ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଟାଇ ହେଲା କର୍ଣ୍ଣାଟକ ସଙ୍କଟ ! କାଲି ବିଧାନସଭାରେ ହେବ ସୁପର ଓଭର ।

265

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବିଦ୍ରୋହୀ ବିଧାୟକଙ୍କୁ ଝଟକା । କର୍ଣ୍ଣାଟକରେ ବିଦ୍ରୋହୀ ବିଧାୟକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକଙ୍କ ସମ୍ପର୍କରେ ବାଚସ୍ପତି ନିଷ୍ପତି ନେବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଅନୁସାରେ ବାଚସ୍ପତି ନିଷ୍ପତି ନିଅନ୍ତୁ ବୋଲି କୋର୍ଟ କହିଛନ୍ତି । ତେବେ ବିଦ୍ରୋହୀ ବିଧାୟକ କାଲି ଅନାସ୍ଥା ପ୍ରସ୍ତାବ ବେଳେ ଗୃହରେ ଉପସ୍ଥିତ ରହିବେ କି ନାହିଁ ସେ ନେଇ ସେମାନଙ୍କ ଉପରେ କୌଣସି ଚାପ ପକାଯାଇପାରିବ ନାହିଁ ଓ ନିଷ୍ପତି ନେବାରେ ସେମାନେ ସ୍ୱତନ୍ତ୍ର ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କର୍ଣ୍ଣାଟକ ସଙ୍କଟ ବର୍ତ୍ତମାନ ଟାଇ ହୋଇରହିଛି । କାଲି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ତେବେ ଏ ବାବଦରେ ବାଚସ୍ପତି ଯାହା ନିଷ୍ପତି ନେବେ ସେ ସମ୍ପର୍କରେ ଜଣାଇବାକୁ ବି କୋର୍ଟ କହିଛନ୍ତି । ଜେଡିଏସ-କଂଗ୍ରେସ ମେଂଟ ସରକାରରରୁ ୧୫ ବିଧାୟକଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି ରହିଛି । ଏହାକୁ ନେଇ ବିଜେପି-ଓ ଶାସକ ମେଂଟ ମୁହାଁମୁହିଁ ହୋଇଛନ୍ତି । ଅନ୍ୟପଟେ ବାଚସ୍ପତି ଇସ୍ତଫା ପତ୍ର ଗ୍ରହଣ କରିବାରେ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ କରି ୧୫ ଜଣ କର୍ଣ୍ଣାଟକ ବିଧାୟକ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି କରି ଆଜି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇଛନ୍ତି ।