ବର୍ଷା ନୁହେଁ ସାପ ଅଟକାଇଲା କ୍ରିକେଟ ମ୍ୟାଚ୍ । ପଡିଆରେ ଦୀର୍ଘ ସମୟ ଧରି ବୁଲିଲା ସାପ, ବିଳମ୍ବରେ ଆରମ୍ଭ ହେଲା ବିଦର୍ଭ-ଆନ୍ଧ୍ର ମ୍ୟାଚ୍  । ଭାଇରାଲ ହେଲା ଭିଡିଓ ।

556

ବିଭିନ୍ନ କାରଣରୁ କ୍ରିକେଟ ମ୍ୟାଚ ଅଟକିରହିବା କଥା ଆପଣ ଶୁଣିଥିବେ । ଅଧିକାଂଶ ସମୟରେ ବର୍ଷା କାରଣରୁ ଖେଳ ଅଟକି ରହେ । ଆଉ କେତେକ ସମୟରେ ଦର୍ଶକଙ୍କ ବିଶୃଙ୍ଖଳା, ଜଣେ କ୍ରିକେଟପ୍ରେମୀ ହଠାତ ପଡ଼ିଆ ଭିତରକୁ ଦୌଡ଼ିଯିବା, କୁକୁର ପଶିଯିବା କାରଣରୁ ଖେଳ ଅଟକିଯାଏ । କିନ୍ତୁ ଆଜି ଆରମ୍ଭ ହୋଇଥିବା ଆନ୍ଧ୍ରପ୍ରଦେଶ ଓ ବିଦର୍ଭ ରଣଜୀ ଟ୍ରଫି ମ୍ୟାଚ ଏକ ଭିନ୍ନ କାରଣରୁ କିଛି ସମୟ ପାଇଁ ଅଟକିରହିଥିଲା । ଏହାର କାରଣ ହେଉଛି ପଡ଼ିଆ ଭିତରକୁ ହଠାତ ଏକ ସାପ ପଶିଯାଇଥିଲା ।

ଏକ ଲମ୍ବା ସାପକୁ ଦେଖି ଖଳାଳିମାନେ ଚମକି ପଡିଥିଲେ । କିଛି ସମୟ ପଡ଼ିଆ ଭିତରେ ବୁଲିବା ପରେ ସାପଟି ବାହାରକୁ ଚାଲିଯାଇଥିଲା । ଏହା ପରେ ଖେଳ ଆରମ୍ଭ ହୋଇଥିଲା । ପଡିଆରେ ସାପ ବୁଲୁଥିବା ଏକ ଭିଡିଓ ବିସିସିଆଇ ପକ୍ଷରୁ ଟ୍ଵିଟରରେ ଅପଲୋଡ କରାଯିବା ପରେ ତାହା ଭାଇରାଲ ହୋଇଯାଇଛି । ତେବେ ପୂର୍ବରୁ ମଧ୍ୟ ୨୦୧୫-୧୬ କ୍ରିକେଟ୍‌ ସିଜିନରେ ବେଙ୍ଗଲ ଓ ବିଦର୍ଭ ମଧ୍ୟରେ ଖେଳାଯାଇଥିବା ଏକ ରଣଜୀ ମ୍ୟାଚରେ ଏକ ଚାରି ଫୁଟିଆ ସାପ ଦେଖାଦେଇଥିଲା ।