ଗାଡି ବଜାର ପରେ ଏବେ ସଂକଟରେ ସୂତାକଟା ବ୍ୟବସାୟ ! ଛଟେଇର ଶିକାର ହୋଇପାରନ୍ତି ହଜାର ହଜାର କର୍ମଚାରୀ ।

252

ଗାଡି ବଜାର ପରେ ଏବେ ସୂତାକଟା ଉଦ୍ୟୋଗରେ ମାଡିଆସିଲାଣି ସଂକଟ । ଦେଶର ପାଖାପାଖି ଏକ-ତୃତୀୟାଂଶ ଉତ୍ପାଦନ କ୍ଷମତା ବନ୍ଦ ହୋଇଯାଇଛି ଏବଂ ଉଣାଅଧିକେ ଯେଉଁ ବ୍ୟବସାୟ ଚାଲିଛି ତା କଥା ନ କହିବା ଭଲ । ଏହି ସଂକଟ ଦୂର ନହେଲେ ଯେ ହଜାର ହଜାର ଲୋକ ଚାକିରି ହରାଇବେ ଏଥିରେ କୌଣସି ସନ୍ଦେହ ନାହିଁ । ୨୦୧୦ -୧୧ ରେ ଦେଖାଦେଇଥିବା ମାନ୍ଦାବସ୍ତା ଭଳି ଏବେ କଟନ୍ ଏବଂ ମିଶ୍ରଣ ବ୍ୟବସାୟରେ ମଧ୍ୟ ଅବସ୍ଥା ସଂକଟାପର୍ଣ୍ଣ ହୋଇଯାଇଛି । ଏପ୍ରିଲ୍ ମାସରୁ ଜୁନ୍ ପର୍ଯ୍ୟନ୍ତ ଏହି ତିନିମାସ ଭିତରେ କଟନ୍ ସୁତା ୩୪.୬ ପ୍ରତିଶତ କ୍ଷତି ସହିଛି । କେବଳ ଜୁନ୍ ମାସରେ ୫୦ ପ୍ରତିଶତ କ୍ଷତି ହୋଇଥିଲା ।

କପାଚାଷ ଏବେ ସୂତାକଳର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ ଭାରତୀୟ କପା କିଣିବା ମଧ୍ୟ କାଠିକର ପାଠ ହୋଇପଡିବ । ଏଭଳି ଯଦି ଅବସ୍ଥା ରହିବ ତେବେ ଆଗାମୀ ଋତୁରେ ବଜାରକୁ ଆସୁଥିବା ପାଖାପାଖି ୮୦ ହଜାର କୋଟି ଟଙ୍କାର ୪ କୋଟି ଗାଣ୍ଠ କପାକୁ କିଣିବା ପାଇଁ ଗ୍ରାହକ ମିଳିବେ ନାହିଁ । ଭାରତୀୟ ଟେକ୍ସଟାଇଲ୍ ବ୍ୟବସାୟରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ପାଖାପାଖି ୧୦ କୋଟି ଲୋକଙ୍କୁ ରୋଜଗାର ମିଳିଛି । କୃଷି ପରେ ଲୋକଙ୍କୁ ଅଧିକ ରୋଜଗାର ଦେଉଥିବା ଏହି କ୍ଷେତ୍ରରେ ସଂକଟ ଅବସ୍ଥା ଦେଖାଗଲେ ବେରୋଜଗାରର ମଧ୍ୟ ସମସ୍ୟା ଦେଖାଦେବ । ଅଧିକ ପରିମାଣରେ ଲୋକଙ୍କ ଚାକିରୀରୁ ଛଟେଇ ହେବ ତେଣୁ ଟେକ୍ସଟାଇଲ୍ ମିଲ୍ସ ସଂଘ ପକ୍ଷରୁ ସରକାରଙ୍କୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି ।

ଚାକିରୀ ଏବଂ ଲୋକଙ୍କ ଜୀବନ ବଞ୍ଚାଇବାକୁ ସରକାରଙ୍କ ଆଗରେ ନେହୁରା ହୋଇଛି ଏହି ସଂଘ । କରଜରେ ବୁଡି ରହିଥିବା ଏହି ଉଦ୍ୟୋଗ କଞ୍ଚାମାଲର ମହଙ୍ଗା ଦର , ଏବଂ କପଡା ଓ ସୂତାର ଶସ୍ତା କ୍ୱାଲିଟି ନେଇ ଅନେକ ସମସ୍ୟା ଦେଇ ଗତି କରୁଛି । ବର୍ଦ୍ଧିତ ଦରର କଞ୍ଚାମାଲ୍ କାରଣରୁ ପ୍ରତିକିଲୋ ୨୦ ରୁ ୨୫ ଟଙ୍କାର କ୍ଷତି ସହିବାକୁ ପଡୁଛି । ଏହାଛଡା ଶ୍ରୀଲଙ୍କା , ବାଙ୍ଗଲାଦେଶ,ଇଣ୍ଡୋନେସିଆ ଭଳି ଦେଶର ଶସ୍ତା କପଡା ବୋଝ ଉପରେ ନଳିତା ବିଡା ସଦୃଶ କାମ କରୁଛି । ଚଳିତବର୍ଷ ଚାକିରୀକୁ ନେଇ ଲୋକେ ଚିନ୍ତିତ ଥିବାବେଳେ ଏଭଳି ଖବର ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାଣି ।