ଜଗାକୁ ହେବ ଜର : ରାତି ପାହିଲେ ମହାପ୍ରଭୁଙ୍କ ଦିବ୍ୟସ୍ନାନ

35

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଶ୍ରୀକ୍ଷେତ୍ରରେ ଲାଗିଗଲାଣି ଭକ୍ତଙ୍କ ଭିଡ । ରାତି ପାହିଲେ ନୂତନ ବିଗ୍ରହ ରତ୍ନବେଦି ଛାଡି ପ୍ରଥମ ଥର ପାଇଁ ଆସିବେ ସ୍ନାନବେଦିକୁ । ୧୦୮ ଗରା ଜଳରେ ଦିବ୍ୟସ୍ନାନ କରିବା ସହ ଭକ୍ତଙ୍କୁ ଦେବେ ହାତୀବେଶରେ ଦର୍ଶନ । ତେଣୁ ଶ୍ରୀମନ୍ଦିର ପରମ୍ପରାର ଏ ଅପୂର୍ବ ନୀତି ସହ ସାମିଲ୍ ହେବାକୁ ଭକ୍ତ ଡେରା ପକାଇଛନ୍ତି ପୁରୀରେ । ସେପଟେ ମହାପ୍ରଭୁଙ୍କ ଏହି ସ୍ନାନନୀତି କରାଇବାକୁ ଗତକାଲି ଠାରୁ ଦଇତାପତି ଦେଉଳ ଭିତରେ ।
ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ । ଅନ୍ୟାନ୍ୟ ନୀତି ପରେ ଆସନ୍ତାକାଲି ଭୋର୍ ୪ଟାରେ ଆରମ୍ଭ ହେବ ପହଣ୍ଡି । ଧାଡି ପହଣ୍ଡିରେ ରତ୍ନ ସିଂହାସନ ଛାଡି ସ୍ନାନ ମଣ୍ଡପକୁ ଆସିବେ ଶ୍ରୀଜୀଉ । ପହଣ୍ଡି ଶେଷ ହେବା ପରେ ନୀତି ମୁତାବକ ଦଇତାପତି କାଳିଆ ଠାକୁରଙ୍କୁ ଗାଧୋଇ ଦେବେ । ଅପରାହ୍ନରେ ହାତୀବେଶରେ ସଜେଇ ହୋଇ ସ୍ନାନବେଦିରେ ଦର୍ଶନ ଦେବେ କାଳିଆ ଠାକୁର ।
ଗଜବେଶର ଶୃଙ୍ଖଳିତ ଦର୍ଶନ ପାଇଁ ଏଥର ଶ୍ରୀମନ୍ଦିର ପ୍ରଶାଦନ ପକ୍ଷରୁ ଅଧିକ ଦୁଇଘଂଟା ଦିଆଯାଇଛି । ସ୍ପର୍ଶ ପାଇଁ ବାରଣ କରାଯାଇଥିବା ବେଳେ ବ୍ୟାରିକେଡ୍ ଭିତରକୁ ଯାଇ ଭକ୍ତ ମହାପ୍ରଭୁଙ୍କୁ ଅତି ନିକଟରୁ ଦର୍ଶନ କରି ପାରିବେ । ସେପଟେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୁରୀରେ ମୁତୟନ ହୋଇଛନ୍ତି ୫୩ ପ୍ଲାଟୁନ୍ ପୁଲିସ୍ ।
ରତ୍ନ ସିଂହାସନରୁ ଧାଡି ପହଣ୍ଡିରେ ଆସିବେ ଆଉ ସ୍ନାନ ସରିବା ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ଫେରିବେ ଶ୍ରୀଜୀଉ । କାରଣ ଅତ୍ୟଧିକ ସ୍ନାନ ଯୋଗୁଁ ଜଗାକୁ ଲାଗିବ ଜର । ମହପ୍ରଭୁଙ୍କୁ ସୁସ୍ଥ କରିବାକୁ ଦଇତାପତି ଆରମ୍ଭ କରିବେ ଗୁପ୍ତ ସେବା । ଆଉ ଏହି ସମୟରେ ଶ୍ରୀଜୀଉ ଶ୍ରୀମନ୍ଦିରରେ ପଟିଦିଅଁ ରୂପରେ ପୂଜା ପାଇବେ । ସେପଟେ ମହାପ୍ରଭୁଙ୍କ ଅନ୍ୟ ଏକ ଦର୍ଶନ ପାଇଁ ବ୍ରହ୍ମଗିରି ଅଲାରନାଥରେ ଲାଗିବ ଭିଡ ।