ପେଟ୍ରୋଲ କି ବ୍ୟାଟେରୀ ନୁହେଁ, ଏଣିକି ପବନରେ ଚାଲିବ ବାଇକ୍ । କରିସ୍ମା ଦେଖାଇଲେ ଷଷ୍ଠ ଶ୍ରେଣୀର କୁନି ବୈଜ୍ଞାନିକ, ବାୟୁ, ଶବ୍ଦ ପ୍ରଦୂଷଣରୁ ମିଳିବ ମୁକ୍ତି ।

701

କନକ ବ୍ୟୁରୋ : ରାସ୍ତାରେ ହେଉ କିମ୍ବା ଗାଡି ସୋରୁମରେ, ଆପଣ ଏପର୍ଯ୍ୟନ୍ତ ପେଟ୍ରୋଲରେ ଚାଲୁଥିବା କିମ୍ବା ବ୍ୟାଟେରୀରେ ଚାଲୁଥିବା ବାଇକ୍ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବାଇକ୍ ଦେଖାଇବୁ, ଯାହା ନା ପେଟ୍ରୋଲରେ ଚାଲୁଛି ନା ବ୍ୟାଟେରୀରେ, ଏହି ବାଇକଟି ଚାଲୁଛି ପବନରେ ।

ପବନରେ ଚାଲୁଛି ବାଇକ୍ । ଏହା ଶୁଣିବା ପରେ ହୁଏତ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଯେ ପବନରେ କେମିତି ବାଇକ ଚାଲିବ । କିନ୍ତୁ ଏଭଳି କିଛି କରିସ୍ମା କରି ଦେଖାଇଛନ୍ତି ଉତରାଖଣ୍ଡର ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର । ସେ ଏଭଳି ଏକ ବାଇକ୍ ବିକଶିତ କରିଛନ୍ତି ଯାହାକି ଚାଲିବା ପାଇଁ ପେଟ୍ରୋଲ କିମ୍ବା ବ୍ୟାଟେରୀର ଆବଶ୍ୟକତା ପଡିନଥାଏ ।

ଉତରାଖଣ୍ଡର ରାଜଧାନୀ ଦେହରାଦୁନ୍ ଠାରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ୧୧ ବର୍ଷୀୟ ଛାତ୍ର ଅଦ୍ୟୁତ ଛେତ୍ରୀ ଏଭଳି କମାଲ୍ କରି ଦେଖାଇଛନ୍ତି । ସେ ଏହି ବାଇକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବା ସହ, ସ୍ୱଚ୍ଛ ଭାରତ ମିଶନରେ ନିଜର ଏକ ଛୋଟ ଯୋଦଗାନ ବୋଲି କହିଛନ୍ତି ।

ସାରା ଦେଶରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢୁଥିବାକୁ ନେଇ ଏହି ଛାତ୍ର ଜଣଙ୍କ କହିଛନ୍ତି ଯେ, ଦେଶରେ ପ୍ରଦୂଷଣ କମ୍ କରାଇବାରେ ଏଭଳି ବାଇକ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର କିଭଳି ଏମିତି ଏକ ନିଆରା ବାଇକର ଉଦ୍ଭାବନ କଲେ । କେମିତି ସେ ଏହାକୁ ତିଆରି କରିବା ପାଇଁ ପ୍ରେରଣା ପାଇଲେ । ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ସଫଳତା ପଛର କାହାଣୀ ।

ଅଦ୍ୟୁତ କହିଛନ୍ତି ଯେ, ଥରେ ସେ ତାଙ୍କ ଭାଇଙ୍କ ସହ ମିଶି ବେଲୁନ ଫୁଙ୍କୁଥିଲେ । ସେତେବେଳେ ପବନରେ ଭରା ଥିବା ଏକ ବେଲୁନ ଉପରକୁ ଉଠି ପୁଣି ତଳେ ଦୌଡିଥିଲା । ଆଉ ଏହାକୁ ଦେଖି ସେ ଭାବିଥିଲେ ଯେ, ଯଦି ପବନରେ ବେଲୁନ ଚାଲିପାରୁଛି ତେବେ ବାଇକ କାହିଁକି ଚାଲିପାରିବ ନାହିଁ । ଆଉ ଏହା ପରେ ସେ ତାଙ୍କର ଚିନ୍ତାଧାରାକୁ ନିଜ ବାପାଙ୍କୁ କହିଥିଲେ, ଏବଂ ଏଦିଗରେ କାମ କରିବା ଆରମ୍ଭ କରିଦେଇଥିଲେ । ଡେମୋ ସଫଳ ହେବା ପରେ ସେ ପବନରେ ଚାଲୁଥିବା ବାଇକ୍ ତିଆରି କରିଦେଇଥିଲେ ।

ତେବେ ଏହି ବାଇକର ବିଶେଷତ୍ୱ ହେଉଛି, ଏହି ବାଇକର ଦୁଇ କଡରେ ଦୁଇଟି ଗ୍ୟାସ ଟାଙ୍କି ଲଗାଯାଇଛି । ଯେଉଁଥି ପାଇଁ ନା ବାୟୁ ପ୍ରଦୂଷଣ ହେବ ନା ଶବ୍ଦ ପ୍ରଦୂଷଣ । ସାଧାରଣ ଟାୟାରରେ ଭରାଯାଉଥିବା ପବନରେ ଚାଲୁଥିବା ବାଇକର ଫର୍ମୁଲା ତିଆରି କରିଛନ୍ତି ଏହି କୁନି ବୈଜ୍ଞାନିକ । ଆଉ ତାଙ୍କର ଏଭଳି କରିସ୍ମା ପାଇଁ ଚାରିଆଡୁ ତାଙ୍କୁ ପ୍ରଂଶସାର ସୁଅ ଛୁଟିଛି ।