ପୁଅ ପାଇଁ ବାପା ଅଲୋଡା ! ଅସହାୟ ଅବସ୍ଥାରେ ରୋଗୀଣା ନୃସିଂହ ନାୟକଙ୍କୁ ଗୁହାଳରୁ ଉଦ୍ଧାର କଲେ ସ୍ୱେଚ୍ଛାସେବୀ

55

କନକ ବ୍ୟୁରୋ : କଥାରେ ଅଛି ପିତାମାତା କଲ୍ୟାଣରୁ ପୁତ୍ର ହୁଏ ସୁଖୀ । ପୁତ୍ର ଯେବେ ସୁଖୀ ହୁଏ କୁଳକାଳ ରଖି । ହେଲେ ସମୟ ବଦଳିବା ସାଙ୍ଗକୁ ସତେ ଯେମିତି ବଦଳି ଯାଇଛି ଏହି ସବୁ ଗାଁଉଲି ଢଗଢମାଳିର ଅର୍ଥ । ବୃଦ୍ଧ ବୟସରେ ପୁଅ ବୋହୁଙ୍କ ପାଇଁ ଅଲୋଡା ହୋଇ ପଡୁଛନ୍ତି ବାପା-ମାଆ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ନଗୁଆଁ ଗାଁରେ । ନୃସିଂହ ନାୟକ , ପୁଅ ବୋହୂଙ୍କ ଦ୍ୱାରା ଅବହେଳିତ ହେବା ପରେ ଅସହାୟ ଅପେକ୍ଷାରେ ଅପେକ୍ଷା କରିଛନ୍ତି କେବଳ ମୃତ୍ୟୁକୁ ।

୭୨ ବର୍ଷୀୟ ନୃସିଂହ ନାୟକ । ୮ ବର୍ଷ ତଳେ ଦୁର୍ଘଟଣାରେ ଗୋଡ ହରାଇଛନ୍ତି ନୃସିଂହ । ଦୁର୍ଘଟଣା ପରେ ନୃସିଂହଙ୍କୁ ମିଳିଥିବା ବିମା ରାଶିକୁ ଚଳୁ କରିସାରିଛନ୍ତି ପୁଅ ବିରଂଚି ଓବୋହୂ ଅଲି ନାୟକ । ଏପରିକି ବାର୍ଦ୍ଧକ୍ୟ ଭତା ଓ ବିପିଏଲ ଚାଉଳ ଗଣ୍ଡାକ ବି ନେଇ ଯାଉଛନ୍ତି ପୁଅ ବୋହୂ । ସେବା ସୁଶ୍ରୁଷା ତ ଦୂରର କଥା, ପୁଅ ବୋହୂ ଆଡ ଆଖିରେ ବି ଚାହୁଁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏବେ ଖାଦ୍ୟ ପେୟ ଅଭାବରୁ ରୋଗ ଶଯ୍ୟାରେ ସଢୁଛନ୍ତି । ଆଉ ବେଳେବେଳେ ବାଉଳି ଚାଉଳି ବି ହେଉଛନ୍ତି । ଶଯ୍ୟାଶାୟୀ ନୃସିଂହଙ୍କୁ ଉଦ୍ଧାର କରି ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ଯାଜପୁର କୋରେଇ ବ୍ଲକ୍ ନଗୁଆଁ ଗାଁର କିଛି ସ୍ୱେଚ୍ଛାସେବୀ । ହସ୍ପିଟାଲରେ ପଡିଥିବା ନୃସିଂହଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ । ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବା ବେଳେ ସହଯୋଗ କରୁନଥିବା ପୁଅ ବୋହୂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।