୧୪ ମାସର ସୋମନାଥ । ଛୋଟ ସିନା କାମ ତା’ ମହାନ । କିଡ଼ନୀ ଓ ହାର୍ଟ ଦାନ କରି ବଂଚାଇଲା ଜୀବନ

70

ନିଜେ ମରି ଅନ୍ୟକୁ ଦେଖାଇଲେ ବଂଚିବାର ରାହା । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ସୁରଟରେ । ଯେଉଁଠି ଏକ ୧୪ ମାସର ଶିଶୁ ବଂଚାଇଛି ଦୁଇ ଜଣଙ୍କର ଜୀବନ । ସୂଚନା ମୁତାବକ, ସୁରଟର ଏକ ୧୪ ମାସର ଶିଶୁ ସୋମନାଥ ଶାହ ଗୁଜରାଟର ସବୁଠୁ କମ୍ ବୟସ ଥିବା ହାର୍ଟ ଏବଂ କିଡନୀର ଦାତା ବନିଯାଇଛନ୍ତି । ସୋମନାଥଙ୍କ ପାଇଁ ବଂଚି ଯାଇଛି ଦୁଇଟି ଦୁଇଟି ଜୀବନ । ବିହାରର ସିୱାନ ଜିଲ୍ଲାର ମୁବାରକପୁର ଗାଁରେ ବାସ କରନ୍ତି ସୋମନାଥଙ୍କର ପରିବାର । ସୋମନାଥଙ୍କର ବାପା ସୁନୀଲ ପେଶାରେ ଜଣେ ସୁପରଭାଇଜର ଅଟନ୍ତି ।

ସେପ୍ଟେମ୍ବର ୨ ତାରିଖ ଦିନ ସନ୍ଧ୍ୟାରେ ସୋମନାଥ ନିଜ ବଡ ଭଉଣୀ କୁସୁମଙ୍କ ସହ ଖେଳୁ ଖେଳୁ ଅସାବଧାନତା ବଶତଃ ଘରର ଶିଡିରୁ ଖସି ପଡିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଏହାପରେ ପରିବାର ଲୋକେ ତାକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ଅର୍ଥାତ୍ ସୋମନାଥଙ୍କର ସିଟି ସ୍କାନ କରାଯିବା ପରେ ଜଣା ପଡିଥିଲା କି ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କାରଣରୁ ତାଙ୍କର ମାନସିକ ସ୍ତରରେ ମୃତ୍ୟୁ ଘଟିଛି । ସୋମନାଥଙ୍କର ମୁଣ୍ଡରେ ଆଘାତ ଲାଗିବା କାରଣରୁ ମସ୍ତିସ୍କରେ ପ୍ରବଳମାତ୍ରାରେ ରକ୍ତସ୍ରାବ ହେବା ସହ ଖପୁରିର ଅନେକ ଭାଗ ଫ୍ୟାକଚର ହୋଇଯାଇଥିଲା । ଯାହାଦ୍ୱାରା କି ଶିଶୁଟିର ମସ୍ତିସ୍କରେ ସ୍ନାୟୁତନ୍ତ୍ରଗୁଡିକ ପୁରାପୁରା ଅକାମୀ ହୋଇଯାଇଥିଲା । ରବିବାର ଦିନ ଡାକ୍ତର ସୋମନାଥଙ୍କୁ ମାନସିକ ସ୍ଥିତିରେ ମୃତ ବୋଲି ଘୋଷଣା କରିଥିଲେ ।

