କନକ ବ୍ୟୁରୋ : ତାରିଖ ପେ୍ ତାରିଖ । ଦିନ ଗଡୁଛି, କିନ୍ତୁ କର୍ଣ୍ଣାଟକ ନାଟକର ଅନ୍ତ ହେଉନାହିଁ । ସୋମବାର ପର୍ଯ୍ୟନ୍ତ ସ୍ୱାମୀ ସରକାରକୁ ମିଳିଲା ଆଶ୍ୱସ୍ତି । ଦୁଇଥର ଅଲଟିମେଟମ ପରେ ମଧ୍ୟ କର୍ଣ୍ଣାଟକ ବିଧାନସଭାରେ ହୋଇପାରିଲାନି ଆସ୍ଥା ଭୋଟ । ଆଉ ବାଚସ୍ପତିଙ୍କ ଗୃହ ମୁଲତବୀ ଘୋଷଣା ପରେ ଆସନ୍ତା ୨୨ ତାରିଖ ଯାଏଁ ଘୁଞ୍ଚିଛି ଫ୍ଲୋର ଟେଷ୍ଟ । ଆଉ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛନ୍ତି କର୍ଣ୍ଣାଟକ ବାଚସ୍ପତି ।
ଏହାପୂର୍ବରୁ ଆଜି ମଧ୍ୟାହ୍ନ ୧.୩୦ରେ ଆସ୍ଥା ଭୋଟ କରାଇବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ବାଜୁଭାଇ ବାଲା । କିନ୍ତୁ ଏହି ଡେଡଲାଇନକୁ ମାନିନଥିଲେ କୁମାରସ୍ୱାମୀ ସରକାର । ଆଉ ଏହି ସମୟରେ ଉଭୟ କଂଗ୍ରେସ-ଜେଡିଏସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ଏହାପରେ ପୁଣିଥରେ ସନ୍ଧ୍ୟା ୬ଟା ସୁଦ୍ଧା ଆସ୍ଥ୍ା ଭୋଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ । କିନ୍ତୁ ସମୟ ବିତିଗଲା ସିନା ହେଲେ ବିଧାନସଭାରେ ହୋଇପାରିଲାନି ଆସ୍ଥା ଭୋଟ୍ । ଆଉ ଏସବୁ ଭିତରେ କୁମାରସ୍ୱାମୀଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି ବାଚସ୍ପତି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରିବା ସହ ଆଜି ହେବାକୁ ଥିବା ଆସ୍ଥା ଭୋଟରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।
ଏସବୁ ଭିତରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଜି ପରମେଶ୍ୱର କହିଛନ୍ତି, ବିଧାୟକଙ୍କୁ ହ୍ୱିପ୍ ଜାରି କରିବା ଦଳର ଅଧିକାର । ଏହାକୁ କୌଣସି କୋର୍ଟ ମଧ୍ୟ ଦଳ ଠାରୁ ଛଡାଇ ନେଇପାରିବେ ନାହିଁ । ଗୃହ ଚାଲିଥିବା ବେଳେ ରାଜ୍ୟପାଳ ଆସ୍ଥା ଭୋଟ ପାଇଁ କୌଣସି ଡେଡଲାଇନ ସ୍ଥିର କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଛନ୍ତି, ସୋମବାର ଯେତେ ସମୟ ଲାଗୁ ପଛେ ବିଧାନସଭାରେ ଫ୍ଲୋର ଟେଷ୍ଟ ହେବ । ସେହିଭଳି ସିଦ୍ଧରମୈୟା ମଧ୍ୟ ସୋମବାର ଫ୍ଲୋର ଟେଷ୍ଟ ହେବା ନେଇ ମତ ଦେଇଛନ୍ତି ।
ଏହାପୂର୍ବରୁ ଗତକାଲି ଆସ୍ଥା ଭୋଟ ହେବା ନେଇ ସ୍ଥିର ହୋଇଥିଲେ ମଧ୍ୟ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଯାହାକୁ ବିରୋଧ କରି ବିଜେପିର ସମସ୍ତ ବିଧାୟକ ବିଧାନସଭାରେ ରାତି ସାରା ଗୃହରେ ଶୋଇ ରହିଥିଲେ ।