱେ ବି ପିଲାଙ୍କୁ ଶିକ୍ଷକ ସାଜିବାକୁ ପଡିଛି । କାରଣ ଏମାନଙ୍କ ମଧ୍ୟରୁ ତିନି ଜଣ ଆନ୍ଦୋଳନରେ ବ୍ୟସ୍ତ ଅଛନ୍ତି । ଜଣେ ଛୁଟିରେ ଅଛନ୍ତି ଏବଂ ଜଣଙ୍କୁ ପାଠପଢା ଭରସାରେ ଛାଡିଦିଆଯାଇଛି ।

ହେଲେ ତାଙ୍କ ପକ୍ଷେ ଏତେ ସାରା ପିଲାଙ୍କୁ ପାଠପଢାଇବା ମୁସ୍କିଲ ହୋଇପଡିବାରୁ ସେ ବାଧ୍ୟ ହୋଇ ଏହି ଦାୟିତ୍ୱ ଛାତ୍ରମାନଙ୍କୁ ଦେଇଥିଲେ । ଶିକ୍ଷକ ଜଣକ ବିଦ୍ୟାଳୟର ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ପିଲାଙ୍କ ମଧ୍ୟରୁ ଜଣେ ଲେଖାଏଁ ସିନିୟର ପିଲାଙ୍କୁ ଚୟନ କରି ତାଙ୍କୁ ପାଠପଢାଇବା ଦାୟିତ୍ୱ ଦେଇଛନ୍ତି । ଯେଉଁମାନେ କି ସେମାନଙ୍କର ସହପାଠୀ ଏବଂ ଜୁନିୟର ପିଲାଙ୍କୁ ପାଠ ପଢାଇବେ । ହେଲେ ଏସବୁ ଭିତରେ ଏବେ ବଡ ସମସ୍ୟା ଉପୁଜିଛି ଆଉ ସେ ହେଲା ପିଲାଙ୍କ ପରୀକ୍ଷା । କାରଣ ବିନା ଶିକ୍ଷକରେ ଏହି କାମ ସାରିବା ତାଙ୍କ ପାଇଁ ସମସ୍ୟା ପାଲଟିଯାଇଛି । ବଡ କଥା ହେଲା ଗୁରୁ ସାଜି ଥିବା ଛାତ୍ରମାନଙ୍କୁ ବି ପରୀକ୍ଷା ଚିନ୍ତା ଘାରିଲାଣି ।

ହକର ଲଢେଇ କହି ଆନ୍ଦୋଳନରେ ବସିଥିବା ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ବୋଧହୁଏ ପିଲାମାନଙ୍କର ଭବିଷ୍ୟତ ନେଇ କୌଣସି ଚିନ୍ତା ନାହିଁ । ଯିଏ କି ନିଜେ ଗୁରୁ ସାଜି ରାସ୍ତା ହୁଡିଥିବା ଶିକ୍ଷା ବ୍ୟବସ୍ଥାକୁ ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି । ଏଥିରୁ ସ୍ପଷ୍ଟ ହୋଇଯାଉଛି କି, ସରକାର ଏବଂ ଆନ୍ଦୋଳନ କରୁଥିବା ଶିକ୍ଷାକର୍ମୀମାନେ ନିଜ ନିଜର ସ୍ୱାର୍ଥପାଇଁ ଦେଶର ଭବିଷ୍ୟତକୁ ବାଜିରେ ଲଗାଇବାକୁ ବି ପଛାଉ ନାହାଁନ୍ତି ।