ଜେଜେମା’ଙ୍କ ରାସ୍ତାରେ ନାତୁଣୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ, ସୋନଭଦ୍ରା ଯାତ୍ରା ପ୍ରିୟଙ୍କାଙ୍କ ରାଜନୀତି କ୍ୟାରିୟରରେ ଆଣିବ କି ନୂଆ ମୋଡ?

295

କନକ ବ୍ୟୁରୋ : କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଥିବା ସମାନତାକୁ ନେଇ ସବୁବେଳେ ଚର୍ଚ୍ଚା କରାଯାଏ । ଉଭୟଙ୍କ ପରିଧାନ ଓ ବେଶଭୂଷା ପ୍ରାୟତଃ ସମାନ ରହୁଥିବାରୁ ସୋସିଆଲ ମିଡିଆରେ ଦୁଇ ଜଣଙ୍କୁ ସର୍ବଦା ତୁଳନା କରାଯାଇଥାଏ । ଏବେ ପୁଣି ଥରେ ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ଇନ୍ଦିରା ଗାନ୍ଧୀଙ୍କ ରାସ୍ତାରେ ପ୍ରିୟଙ୍କା ଗାନ୍ଧୀ ଆଗଉଥିବା ଚର୍ଚ୍ଚା ହେଉଛି ।

ଉତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଜମି ବିବାଦକୁ ନେଇ ହୋଇଥିବା ଗୁଳିକାଣ୍ଡ ପିଡୀତଙ୍କୁ ଭେଟିବାକୁ ଯେତେବେଳେ ପ୍ରିୟଙ୍କା ଗାନ୍ଧୀ ଯାଉଥିଲେ ସେତେବେଳେ ତାଙ୍କୁ ଅଧା ରାସ୍ତାରେ ଅଟକାଇ ଦିଆଯାଇଥିଲା । ଆଉ ଏହାର ପ୍ରତିବାଦରେ ରାସ୍ତାରେ ଧାରଣାରେ ବସିଯାଇଥିଲେ ପ୍ରିୟଙ୍କା । ତାଙ୍କର ଜିଦ୍ ଥିଲା, ସେ ଖାଲି ପିଡୀତଙ୍କ ପରିବାରକୁ ଭେଟି ସମବେଦନା ଜଣାଇବାକୁ ଚାହୁଁଛନ୍ତି । ହେଲେ ଏହା କରିବାକୁ ଦେଇନଥିଲେ ପୁଲିସ ଅଧିକାରୀ । ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ରାଜନୀତି ।

ଆଉ ଧାରଣାରେ ବସିଥିବା ବେଳେ ପ୍ରିୟଙ୍କାଙ୍କ ଏକ ଫଟୋକୁ ଇନ୍ଦିରା ଗାନ୍ଧୀଙ୍କ ଫଟୋ ସହ ତୁଳନା କରାଯାଉଛି । ଆଉ ପ୍ରିୟଙ୍କାଙ୍କ ଏହି କାର୍ଯ୍ୟକୁ ବେଶ ପ୍ରଶଂସା ମଧ୍ୟ ମିଳୁଛି । ପୂର୍ବରୁ ଇନ୍ଦିରା ଗାନ୍ଧୀ ମଧ୍ୟ ରାସ୍ତାରେ ଧାରଣାରେ ବସିଥିବା ଏକ ଫଟୋ ସହ ପ୍ରିୟଙ୍କା ଗାନ୍ଧୀ ଧାରଣାରେ ବସିଥିବା ବେଳର ଫଟୋକୁ ଯୋଡି ଉଭୟଙ୍କ ମଧ୍ୟରେ ଥିବା ସମାନତାକୁ ପୁଣି ଅବତାରଣା କରାଯାଇଛି ସୋସିଆଲ ମିଡିଆରେ ।

କୁହାଯାଉଛି, କଂଗ୍ରେସ କର୍ମୀ ଦଳର ଭବିଷ୍ୟତ ପ୍ରିୟଙ୍କା ଗାନ୍ଧୀଙ୍କ ଠାରେ ଦେଖୁଛନ୍ତି । ଦଳ ଯେତେବେଳେ ସଂକଟ ଭିତର ଦେଇ ଗତି କରୁଛି, ସେତେବେଳେ ପ୍ରିୟଙ୍କା ହିଁ ଦଳର ସ୍ଥିତି ମଜଭୁତ କରିପାରିବେ ବୋଲି ଦଳୀୟ କର୍ମୀଙ୍କ ମନରେ ଧାରଣ ସୃଷ୍ଟି ହୋଇଛି । ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ବେଳେ ବର୍ତମାନ ମଧ୍ୟ ଦଳର ମଙ୍ଗ କିଏ ଧରିବ ତାହା ସ୍ପଷ୍ଟ ହୋଇନାହିଁ । ଏଭଳି ସ୍ଥଳେ କଂଗ୍ରେସର ସ୍ଥିତି ଆଗାମୀ ଦିନରେ କଣ ହେବ, ତାକୁ ନେଇ ରାଜନୈତିକ ମହଲ ଚର୍ଚ୍ଚା କରୁଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ମଙ୍ଗ ଧରିବାକୁ ଦଳୀୟ ନେତାଙ୍କ ଅନୁରୋଧ ବଢିବାରେ ଲାଗିଛି ।

