ସେପ୍ଟେମ୍ବର ୧୪ ରୁ ୨୪ ଯାଏଁ ପୁରୀକୁ ଗଡିବ ମାଗଣା ବସ ! ରେଳଷ୍ଟେସନର ନବକଳେବର ଲାଗି ଟ୍ରେନଚଳାଚଳ ହେବ ପ୍ରଭାବିତ

62

କନକ ବ୍ୟୁରୋ : ନୂଆରୂପ ନେବ ପୁରୀ ରେଳଷ୍ଟେସନ। ଷ୍ଟେସନର ୭ ଓ ୮ ନମ୍ବର ଲାଇନରେ ଏବେ ଯଥାକ୍ରମେ ୨୨ ଓ ୧୮ଟି କୋଚ୍ ରହୁଥିବା ବେଳେ ତାହାକୁ ୨୬ କୋଚ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ସମ୍ପୂର୍ଣ୍ଣ ଷ୍ଟେସନରେ ଇଞ୍ଜିନ୍, ଖାଲି କୋଚ୍ ଆଦି ସିଗନାଲ୍ ମାଧ୍ୟମରେ ପରିଚାଳିତ ହେବ। ପ୍ରତିଦିନ ଏହି ଷ୍ଟେସନକୁ ୫୪ଟି ଟ୍ରେନ୍ ଚଳାଚଳ କରୁଥିବା ବେଳେ ୧୦ ହଜାରରୁ ଅଧିକ ଯାତ୍ରୀ ଚଳପ୍ରଚଳ କରୁଛନ୍ତି। ଏହା ପରେ ଅଧିକ ୪ଟି ଟ୍ରେନ୍ ଏହି ଷ୍ଟେସନରେ ଚଳପ୍ରଚଳ କରିପାରିବ। ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଏହି ରେଳଷ୍ଟେସନର ନବୀକରଣ ସେପ୍ଟେମ୍ବର ୧୪ରୁ ୨୪ ମଧ୍ୟରେ କରାଯିବ। ତାହାକୁ ଦୃଷ୍ଟିରେ ରଖି ୧୪ଟି ଟ୍ରେନକୁ ବାତିଲ୍ କରାଯାଇଛି। ୧୧ ଦିନ ପର୍ଯ୍ୟନ୍ତ ଟ୍ରେନଗୁଡିକ ଚଳାଚଳ କରିବ ନାହିଁ। ଏଥିସହ କେତେକ ଟ୍ରେନକୁ ଆଂଶିକ ବାତିଲ୍ କରାଯାଇଛି। ଆଂଶିକ ବାତିଲ୍ ହୋଇଥିବା ଟ୍ରେନଗୁଡିକ ପୁରୀ ଯିବ ନାହିଁ। ବରଂ ଭୁବନେଶ୍ୱର ଓ ଖୋର୍ଧାରୋଡ଼ ଷ୍ଟେସନରେ ଅଟକି ରହିବେ। ସେଠାରୁ ପୁଣିଥରେ ନିର୍ଧାରିତ ସ୍ଥାନକୁ ଫେରିବେ। ତାହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମାଗଣା ବସସେବା ଯୋଗାଇ ଦିଆଯିବ। ଯେଉଁମାନେ ଭୁବନେଶ୍ୱର ଓ ଖୋର୍ଧାରୋଡ ଷ୍ଟେସନରେ ଓହ୍ଲାଇବେ ସେମାନଙ୍କୁ ପୁରୀ ପର୍ଯ୍ୟନ୍ତ ଏସି ଓ ସାଧାରଣ ବସରେ ନିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

 

ସେପ୍ଟେମ୍ବର ୧୫ ଓ ୨୨ ତାରିଖ ବ୍ୟତୀତ ୧୪ରୁ ୨୪ ତାରିଖ ପର୍ଯ୍ୟନ୍ତ ହାଓ୍ଵଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍(୧୨୨୭୭) ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିବ। ପୁରୀ-ହାଓ୍ଵଡା ଶତାବ୍ଦୀ ଏକ୍ସପ୍ରେସ୍(୧୨୨୭୮) ୧୬ରୁ ୨୫ ତାରିଖ ପର‌୍ୟ୍ୟନ୍ତ ଭୁବନେଶ୍ୱରରୁ ହାଓ୍ଵଡାକୁ ଯିବ। ହାଓ୍ଵଡା-ପୁରୀ ଏକ୍ସପ୍ରେସ୍(୧୨୮୨୧) ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଖୋର୍ଧାରୋଡ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ତିରୁପତି-ପୁରୀ ଏକ୍ସପ୍ରେସ୍ ଖୋର୍ଧାରୋଡ ପର୍ଯ୍ୟନ୍ତ ଆସିବ। ଖୋର୍ଧାରୋଡ଼-ପୁରୀ ମଧ୍ୟରେ ଯାତାୟତ ବାତିଲ୍ କରାଯାଇଛି।