ସେପଟେ, ନିଜ ପିଲାର ଏଭଳି ଅବସ୍ଥା ଦେଖି ପରିବାର ଲୋକେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଆଉ ଠିକ୍ ଏହି ସମୟରେ ସୁରଟ ସ୍ଥିତ ଦାନବ ଲାଇଫର ଅଧ୍ୟକ୍ଷ ନିଳେଶ ମଣ୍ଡେଲୱାଲ, ସୋମନାଥର ଅଙ୍ଗ ଦାନ କରିବାକୁ ତାଙ୍କୁ ନିବେଦନ କରିଥିଲେ ଏବଂ ସୋମନାଥଙ୍କ ପରିବାର ଲୋକେ ତାଙ୍କ କଥାରେ ରାଜି ହୋଇ ସୋମନାଥଙ୍କର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ପରିବାର ଲୋକଙ୍କଠାରୁ ସୋମନାଥଙ୍କ ଅଙ୍ଗ ଦାନ ପାଇଁ ଅନୁମତି ମିଳିବା ପରେ ଅଙ୍ଗ ପ୍ରାପ୍ତକର୍ତ୍ତାଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଥିଲେ ନିଳେଶ । ଏହାପରେ ଅହମଦାବାଦର ସିଆଇଏମଏସ ହସ୍ପିଟାଲରେ ସୋମନାଥଙ୍କର ହୃଦୟ ପ୍ରତ୍ୟାରୋପଣ କରାଯାଇଥିଲା । ମଙ୍ଗବାର ସକାଳୁ ସୋମନାଥଙ୍କର ହୃଦୟ ମୁମ୍ବାଇର ଏକ ସାଢେ ୩ ବର୍ଷର ଶିଶୁକନ୍ୟା ତଥା ଆରାଧ୍ୟା ମୁଲୈଙ୍କଠାରେ ପ୍ରତ୍ୟାରୋପଣ କରାଯାଇଥିଲା । ଏହି ପ୍ରକ୍ରିୟା ମଙ୍ଗଳବାର ସକାଳ ସାଢେ ୭ଟାରୁ ଆରମ୍ଭ ହୋଇଥିଲା । ମୁମ୍ବାଇସ୍ଥିତ ଫୋର୍ଟିସ ହସ୍ପିଟାଲର ଏକ ଡାକ୍ତରୀଦଳ ଆରାଧ୍ୟାଙ୍କଠାରେ ସୋମନାଥଙ୍କ ହୃଦୟ ପ୍ରତ୍ୟାରୋପଣ ପ୍ରକ୍ରିୟା ୯ଟାରୁ ଆରମ୍ଭ କରିଥିଲେ । ଦୀର୍ଘ ସମୟ ଧରି ଅସ୍ତ୍ରୋପଚାର ପରେ ଶେଷରେ ଅପରେସନ ସଫଳ ହୋଇଥିଲା । ଏବେ ଆରାଧ୍ୟା ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି ।

ଅନ୍ୟପଟେ, ଅପରାହ୍ନରେ ଅହମଦାବାଦ ସ୍ଥିତ ଗୁପ୍ତ ରୋଗ ଏବଂ ଅନୁସନ୍ଧାନ କେନ୍ଦ୍ର(ଆଇକେଡିଆରସି)ରେ ସୋମନାଥଙ୍କର କିଡନୀ ବାହାର କରାଯାଇଥିଲା । ଆଇକେଡିଆରସିର ଏକ ବରିଷ୍ଠ କର୍ମଚାରୀଙ୍କ ସୂଚନା ମୁତାବକ, ବନସ୍କନଥା ଜିଲ୍ଲାର ଡୀସା ସହରର ଜଣେ ୧୫ ବର୍ଷୀୟ ବାଳକଙ୍କଠାରେ ସୋମନାଥଙ୍କ କିଡନୀ ପ୍ରତ୍ୟାରୋପଣ କରାଯାଇଛି । ଯିଏକି ଦୀର୍ଘଦିନ ହେଲା କିଡନୀ ରୋଗରେ ଆକ୍ରାନ୍ତ ଥିଲେ ।

ଅହମଦାବାଦର ସିଆଇଏମଏସ ହସ୍ପିଟାଲର ହୃଦୟ ପ୍ରତ୍ୟାରୋପଣ ବିଶେଷଜ୍ଞ ଡା. ଧବଳ ନାଇକଙ୍କ ମତରେ, ସୋମନାଥ ହେଉଛନ୍ତି ଗୁଜରାଟର ସବୁଠାରୁ କମ୍ ବୟସ ଥିବା ପ୍ରଥମ ହୃଦୟଦାତା । ସେହିପରି ସୋମନାଥଙ୍କ ପାଇଁ ଯଦି କାହାକୁ ନୂଆ ଜୀବନ ମିଳିପାରୁଛି ତେବେ ଏହା ଆମ ପାଇଁ ଏକ ଗର୍ବର କଥା ବୋଲି ବାପା ସୁନୀଲ କୋହଭରା କଣ୍ଠରେ କହିଛନ୍ତି ।

ସୌଜନ୍ୟ: ଦ କ୍ୟୁଂଟ୍