ବଡ ଧୁମଧାମରେ ହେବ କମଲନାଥଙ୍କ ଶପଥ ଗ୍ରହଣ ଉତ୍ସବ ! ଜାଣନ୍ତୁ କିଏ କିଏ ହେବେ ସାମିଲ ।

401

ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ଆସନ୍ତା ଡିସେମ୍ବର ୧୭ ତାରିଖରେ ହୋଇଉଠିବ ଉତ୍ସବମୁଖର । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କମଲନାଥ । ଆଉ ଏହି ଉତ୍ସବରେ ସାମିଲ ହେବେ ଅନେକ ଅତିଥି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କମଲନାଥଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ କଂଗ୍ରେସ ଉପାଧ୍ୟକ୍ଷ ସୋନିଆ ଗାନ୍ଧି । ସୋନିଆଙ୍କ ସମେତ ଅନେକ ଦଳୀୟ ନେତା ମାନେ ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ । ଏହା ସହ ପ୍ରିୟଙ୍କା ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଗଠବନ୍ଧନର ଅନେକ ନେତା ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ।

ସୂଚନା ଅନୁଯାୟୀ, ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସାମିଲ ହୋଇପାରନ୍ତି । ରାହୁଲଙ୍କ ସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇପାରନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, କମଲନାଥଙ୍କ ଶପଥ ଗ୍ରହଣ ସମାରୋହ ବାହାନାରେ କଂଗ୍ରେସ ମହାଗଠବନ୍ଧନର ଶକ୍ତି ଦେଖାଇବାକୁ ଚାହୁଁଛି । ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ମାୟାବତୀ, ଅଖିଲେଶ ଯାଦବ, ଚନ୍ଦ୍ରବାବୁ ନାଇଡୁ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ସାମିଲ ହୋଇପାରନ୍ତି ।

ଏମାନେ ସମସ୍ତଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ଆମନ୍ତ୍ରଣ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ମାୟାବତୀଙ୍କ ଉତ୍ତର ମିଳିପାରିନାହିଁ । ମଧ୍ୟପ୍ରଦେଶର ନିର୍ବାଚନ ଫଳାଫଳ ପରେ ବହୁଜନ ସମାଜ ପାର୍ଟି ଏବଂ ସମାଜବାଦି ପାର୍ଟି ବିନା କୌଣସି ସର୍ତରେ କଂଗ୍ରେସକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । କମଲ ନାଥ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କଂଗ୍ରେସ ମହାମେଣ୍ଟକୁ ସାଙ୍ଗରେ ନେଇ ଆଗକୁ ବଢିବ । ସେ ବସପା ସୁପ୍ରିମୋ ମାୟାବତୀ ଏବଂ ସପା ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଧନ୍ୟବାଦ ଦେଇଛନ୍ତି ।