ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’କୁ ବିଧାନସଭାରେ ବିରୋଧ: ଗୃହରେ ବିଜେପି ସଦସ୍ୟଙ୍କ ହଙ୍ଗାମା, ଗୃହ ମୁଲତବୀ

64

କନକ ବ୍ୟୁରୋ: ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ପୁଞ୍ଜିନିବେଶ ଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆଜି ବିଧାନସଭାରେ ହୋହଲ୍ଲା କରିଛନ୍ତି ବିଜେପି ବିଧାୟକ । ଫଳରେ ପ୍ରଶ୍ନକାଳ ମାତ୍ର ଗୋଟିଏ ମିନିଟ ପାଇଁ ଚାଲିପାରିଛି ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତେ ପୁଞ୍ଜିନିବେଶ ନାଁରେ ଆତ୍ମପ୍ରଚାର ବନ୍ଦ କର ଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ କାହା ସ୍ୱାର୍ଥରେ ବୋଲି ସ୍ଲୋଗାନ ଦେଇଥିଲେ । ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ଫଳରେ ମାତ୍ର ଗୋଟିଏ ମିନିଟ୍ ପରେ ବାଚସ୍ପତି ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ସେପଟେ ବିଜେପି ସଦସ୍ୟଙ୍କ ହଙ୍ଗାମା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସମୀର ଦାସ । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’କୁ ବିରୋଧ ହାସ୍ୟାସ୍ପଦ ବୋଲି କହିଛନ୍ତି ସମୀର । ପୂର୍ବର ମୁଖ୍ୟମନ୍ତ୍ରୀ ମୁମ୍ବାଇ, ବେଙ୍ଗଳୁରୁ ଭଳି ବଡ ସହରରେ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ କରି ପୁଞ୍ଜି ନିବେଶକୁ ଆକୃଷ୍ଟ କରିଛନ୍ତି । ପୁଂଜି ନିବେଶକାରୀ ମାନେ ଓଡିଶାକୁ ଆସିଲେ ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରସଙ୍ଗକୁ ନେଇ ବିରୋଧ କରିବା ବିଜେପିର ବିକୃତ ମାନସିକତା ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।