ଆରବିଆଇ ବନ୍ଦ କଲା ୨୦୦୦ଟଙ୍କା ନୋଟ୍ ଛପା ! ବନ୍ଦ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା

38

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କିଆ ନୋଟ୍ ଛପାଇବା ବନ୍ଦ କରିଦେଇଛି । ଏଭଳି ଏକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଚଳିତ ବର୍ଷ ଆଉ ୨୦୦୦ ଟଙ୍କିଆ ନୋଟ୍ ଛପା ହେବାର ସମ୍ଭାବନା ବହୁତ କମ୍ । ଏହି ବଡ଼ ନୋଟ୍ ବଦଳରେ ଆରବିଆଇ ପକ୍ଷରୁ ନୂଆ ୨୦୦ ଟଙ୍କିଆ ନୋଟ୍ ଅଧିକ ଛପା ହେଉଛି । ଖୁବ୍ ଶୀଘ୍ର ଏହି ନୋଟ୍ ବଜାରକୁ ଆସିବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ପାଇଛି ।

ଗତବର୍ଷ ବିମୁଦ୍ରାକରଣ ପରେ ଅଚଳ ହୋଇଯାଇଥିବା ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବଦଳରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ଛପା ହୋଇଥିଲା । ମୋଟ ୩୭୦ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ଛପା ହୋଇଥିଲା । ବିମୁଦ୍ରାକରଣ ଅବଧି ଶେଷ ହେବା ପରେ ସରକାର ଅଧିକ ୫୦୦ ଟଙ୍କିଆ ଛାପିବା ଉପରେ ଜୋର ଦେଇଥିଲେ । ବର୍ତ୍ତ ମାନ ସୁଦ୍ଧା ଆରବିଆଇ ୧୪୦୦ କୋଟି ଖଣ୍ଡ ନୂଆ ୫୦୦ ଟଙ୍କିଆ ନୋଟ୍ ଛାପିଛି । ଯେତିକି ନୋଟ୍ ଛପା ହୋଇଛି ତାହାର ୯୦% ହେଉଛି ନୂଆ ୫୦୦ ଟଙ୍କିଆ ନୋଟ୍ । ବିମୁଦ୍ରାକରଣ ଘୋଷଣା ହେବା ପୂର୍ବରୁ ଦେଶରେ ୧୭.୭ ଲକ୍ଷ କୋଟି ଟଙ୍କାର ନୋଟ୍ ପ୍ରଚଳନରେ ଥିଲା । ବିମୁଦ୍ରାକରଣ ପରେ ୮୬% ନୋଟ୍ ଅଚଳ ହୋଇଯାଇଥିଲା । ସେହି ସ୍ଥାନରେ ଜୁଲାଇ ୧୨ ସୁଦ୍ଧା ୧୫.୨୨ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି କରାଯାଇଛି ।

ଆରବିଆଇର ମହୀଶୂରଠାରେ ଥିବା ଛାପାଖାନାରେ ନୂଆ ୨୦୦ ଟଙ୍କିଆ ନୋଟ୍ ଛପା ହେଉଛି । ଆସନ୍ତା ମାସରେ ତାହା ବଜାରକୁ ଆସିବାର ସମ୍ଭାବନା ରହିଛି । ତେବେ ୨୦୦୦ ଟଙ୍କିଆ ନୋଟ୍ ଛପା ବନ୍ଦ ହୋଇଥିବା ଏବଂ ୨୦୦ ଟଙ୍କିଆ ନୋଟ୍ ଛପା ହେଉଥିବା ବିଷୟରେ ଆରବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଦେଶରେ ୨୦୦୦ ଟଙ୍କିଆ ନୋଟର ଅଭାବ ଦେଖା ଦେଲାଣି ବୋଲି କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା । ଏହି ନୋଟ୍ ଧୀରେ ଧୀରେ ଅଦୃଶ୍ୟ ହୋଇଗଲାଣି ବୋଲି ରିପୋର୍ଟରେ କୁହାଯାଇଥିଲା ।

ବିମୁଦ୍ରାକରଣକୁ ୮ ମାସ ପୂରିଲାଣି । ଦୁଇ ମାସ ପୂର୍ବରୁ ଦେଶରେ ନଗଦ ଟଙ୍କାର ଅଭାବ ରହିଥିଲା । ମାତ୍ର ବିଗତ ୪୦ ଦିନ ଭିତରେ ଆରବିଆଇ ବିପୁଳ ପରିମାଣର ୫୦୦ ଟଙ୍କିଆ ନୋଟ୍ ଜାରି କରିବା ପରେ ସେହି ଅଭାବ ଅନେକାଂଶରେ ଦୂର ହୋଇଯାଇଛି ।