କୁହାଯାଉଛି, ଇନ୍ଦିରା ଗାନ୍ଧୀଙ୍କ ଯେଉଁ ଫଟୋଟି ଭାଇରାଲ ହୋଇଛି, ତାହା ମଧ୍ୟ ଏକ ପିଡୀତ ପରିବାରକୁ ସେ ଭେଟିବାକୁ ଯିବା ସମୟର । ତେବେ ଭାଇରାଲ ହୋଇଥିବା ଫଟୋ କେଉଁ ସମୟର ଓ କେଉଁ ଘଟଣାରେ ସେ ଏଭଳି ପ୍ରତିବାଦ କରିଥିଲେ ତାହା ଜଣାପଡିନାହିଁ ସତ କିନ୍ତୁ ୧୯୭୭ରେ କ୍ଷମତାରୁ ବିଦା ହେବା ପରେ ଇନ୍ଦିରା ଗାନ୍ଧୀ ମଧ୍ୟ ବିହାରର ବେଲଚିରେ ହୋଇଥିବା ନରସଂହାର ପୀଡିତଙ୍କୁ ଭେଟିବାକୁ ହାତୀରେ ବସି ଯାଇଥିଲେ । ସେତେବେଳେ ବେଲଚିରେ ୧୧ ଜଣ ଦଳିତଙ୍କୁ ଅତି ନୃଂଶସ ଭାବେ ହତ୍ୟା କରାଯାଇଥିଲା । ଆଉ ମୃତକଙ୍କ ମଧ୍ୟରେ ରହିଥିଲେ ଜଣେ ନିରୀହ ଶିଶୁ ।

୧୯୭୭ । ଅଗଷ୍ଟ ୧୩ । ପୀଡିତ ପରିବାରକୁ ଭେଟିବାକୁ ବେଲଚିରେ ପହଞ୍ଚିଥିଲେ ଇନ୍ଦିରା । ଆଉ ଏଥିପାଇଁ ଇନ୍ଦିରାଙ୍କୁ ବେଶ କସରତ କରିବାକୁ ପଡିଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେହି ସମୟରେ ପୂରା ବେଲଚିରେ ବନ୍ୟା ପାଣି ଲହଡି ଭାଙ୍ଗୁଥିଲା । ହେଲିକପ୍ଟରରୁ ଓହ୍ଲାଇବା ପରେ ମୃତକଙ୍କ ପରିବାରକୁ ଭେଟିବାକୁ ବାହାରିଥିଲେ ଇନ୍ଦିରା । କିନ୍ତୁ ଜିପରେ କିଛି ବାଟ ଯିବା ପରେ କାଦୁଅ ରାସ୍ତାରେ ଫଶି ଯାଇଥିଲା ଇନ୍ଦିରାଙ୍କ ଗାଡି । କିନ୍ତୁ ଅଟକିନଥିଲେ ଇନ୍ଦିରା । ହାତୀ ମୋତି ପିଠିରେ ବସି ନଦୀ ପାର ହେବା ସହ ବେଲଚିରେ ପହଞ୍ଚିଥିଲେ ଇନ୍ଦିରା । ଆଉ ପୀଡିତ ପରିବାରକୁ ଭେଟିବା ସହ ସମବେଦନା ଜଣାଇଥିଲେ । ସେତେବେଳେ ଇନ୍ଦିରାଙ୍କ ଏଭଳି ପ୍ରୟାସକୁ ବେଶ ପ୍ରଂଶସା କରାଯାଇଥିଲା । କୁହାଯାଏ ବେଲଚି ଯାତ୍ରା ହିଁ ପୁଣିଥରେ ଇନ୍ଦିରା ଗାନ୍ଧୀଙ୍କ କ୍ଷମତାକୁ ଫେରିବାର ମୂଳଦୁଆ ପକାଇଥିଲା ।

ଆଉ ଏବେ ଇନ୍ଦିରାଙ୍କ ପଥରେ ଆଗଉଛନ୍ତି ପ୍ରିୟଙ୍କା । ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ ପ୍ରଥମ ଥର ପାଇଁ ସୋନଭଦ୍ରା ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ପୀଡିତଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ପ୍ରିୟଙ୍କାକୁ ଅଧା ବାଟରେ ଅଟକାଇଥିଲା ପୋଲିସ । ଆଉ ଏହାର ପ୍ରତିବାଦରେ ରାସ୍ତାରେ ଧାରଣାରେ ବସିଥିଲେ ପ୍ରିୟଙ୍କା । ବହୁ ବାଧାବିଘ୍ନ ସତ୍ତେ୍ୱ ମଧ୍ୟ ପଛରୁ ହଟିନଥିଲେ ପ୍ରିୟଙ୍କା । ଆଉ ଶେଷରେ ପ୍ରିୟଙ୍କାଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଥିଲା ପ୍ରଶାସନ । ଆଉ ପୀଡିତ ପରିବାରକୁ ଭେଟିବା ପରେ ସେମାନଙ୍କୁ ନ୍ୟାୟ ଦେବାକୁ ପ୍ରତିଶୃତି ଦେଇଛନ୍ତି ପ୍ରିୟଙ୍କା । ଆଉ ପ୍ରିୟଙ୍କାଙ୍କ ଏଭଳି ପ୍ରୟାସକୁ ବେଶ ପ୍ରଂଶସା କରାଯାଉଛି । ଏପରିକି ବେଲଚି ଯାତ୍ରା ଭଳି ସୋନଭଦ୍ରା ଯାତ୍ରା ପ୍ରିୟଙ୍କାଙ୍କ ରାଜନୀତି କ୍ୟାରିୟରରେ ନୂଆ ମୋଡ ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।